Categories: ଜାତୀୟ

ଉତ୍ତରପୂର୍ବରେ ବନ୍ଦ ପାଳନ

ନୂଆଦିଲ୍ଲୀ,୧୧ା୧୨: ନାଗରିକତ୍ୱ ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ ହେବାର ଦିନକ ପରେ ଓ ରାଜ୍ୟ ସଭାରେ ଉପସ୍ଥାନ କରାଯିବାର ଦିନକ ପୂର୍ବରୁ ଏହାକୁ ଉତ୍ତର-ପୂର୍ବାଞ୍ଚଳରେ ପ୍ରବଳ ବିରୋଧ କରାଯାଇଛି। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ମଙ୍ଗଳବାର ଏହା ବିରୋଧରେ ବନ୍ଦ ପାଳନ କରାଯାଇଛି। ବିଲ୍‌ ପ୍ରତିବାଦରେ ଆସାମ ଓ ଦିଲ୍ଲୀରେ ବିକ୍ଷୋଭ କରାଯାଇଛି। ତ୍ରିପୁରାରେ ମୋବାଇଲ ଇଣ୍ଟରନେଟ ସେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଅପରାହ୍ନ ୨ଟାରୁ ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଛି। ସେପାହିଜଲ ବନ୍ଦ ପାଳନ ବେଳେ ରାସ୍ତା ଅବରୋଧ ଯୋଗୁ ହସ୍ପିଟାଲକୁ ଯାଉଥିବା ଜଣେ ୨ ମାସର ଅସୁସ୍ଥ ଶିଶୁର ଜୀବନ ଚାଲିଯାଇଛି।
ସଭାରେ କଂଗ୍ରେସ, ଟିଏମ୍‌ସି ସମେତ ଉତ୍ତର-ପୂର୍ବର ମୁଖ୍ୟ ବିରୋଧୀ ଦଳଗୁଡ଼ିକ ବିଲ୍‌ ବିରୋଧରେ ଭୋଟ ଦେଇଥିଲେ। ଦୁଇଟି ପ୍ରମୁଖ ଛାତ୍ର ସଙ୍ଗଠନ ନର୍ଥ ଇଷ୍ଟ୍‌ ଷ୍ଟୁଡେଣ୍ଟ ଅର୍ଗାନାଇଜେଶନ୍‌ (ଏନ୍‌ଇଏସ୍‌ଓ) ଏବଂ ଅଲ୍‌ ଆସାମ ଷ୍ଟୁଡେଣ୍ଟ ୟୁନିୟନ୍‌ (ଏଏଏସ୍‌ୟୁ) ବିଲ୍‌ ବିରୋଧୀ ବିକ୍ଷୋଭର ନେତୃତ୍ୱ ନେଇଛନ୍ତି। ମଣିପୁରରେ ଭୋର ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଅଲ୍‌ ମଣିପୁର ଷ୍ଟୁଡେଣ୍ଟ ୟୁନିୟନ୍‌ (ଏଏମ୍‌ଏସ୍‌ୟୁ) ପକ୍ଷରୁ ଡାକରା ଦିଆଯାଇଥିଲା। ବିଲ୍‌କୁ ତୁରନ୍ତ ପ୍ରତ୍ୟାହାର ପାଇଁ ଏଏମ୍‌ଏସ୍‌ୟୁ ଦାବି କରିଛି। ବନ୍ଦ ପାଳନ ଯୋଗୁ ମଣିପୁରରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଦୋକାନବଜାର, ଶିକ୍ଷାନୁଷ୍ଠାନ ଓ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିଥିଲେ। ସେହିପରି ଦିଲ୍ଲୀରେ ସିପିଆଇଏମ୍‌ର ଷ୍ଟେଟ୍‌ କମିଟି ସଦସ୍ୟମାନେ ମଧ୍ୟ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Share