Categories: ଜାତୀୟ

ଉତ୍ତରାଖଣ୍ଡରେ ରାଜକୀୟ ବିବାହ: ୨ଶହ କୋଟି ରୟାଲ ଓ୍ବେଡିଂ ପାଇଁ ଲାଗିଲା ୫ଶହ କୋଟିର ଫୁଲ

ଡେରାଡୁନ,୧୯।୬: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଉତ୍ତରାଖଣ୍ଡର ଅଲୀ ଏବେ ନବବଧୂ ଭଳି ସଜେଇ ହୋଇଛି। କାରଣ ଉତ୍ତରାଖଣ୍ଡରେ ଜୁନ ୨୦ ଓ ୨୨ରେ ଏକ ହାଇ ପ୍ରୋଫାଇଲ ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରବାସୀ ଭାରତୀୟ ବ୍ୟବସାୟୀ ଅଜୟ ଗୁପ୍ତା ବନ୍ଧୁଙ୍କ ୨ପୁଅଙ୍କ ବିବାହ ଉତ୍ତରାଖଣ୍ଡର ପ୍ରସିଦ୍ଧ ସ୍କି ରିସୋର୍ଟରେ ଅନୁଷ୍ଠିତ ହେବ। ଏଠାରେ ବିବାହ ସମାରୋହ ୫ଦିନ ଧରି ଚାଲିବାକୁ ଥିବା ବେଳେ ୧୮ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି ବିବାହରେ ପ୍ରାୟ ୨ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ରିସୋର୍ଟକୁ ବିଦେଶୀ ଫୁଲରେ ସଜେଇ ଦିଆଯାଇଛି। କେବଳ ବିବାହ ମଣ୍ଡପରେ ୫ କୋଟି ଟଙ୍କାର ଫୁଲ ବ୍ୟବହାର କରାଯାଇଛି। ଏଥିସହ ଫିଲ୍ମ ବାହୁବଲୀର ଏକ ସେଡ୍‌ ମଧ୍ୟ ଏଠାରେ ତିଆରି କରାଯାଇଛି। ଏହି ବିବାହରେ ଦେଶବିଦେଶର ଅନେକ ପ୍ରମୁଖ ବ୍ୟକ୍ତି ଅତିଥି ଭାବେ ଯୋଗଦେବେ। ଆଉ ଏହି ଅତିଥିଙ୍କ ପାଇଁ ୫ଷ୍ଟାରର ବ୍ୟବସ୍ଥା କରାଯାଇଛି। ଅତିଥିଙ୍କ ଲାଗି ହେଲିକପ୍ଟରର ବ୍ୟବସ୍ଥା କରାଯାଇଥିବା ବେଳେ ଏହା ଜୋଶୀମଠରେ ଅବତରଣ କରିଛି। ଏହାପରେ ସେଠାରୁ ଗାଡ଼ି ଓ ରୋପ ଓ୍ବେ ସାହାଯ୍ୟରେ ଅତିଥି ଅଲୀଠାରେ ପହଞ୍ଚିଛନ୍ତି। ସେହିପରି ଏହି ବିବାହ କାର୍ଯ୍ୟକ୍ରମରେ ଅନେକ ବଲିଉଡ୍‌ କଳାକାରଙ୍କ ସହ ଦେଶର ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ। ଅଭିନେତ୍ରୀ କ୍ୟାଟ୍ରିନା କୈଫ, ସିଦ୍ଧାର୍ଥ ମାଲହୋତ୍ରା, ଯୋଗଗୁରୁ ରାମଦେବ, ଆଚାର୍ଯ୍ୟ ବାଳକୃଷ୍ଣଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ ବୋଲି ଶୁଣାଯାଉଛି। ଏହି ବିବାହ ପାଇଁ ଅଲୀ ସହର ଉପରେ ଏବେ ସମସ୍ତଙ୍କର ନଜର ରହିଛି।

Share