୧୦ ହଜାର ନ ଫେରାଇବାରୁ ଯୁବକଙ୍କୁ ହତ୍ୟା

ଦିଗପହଣ୍ଡି/ପାଟପୁର, ୨୯ା୧୨(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ନିକଟସ୍ଥ ମୁଖ୍ୟରାସ୍ତାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଧାର ଟଙ୍କାକୁ କେନ୍ଦ୍ରକରି ସୂର୍ଯ୍ୟ କୁମାର ସାହୁ (୩୩) ନାମକ ଯୁବକଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ପାଟପୁର ଗ୍ରାମ ବାଲିପେଣ୍ଠ ସାହିର ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରଛି। ଜାମିନ ଆବେଦନ ନା ମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍‌ ଜେଲ୍‌କୁ ପଠାଇ ଦିଆଯାଇଛି। ଏ ନେଇ ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ , ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ପ୍ରକାରେ, ସୂର୍ଯ୍ୟ କୁମାର ଅଭିଯୁକ୍ତ ପ୍ରଶାନ୍ତଙ୍କ ଠାରୁ ୧୦ ହଜାର ଟଙ୍କା ଧାର୍‌ ଆଣିଥିଲେ। ବହୁ ଦିନ ବିତି ଯାଇଥିଲେ ମଧ୍ୟ ସୂର୍ଯ୍ୟକାନ୍ତ ଟଙ୍କା ଫେରାଇ ନଥିଲେ। ଏହାକୁ କେନ୍ଦ୍ରକରି ପୂର୍ବରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଗୁରୁବାର ସା ପ୍ରାୟ ୭ଟା ସମୟରେ ସୂର୍ଯ୍ୟ ବସଷ୍ଟାଣ୍ଡକୁ ଯାଉଛି କହି ଘରୁ ବାହାରି ଯାଇଥିଲେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଶୁକ୍ରବାର ସକାଳେ ସୂର୍ଯ୍ୟଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ରାମର ମୁଖ୍ୟରାସ୍ତା କଡ଼ରେ ଥିବା ବିଦେଶୀ ମଦ ଦୋକାନ ସମ୍ମୁଖସ୍ଥ ଏକ ନିର୍ମାଣାଧୀନ ଘରେ ପଡ଼ିଥିବା ଖବର ପ୍ରଚାରିତ ହୋଇଥିଲା। ସୂର୍ଯ୍ୟଙ୍କଙ୍କ ବଡ଼ଭାଇ ନିତ୍ୟାନନ୍ଦ ଥାନାରେ ଏତଲା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ପ୍ରଶାନ୍ତଙ୍କୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚୁରା କରିବା ପରେ ସେ ସୂର୍ଯ୍ୟଙ୍କୁ ମାରିଥିବା ସ୍ବୀକାର କରିଥିଲେ। ପାଟପୁର ପୋଲିସ ନଂ. ୮୩୨/୨୩ରେ ମାମଲା ରୁଜୁ କରିବା ସହ  ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଲୁହା ଛଡ଼ ଏବଂ ମୋବାଇଲ ଫୋନ ଜବତ କରିଛି।