ଉତ୍ତରପ୍ରଦେଶ ଫେରନ୍ତା ଦୁଇ ଯୁବକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିଲା ପ୍ରଶାସନ

ବିଜେପୁର,୨୬ା୪(ଡି.ଏନ୍‌.ଏ.) : କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବ୍ୟାହତ ରହିଛି। ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ହେଲେ କିଛି ଅମାନିଆ ଲକ୍‌ଡାଉନ୍‌ କଟକଣାକୁ ଉଲ୍ଲଂଘନ କରି ସୀମାରେ ରହିଥିବା ସୁରକ୍ଷା କର୍ମୀକୁ ଭୁଆଁ ବୁଲାଇ ଖସି ଆସୁଥିବା ଜଣାପଡ଼ିଛି। ଏହିକ୍ରମରେ ବରଗଡ଼ ଜିଲା ବିଜେପୁରକୁ ରବିବାର ସକାଳୁ ଦୁଇ ଜଣ ଉତ୍ତରପ୍ରଦେଶରୁ ଚାଲି ଆସିଥିବା ଜଣାଯାଇଛି। ଏହି ଖବର ଜଣାଯିବା ପରେ ସ୍ଥାନୀୟ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା। ସେମାନଙ୍କୁ ଉଦ୍ଧାର କରି ସରକାରୀ କ୍ବାରାଣ୍ଟାଇନ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜଣେ ବିଜେପୁର ଏନ୍‌ଏସି ସଦରମହକୁମାର ହୋଇଥିବାବେଳେ ଅନ୍ୟ ଜଣେ ତାଳପଦର ଗ୍ରାମର ବାସିନ୍ଦା।
ସୂଚନାନୁଯାୟୀ, ସ୍ଥାନୀୟ ସହରର ଜଣେ ଯୁବକ ଉତ୍ତର ପ୍ରଦେଶରେ ରହିଥିବା ତାଙ୍କର ଭଉଣୀକୁ ଆଣିବାକୁ ତାଙ୍କ ସାଙ୍ଗ ସହିତ ସେଠାକୁ ଯାଇଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ଲକ୍‌ଡାଉନ୍‌ ଘୋଷଣା ହୋଇଯିବାରୁ ସେ ଦୁହେଁ ଆଉ ଫେରି ପାରି ନ ଥିଲେ। ଅପରପକ୍ଷେ ଲକ୍‌ଡାଉନ୍‌ କଟକଣା ବଢି ଯାଇ ଥିବାରୁ ସେ ଦୁହେଁ ଲୁଚିଛପି ସେଠାରୁ ଚାଲି ଆସିଥିଲେ। ରବିବାର ପୂର୍ବାହ୍ନରେ ସ୍ଥାନୀୟ ହାଇସ୍କୁଲରେ କରାଯାଇଥିବା କ୍ବାରାଣ୍ଟାଇନ୍‌ କେନ୍ଦ୍ରରେ ତହସିଲଦାର କୁଳମଣି ରଣବିଡା, ବିଡିଓ ପଦ୍ମନାଭ ସାମନ୍ତରାୟ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୁକ୍ମଣ ମେହେର, ଆଇଆଇସି ରାଜେନ୍ଦ୍ର ସିଆଲ ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ସଂଗ୍ରହ କରିଥିଲେ। ଉଭୟେ ସେଠାରେ ମଧ୍ୟ ହୋମ କ୍ବାରାଣ୍ଟାଇନରେ ରହିଥିବା ତଦନ୍ତବେଳେ ଜଣାପଡ଼ିଥିଲା। କିନ୍ତୁ ଉଭୟେ ରାଜ୍ୟ ବାହାରୁ ଆସିଥିବାରୁ ତାଙ୍କୁ କ୍ବାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ଜଣେ ଯୁବକଙ୍କୁ ବିଜେପୁର ହାଇସ୍କୁଲରେ ଓ ଅନ୍ୟ ଜଣେ ଯୁବକଙ୍କୁ ତାଳପଦରସ୍ଥିତ କ୍ବାରାଣ୍ଟାଇନ୍‌ କେନ୍ଦ୍ରରେ ରଖାଯାଇଥିବା ଜଣାପଡ଼ିଛି। ତେବେ ସୁଦୂର ଉତ୍ତରପ୍ରଦେଶରୁ ଦୁଇଜଣ ଯୁବକ ସୀମାର ସୁରକ୍ଷା ବଳୟକୁ ଭେଦ କରି ଚାଲି ଆସିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।