ଉଚ୍ଛେଦକୁ ବିରୋଧ: ୧୦୦୧ ଦୀପଦାନ, କଳାକନା ବାନ୍ଧି ଧାରଣା

ପୁରୀ ଅଫିସ,୧୨ା୯ : ଶ୍ରୀମନ୍ଦିର ମେଘନାଦ ପାଚେରି ଚାରିପଟୁ ୭୫ ମିଟର ପରିଧିରେ ଥିବା କୋଠା, ମଠ ଭଙ୍ଗାଯିବ। ଜିଲା ପ୍ରଶାସନ ପକ୍ଷରୁ ଦୁଇ ସପ୍ତାହ ଧରି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ବିସ୍ଥାପିତଙ୍କ ଲାଗି ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏଥିପ୍ରତି ଲୋକଙ୍କ ଭରସା ପାଉନାହିଁ। ଅତୀତରେ ଉଚ୍ଛେଦ ହୋଇଥିବା ଲୋକଙ୍କୁ ଏପର୍ଯ୍ୟନ୍ତ ଥଇଥାନ କରାଯାଇନାହିଁ। ତେଣୁ କୌଣସି ପରିସ୍ଥିତିରେ ଭାଟିମାଟି ଛାଡ଼ିବୁ ନାହିଁ ବୋଲି ଜିଦ୍‌ ଧରି ଶତାଧିକ ମହିଳା ଗୁରୁବାର ବାସେଳି ଠାକୁରାଣୀଙ୍କ ନିକଟରେ ୧୦୦୧ ଦୀପ ଜାଳି, ମୁଖରେ କଳାପଟି ବାନ୍ଧି ନୀରବ ଧାରଣା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଉଚ୍ଛେଦ ପ୍ରକ୍ରିୟାକୁ ସେମାନେ ନିନ୍ଦା କରିଛନ୍ତି। ବିସ୍ଥାପିତ ପରିବାର କିପରି ଚଳିବେ, କେଉଁଠି ପୁଣି ଦୋକାନ କରିବେ ସେନେଇ ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି। ଶ୍ରୀମନ୍ଦିର ପଛପଟେ ରହୁଥିବା ବାସେଳି ସାହି, ମାର୍କଣ୍ଡେଶ୍ୱର ସାହି, ପଶ୍ଚିମ ଦ୍ୱାର ସାହି, ହରଚଣ୍ଡି ସାହି, ଗଡନ୍ତି ଉପର ସାହି ଏବଂ ଉଚ୍ଛେଦ ହେବାକୁ ଥିବା ଅନ୍ୟ ସାହିର ମହିଳାମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି। ସେମାନେ ଉଚ୍ଛେଦକୁ ତୀବ୍ର ବିରୋଧ କରିଛନ୍ତି। ପ୍ରଥମେ ଥଇଥାନ କରାଯାଉ ବୋଲି ସେମାନେ କହିଛନ୍ତି। ୨୦ବର୍ଷର ଶାସନ କାଳରେ ନବୀନ ସରକାର ପୁରୀବାସୀଙ୍କୁ ସ୍ବଚ୍ଛ ପାନୀୟଜଳ ଯୋଗାଇ ପାରିଲେ ନାହିଁ। ଡ୍ରେନେଜ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଅସରାଏ ବର୍ଷାରେ ଲୋକଙ୍କ ଘରେ ପାଣି ପଶୁଛି। ଉନ୍ନତମାନର ଚିକିତ୍ସାଳୟ ନାହିଁ। ପିଲାଙ୍କ ଲାଗି ଭଲ ଖେଳପଡିଆ ନିର୍ମାଣ ହୋଇପାରିଲା ନାହିଁ। ସିଦ୍ଧ ମହାବୀର ରେଲଓ୍ବେ ଓଭରବ୍ରିଜ ନିର୍ମାଣ ସରକାରଙ୍କ ଫାଇଲରେ ସୀମିତ ରହିଛି। ଅନ୍ୟପଟେ ସରକାର ଶ୍ରୀକ୍ଷେତ୍ରର ବିକାଶ ଏବଂ ମହାପ୍ରଭୁଙ୍କ ତ୍ୟାଗ ଲାଗି ଆହ୍ବାନ ଦେଉଛନ୍ତି। ସରକାର ସହରବାସୀଙ୍କ ତ୍ୟାଗର ମୂଲ୍ୟ ବୁଝିବା ଦରକାର। ଉଚ୍ଛେଦ ନେଇ ସ୍ଥାୟୀ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।