Categories: ଜାତୀୟ

ଉଝ୍‌ ବହୁମୁଖୀ ପରିଯୋଜନାକୁ ଡିପିଆର୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୧୬।୫: କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଝ୍‌ ବହୁମୁଖୀ ପରିଯୋଜନାର ସଂଶୋଧିତ ଡିପିଆର୍‌କୁ ମଞ୍ଜୁରୀ ଦିଆଯାଇଛି। ଏହାଦ୍ୱାରା ସିନ୍ଧୁ ଜଳ ଚୁକ୍ତି ଅନୁସାରେ ଭାରତରେ ଏହି ନଦୀ ଜଳର ଉପଯୁକ୍ତ ବ୍ୟବହାର କରାଯାଇ ପାରିବ। ଏହି ପରିଯୋଜନା ଶେଷ ହେବା ପାଇଁ ପ୍ରାୟ ୬ ମାସ ସମୟ ଲାଗିବ। ଏଥିରେ ୯୧୬୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ଜମ୍ମୁ-କଶ୍ମୀର କାଠୁଆ ଜିଲାରେ ଏହି ପରିଯୋଜନା ଅନ୍ତର୍ଗତ ନଦୀବନ୍ଧ ନିର୍ମାଣ କରାଯିବ। ୨୦୦୮ରେ ଏହି ପରିଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲା। ୨୦୧୩ରେ କେନ୍ଦ୍ରୀୟ ଜଳ ଆୟୋଗର ସିନ୍ଧୁ ନଦୀ ଅବବାହିକା ସଂଗଠନ ପକ୍ଷରୁ ଏହି ପରିଯୋଜନାର ଡିପିଆର୍‌ ପ୍ରସ୍ତୁତ କରାଯାଇଥିଲା। ପରିଯୋଜନା ଶେଷ ହେଲେ ଭାରତ ୭୮୧ ନିୟୁତ କ୍ୟୁବିକ୍‌ ମିଟର ଜଳ ମହଜୁଦ୍‌ ରଖିବାକୁ ସକ୍ଷମ ହେବ। ଉଝ୍‌ ନଦୀ ରାବି ନଦୀର ଏକ ସହାୟକ ନଦୀ। ସୂଚନାଯୋଗ୍ୟ, ୧୯୬୦ ସେପ୍ଟେମ୍ବର ୧୯ରେ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ଏବଂ ପାକିସ୍ତାନ ରାଷ୍ଟ୍ରପତି ଅୟୁବ ଖାଁଙ୍କ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି କରାଚିଠାରେ ହୋଇଥିଲା। ଚୁକ୍ତି ଅନୁସାରେ ବ୍ୟାସ,ରାବି,ସତଲେଜ୍‌, ସିନ୍ଧୁ, ଚିନାବ୍‌ ଏବଂ ଝେଲମ୍‌ ଆଦି ୬ଟି ନଦୀ ଜଳ ବିତରଣ ଏବଂ ବ୍ୟବହାର କରାଯିବ। ଭାରତ ପୂର୍ବ ନଦୀଗୁଡ଼ିକର ୮୦ ପ୍ରତିଶତ ଜଳ ବ୍ୟବହାର କରିପାରିବ ବୋଲି ଚୁକ୍ତିରେ ଦର୍ଶାଯାଇଥିଲା। ତେବେ ଭାରତ ଏଭଳି କରୁ ନ ଥିଲା। କିନ୍ତୁ ଏହି ପରିଯୋଜନା ଶେଷ ହେଲେ ଏହା ସମ୍ଭବ ହୋଇପାରିବ ବୋଲି କୁହାଯାଉଛି।

Share