ଉଚ୍ଛେଦ ପୂର୍ବରୁ ଦୋକାନ ହଟାଇଲେ:  ଥଇଥାନ କରା ନ ଗଲେ ଆନ୍ଦୋଳନ

ଗଞ୍ଜାମ,୧୨ା୩(ଡି.ଏନ.ଏ.)- ଗଞ୍ଜାମ ସହର ସାନବଜାର ଠାରୁ ତ୍ରିବେଣୀ ମଠ ଛକ ଯାଏ ରାସ୍ତା ସମ୍ପ୍ରସାରଣ ପାଇଁ ଜବରଦଖଲ ଉଛେଦ କରାଯିବ। ଏଥିପାଇଁ ତହସିଲ ପ୍ରଶାସନ ପକ୍ଷରୁ ଗତ ଫେବୃଆରି ୧୦ରେ ଉଭୟ ପାର୍ଶ୍ୱରେ ଥିବା କ୍ଷୁଦ୍ର ବ୍ୟବସାୟୀ ତଥା ଉଠା ଦୋକାନୀଙ୍କୁ ନୋଟିସ ଜାରି କରାଯାଇଥିଲା। ମାର୍ଚ୍ଚ ମାସରେ ଐତିହାସିକ ଦୋଳ ଯାତ୍ରା ଥିବାରୁ ବଣିକ ସଂଘ ଅନୁରୋଧକ୍ରମେ ଯାତ୍ରା ସରିବା ପରେ ଅର୍ଥାତ ମାର୍ଚ୍ଚ ୧୧କୁ ଉଚ୍ଛେଦ ପାଇଁ ଧାର୍ଯ୍ୟ କରାଯାଇଥିଲା। ଉଛେଦ ପୂର୍ବରୁ ବ୍ୟବସାୟୀମାନେ ବୁଧବାରଠାରୁ କ୍ୟାବିନ ଓ ଏହା ଆଗରେ ଥିବା ଛାମୁଡିଆ ହଟାଉଥିବା ଦେଖିବାକୁ ମିଳିଛି। ମାତ୍ର ବ୍ୟବସାୟୀ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ବଣିକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଉଠା ଦୋକାନୀ ତଥା କ୍ଷୁଦ୍ର ବ୍ୟବସାୟୀଙ୍କୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଭେଣ୍ଡିଂ ଜୋନ ନିର୍ମାଣ ତ ଦୂରର କଥା ଏ ଯାଏ ସ୍ଥାନ ଚିହ୍ନଟ ମଧ୍ୟ ହୋଇନି। ଖୁବଶୀଘ୍ର ଥଇଥାନ ବ୍ୟବସ୍ଥା କରାନଗଲେ ବଣିକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ କୁହାଯାଇଛି।