Categories: ଗଞ୍ଜାମ

ଉଚ୍ଚ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଭୟ

ବ୍ରହ୍ମପୁର ଅଫିସ,୨୭ା୫- ଗୁଜରାଟର ସୁରଟସ୍ଥିତ ଏକ କୋଚିଂ ସେଣ୍ଟରରେ ଶୁକ୍ରବାର ନିଆଁ ଲାଗିଯାଇଥିଲା। ଏଥିରେ ପୋଡ଼ି ହୋଇ ଓ ନିଆଁରୁ ବର୍ତ୍ତିବା ପାଇଁ ତୃତୀୟ ଓ ଚତୁର୍ଥ ମହଲାରୁ ଡ଼େଇଁ ୨୨ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଉଥିଲେ ମଧ୍ୟ ତାହାକୁ ଠିକ ଭାବେ ପାଳନ କରାଯାଉନାହିଁ। ଏଣୁ ଏପରି ଦୁର୍ଘଟଣା ଘଟୁଛି। ବ୍ରହ୍ମପୁର ସହରରେ ଦିନକୁ ଦିନ ବହୁ ମହଲା ବିଶିଷ୍ଟ ଅଟ୍ଟାଳିକା ବୃଦ୍ଧି ପାଉଛି। ସହରବାସୀ ଖୁବ୍‌ ସହଜରେ ଓ ସୁବିଧାରେ କେମିତି ସବୁ କିଛି ହାତ ପାହାନ୍ତରେ ମିଳିଯିବ ସେ ଚିନ୍ତାରେ ରହୁଛନ୍ତି। ଲୋକଙ୍କ ଏହି ଚାହିଦା ମେଣ୍ଟାଇବା ପାଇଁ ବ୍ରହ୍ମପୁର ସହରରେ ଉଚ୍ଚ ଅଟ୍ଟାଳିକାରେ ବିଭିନ୍ନ ଶପିଂ ମଲ, ଘରୋଇ ଶିକ୍ଷାନୁଷ୍ଠାନ ଖୋଲି ଚାଲିଛି।
ସେହିପରି ସହରରେ ଆପାର୍ଟମେଣ୍ଟ କଲଚର ମଧ୍ୟ ଜୋର ଧରିଛି। ଲୋକେ ଜାଗା କିଣି ଆଉ ଘର ତିଆରି କରିବା ଝାମେଲାରେ ନ ପଡ଼ି ଆପାର୍ଟମେଣ୍ଟ କ୍ରୟ କରିବାକୁ ପସନ୍ଦ କରୁଛନ୍ତି। ଶପିଂ ମଲ, ଆପାର୍ଟମେଣ୍ଟରେ ଲୋକଙ୍କ ସୁବିଧା ପ୍ରତି ଦୃଷ୍ଟି ଦିଆଯାଉଥିବା ବେଳେ ସୁରକ୍ଷା ଦିଗ ପ୍ରତି ଅବହେଳା କରାଯାଉଛି। ଯାହାକି ଗତ କିଛି ମାସ ତଳେ ଅଗ୍ନିଶମ ବିଭାଗର ଚଢ଼ାଉ ବେଳେ ସ୍ପଷ୍ଟ ହୋଇଛି।
ବ୍ରହ୍ମପୁର ସହରରେ ଗୋଟିଏ ବି ବ୍ୟବସାୟିକ ପ୍ରତିଷ୍ଠାନ କିମ୍ବା ଆପାର୍ଟମେଣ୍ଟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ମହଜୁଦ ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କେହି ବି ଅଗ୍ନି ନିରାପତ୍ତା ନିୟମକୁ ମାନୁ ନାହାନ୍ତି। ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ଇଲାକାରେ ଶପିଂମଲ, ହୋଟେଲଗୁଡ଼ିକ ଖୋଲିଛି।
କେତେକ ମଲରେ ପାର୍କିଂ ସ୍ଥାନ ନ ଥିବାରୁ ବିଗତ ଦିନରେ ତାହାକୁ ସିଲ କରି ଦିଆଯାଇଥିଲା। କିନ୍ତୁ ପରେ ସେହି ମଲଗୁଡ଼ିକରେ ପୁଣି ଚାଲିଛି। କୌଣସି ବି ବ୍ୟବସାୟିକ ପ୍ରତିଷ୍ଠାନ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନେଇନାହାନ୍ତି। ଏ ନେଇ ବହୁବାର ଅଭିଯୋଗ ହୋଇଥିଲା। ସେପଟେ ଫାୟାର ସେଫ୍ଟିି ରୁଲ ଏବଂ ନ୍ୟାଶନାଲ ବିଲ୍ଡିଂ ରୁଲ ମଧ୍ୟ ଉଲ୍ଲଂଘନ ନେଇ ଅଭିଯୋଗ ହୋଇଥିଲା। ଏଭଳି ପ୍ରତିଷ୍ଠାନରେ ଯଦି ଅଗ୍ନିକାଣ୍ଡ ଘଟିବ, ତେବେ ବହୁ ଧନଜୀବନ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି। ୨୦୧୭ରେ ପ୍ରଣୟନ ହୋଇଥିବା ଫାୟାର ସେଫ୍ଟିି ରୁଲ ଅନୁସାରେ ବ୍ରହ୍ମପୁରରେ ପ୍ରାୟ ୫୦୦ ପ୍ରତିଷ୍ଠାନକୁ ପର୍ଯ୍ୟାୟକ୍ରମେ ନୋଟିସ ଜାରି ହୋଇଥିଲା। ସେଥିମଧ୍ୟରୁ ୧୨ଟି ଶପିଂମଲ, ୮ଟି ହୋଟେଲ ଓ ୭ଟି ଆପାର୍ଟମେଣ୍ଟକୁ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ ଭାବେ ଚିହ୍ନଟ କରାଯାଇଥିଲା। ପ୍ରତି ୨ ମାସରେ ଉକ୍ତ ପ୍ରତିଷ୍ଠାନ ଗୁଡ଼ିକ ଯାଞ୍ଚ କରାଯିବ।
ଏହା ପରେ ଏହି ପ୍ରତିଷ୍ଠାନରେ ଯଦି କୌଣସି ତ୍ରୁଟି ପରିଲକ୍ଷିତ ହେବ ତାହା ସିଲ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସେ ସମୟରେ କୁହାଯାଇଥିଲା। ସେହିପରି ଆପାର୍ଟମେଣ୍ଟ ଗୁଡ଼ିକରେ ମଧ୍ୟ ଆବଶ୍ୟକ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ସେଥିପ୍ରତି ଆଉ ଗୁରୁତ୍ୱ ଦିଆଗଲାନି। ସୁରଟ ଘଟଣା ପରେ ସହରରେ ଅଗ୍ନିଶମ ବିଭାଗ ଓ ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ବହୁତଳ ପ୍ରାସାଦର ମାଲିକଙ୍କୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ହାସଲ କରିବାକୁ ବିଏମ୍‌ସ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ ଜାରି ହୋଇଛି।
୩ ମାସ ମଧ୍ୟରେ ଅଗ୍ନିନିରାପତ୍ତା ପ୍ରମାଣପତ୍ର ସଂଗ୍ରହ ନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି କୁହାଯାଇଛି।
ଏନେଇ ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର କୁହନ୍ତି, ବ୍ରହ୍ମପୁର ସହରରେ ଥିବା ଶପିଂମଲ, ବହୁ ମହଲା ବିଣିଷ୍ଟ ଅଟ୍ଟାଳିକା ଓ ହୋଟେଲ ଗୁଡ଼ିକୁ ନୋଟିସ ଜାରି ହୋଇଛି। ଖୁବଶୀଘ୍ର ସେଠାରେ ଚଢ଼ାଉ କରି ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି।