ଉଚ୍ଚଶିକ୍ଷାରେ ସଂସ୍କାର

ଡ. ଛାୟାକାନ୍ତ ଷଡ଼ଙ୍ଗୀ
ଚଳିତବର୍ଷ ଉଚ୍ଚଶିକ୍ଷାରେ ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ଅନେକ ଦୃଢ଼ ପଦକ୍ଷେପ ନେଇଛନ୍ତି। ଅଭିଭାବକଙ୍କଠାରୁ ଆରମ୍ଭକରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଖୁସି ଯେ, ଅଧ୍ୟାପକମାନଙ୍କୁ ସାତଘଣ୍ଟା କଲେଜରେ ଉପସ୍ଥିତ ରହିବା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିବା ସହ ବାୟୋମେଟ୍ରିକ୍‌ର ପ୍ରଚଳନ ମଧ୍ୟ କରାଯାଇଛି। ବହୁ ପୂର୍ବରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ନିୟମ କରିଥିଲେ ଯେ, ଅଧ୍ୟାପକମାନଙ୍କୁ ୟୁଜିସି ହାରରେ ଦରମା ଦିଆଯାଉ ଓ ସେମାନେ କଲେଜରେ ପାଞ୍ଚଘଣ୍ଟା ରହିବାକୁ ବାଧ୍ୟ। ଏହାର ଉଦ୍ଦେଶ୍ୟ ଥିଲା ଅଧ୍ୟାପକମାନେ ଶିକ୍ଷାଦାନ କରିବା ବ୍ୟତୀତ ଗବେଷଣା କରିବେ। ଆଲୋଚନାଚକ୍ରରେ ଯୋଗଦେବେ। ପାଠାଗାରରେ ବସି ଅଧ୍ୟୟନ କରିବେ ଓ ଅନୂ୍ୟନ ଚାରୋଟି ରିଫ୍ରେସର କୋର୍ସ କରି ଶିକ୍ଷଣ ପ୍ରଣାଳୀର ଗୁଣାତ୍ମକମାନ ବଢ଼ାଇବେ। ବେଶ୍‌ କିଛି ବର୍ଷ ଧରି ଏହିସବୁ ନୀତିନିୟମ ଠିକ୍‌ କାର୍ଯ୍ୟକାରୀ ହେଉଥିଲା। ଗତ ସତୁରି ଦଶକରେ ଏହି ଲେଖକ ଛାତ୍ର ଥିବାବେଳେ ଅନୁଭବ କରିଛି, ପ୍ରାୟ ସମସ୍ତ ଅଧ୍ୟାପକ ପାଞ୍ଚଘଣ୍ଟା ବା ତଦୂର୍ଦ୍ଧ୍ୱ ସମୟ କଲେଜରେ ଉପସ୍ଥିତ ରହୁଥିଲେ। ଅଧ୍ୟାପକମାନେ କର୍ତ୍ତବ୍ୟନିଷ୍ଠ ଓ ସମର୍ପିତ ଥିଲେ। ଶ୍ରେଣୀଗୃହକୁ ଆସିବା ପୂର୍ବରୁ ଯଥେଷ୍ଟ ପ୍ରସ୍ତୁତ ହେଉଥିଲେ। ସେତେବେଳେ ଆଜିକାଲି ଭଳି ଗାଇଡ୍‌ ବହି ପ୍ରଚଳନ ନ ଥିଲା। ମୂଳ ବହି ଅଧ୍ୟୟନ ଓ ଅଧ୍ୟାପକମାନଙ୍କ ଶ୍ରେଣୀଗୃହ ଅଧ୍ୟାପନା ହିଁ ଆମକୁ ସଫଳତା ଦେଉଥିଲା। ଆମେ ସକାଳ ନଅଟାରୁ ପାଞ୍ଚଟା ପର୍ଯ୍ୟନ୍ତ କଲେଜରେ କ୍ଲାସ୍‌ କରୁଥିଲୁ ଓ ଅପରାହ୍ଣରେ ଟ୍ୟୁଟୋରିଆଲ କ୍ଲାସ୍‌ ହେଉଥିଲା, ଯେଉଁଠି ଆମେ ଆମର ସନ୍ଦେହ ମୋଚନ କରୁଥିଲୁ।
ଆଜି ଦୃଶ୍ୟପଟ ବଦଳିଯାଇଛି। ଓଡ଼ିଶା ସରକାର ୟୁଜିସି ବେତନ ହାର ଉଚ୍ଛେଦ କରିଛନ୍ତି। ଘରୋଇ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବର୍ଗର ଅଧ୍ୟାପକ ଅଛନ୍ତି- ୟୁଜିସି ବର୍ଗ, ରାଜ୍ୟ ବେତନ ହାର ବର୍ଗ, ବ୍ଲକ୍‌ଗ୍ରାଣ୍ଟ ବର୍ଗ ଓ ସମ୍ପୂର୍ଣ୍ଣ ପରିଚାଳନା ସମିତି ନିୟନ୍ତ୍ରିତ ବର୍ଗ। ବେତନ ହାର ଦେଢ଼ଲକ୍ଷଠୁ ୮/୧୦ ହଜାର ପର୍ଯ୍ୟନ୍ତ ରହିଛି। ଯେଉଁମାନେ ଦେଢ଼ଲକ୍ଷ ଟଙ୍କା ମାସକୁ ପାଆନ୍ତି ସେମାନଙ୍କ କାମ ଯାହା ୧୦ ହଜାର ବେତନ ପାଉଥିବା ଅଧ୍ୟାପକମାନଙ୍କ କାମ ବି ତାହା। ସାତଘଣ୍ଟିଆ ଉପସ୍ଥାନ ନିୟମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ଏଣୁ ଅଳ୍ପ ଦରମାରେ ଚାକିରି କରୁଥିବା ଅଧ୍ୟାପକମାନେ ଅସନ୍ତୁଷ୍ଟ ହେବା ସ୍ବାଭାବିକ। ଅବଶ୍ୟ ଏହି ନିୟମ କାର୍ଯ୍ୟକାରୀ କରିବା ପଛରେ ସରକାରଙ୍କ ଅନୁଭବ ହେଉଛି ଯେ ଅଧ୍ୟାପକମାନେ ପ୍ରାୟତଃ ୫ଘଣ୍ଟା ସମୟ ମଧ୍ୟ କଲେଜରେ ରହୁନାହାନ୍ତି। ଦୁଇ ତିନୋଟି କ୍ଲାସ୍‌ କରି ସେମାନେ ଚାଲିଯାଉଛନ୍ତି। ଅନ୍ୟପକ୍ଷରେ ଅନେକ ଛାତ୍ରୀଛାତ୍ର ଅଳ୍ପ କ୍ଲାସ୍‌ରେ ଉପସ୍ଥିତ ରହି ବା ଆଦୌ ଉପସ୍ଥିତ ନ ରହି ପରୀକ୍ଷା ବେଳକୁ ଆବିର୍ଭୂତ ହେଉଥିଲେ। ପ୍ରାୟ ୧ଟା ବେଳକୁ କଲେଜ ପରିସର ଜନଶୂନ୍ୟ ହେଉଥିଲା। ସାତଘଣ୍ଟିଆ ଉପସ୍ଥିତି ନିୟମ ଓ ବାୟୋମେଟ୍ରିକ ପ୍ରଚଳନ ଏହି ସମସ୍ୟାର ସମାଧାନ କରିପାରିବ ବୋଲି ସରକାର ଭାବୁଛନ୍ତି। ମାତ୍ର ଅଧିକାଂଶ କଲେଜରେ ସମୃଦ୍ଧ ପାଠାଗାର ନାହିଁ କି ପଠନ କକ୍ଷ ବି ନାହିଁ। ଛୋଟ କଲେଜଗୁଡ଼ିକରେ ପ୍ରାୟ ଦିନକୁ ଦୁଇ ବା ତିନୋଟି କ୍ଲାସ୍‌ କରିସାରିବା ପରେ ବାକି ସମୟ ସେମାନେ କେଉଁଠି ପଢ଼ିବେ ଓ କ’ଣ ପଢ଼ିବେ। ଏହାର ଅର୍ଥ ନୁହେଁ ଯେ ସେମାନଙ୍କ ସାତଘଣ୍ଟିଆ ରହଣିକୁ ସମର୍ଥନ କରାଯାଉ ନାହିଁ। କଲେଜଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ ହେଲେ ଏହି ରହଣି ଫଳପ୍ରଦ ହେବ। ପୁନଶ୍ଚ ଅଧିକାଂଶ କଲେଜରେ ସ୍ଥାୟୀ ଅଧ୍ୟାପକ ପଦବୀ ବହୁସଂଖ୍ୟାରେ ଖାଲି। ଅତିଥି ଅଧ୍ୟାପକମାନଙ୍କୁ ନେଇ କାମ ଚଳେଇ ନିଆଯାଉଛି। ଅତିଥି ଅଧ୍ୟାପକମାନଙ୍କ ପାଇଁ ସାତଘଣ୍ଟିଆ ରହଣି ପ୍ରଯୁଜ୍ୟ ନୁହେଁ। ପୁନଶ୍ଚ ଯେହେତୁ ସେମାନେ କାମଚଳା ଅଧ୍ୟାପକ, ସେମାନଙ୍କଠାରୁ ସମର୍ପଣ ଭାବ ବା ଅନୁଷ୍ଠାନ ପ୍ରତି ଅନୁରକ୍ତି ଆଶା କରାଯାଇପାରିବ ନାହିଁ।
ଆହୁରି ଏକ ବଡ଼ ବିଡ଼ମ୍ବନାର କଥା। କିଛିବର୍ଷ ହେବ ସମଗ୍ର ଓଡ଼ିଶାର ସ୍ବୟଂଶାସିତ କଲେଜ ପାଇଁ ସିଲାବସ୍‌ ତିଆରି କରାଗଲା। ମାତ୍ର ଅଧିକାଂଶ ବହି ବଜାରରେ ଉପଲବ୍ଧ ହେଉନାହିଁ। ଅଧ୍ୟାପକମାନେ ନେଟ୍‌ରୁ ଅଳ୍ପକିଛି ଉପାଦାନ ସଂଗ୍ରହକରି ଅଧ୍ୟାପନା କରୁଛନ୍ତି। ମୂଳ ବହି କୌଣସି ଛାତ୍ରୀଛାତ୍ର ପାଉନାହାନ୍ତି। ନେଟ୍‌ରୁ ସଂଗୃହୀତ ଉପାଦାନ ଆଦୌ ଯଥେଷ୍ଟ ନୁହେଁ। ଏପରି ସ୍ଥଳେ ଶିକ୍ଷାର ଗୁଣାତ୍ମକ ମାନ ବଢ଼ିବ କିପରି? ଯେଉଁମାନେ ସିଲାବସ୍‌ ସ୍ଥିର କରିଛନ୍ତି ସେମାନେ ନିଶ୍ଚିତ କରିବା କଥା ଯେ ବହିଗୁଡ଼ିକ ବଜାରରେ ଉପଲବ୍ଧ। ମାତ୍ର ତାହା ହେଉନାହିଁ। ସମ୍ପ୍ରତି ଲକ୍ଷ୍ୟ କରାଯାଉଛି, ଆଜିକାଲି ଛାତ୍ରୀଛାତ୍ରଙ୍କର ପୂର୍ବଭଳି ପଠନ ସ୍ପୃହା ହ୍ରାସ ପାଇଛ। ଅଧିକାଂଶ କଲେଜରେ ସେମାନଙ୍କ ଉପସ୍ଥିତି କମିଯାଉଛି। ସେମାନେ କ୍ଲାସ୍‌କୁ ନ ଆସିଲେ ଅଧ୍ୟାପକ ଅଧ୍ୟାପିକା କାହାକୁ ପାଠ ପଢ଼ାଇବେ? ସରକାର ନିର୍ଦ୍ଦେଶ ଦେଇଛନ୍ତି ସେମାନଙ୍କର ଉପସ୍ଥିତି ୭୫ ପ୍ରତିଶତରୁ କମିଗଲେ ସେମାନେ ପରୀକ୍ଷାରେ ବସିପାରିବେ ନାହିଁ। ଏହି ନିୟମ ପୂର୍ବରୁ ମଧ୍ୟ ଥିଲା। ମାତ୍ର ଏହା ଆଦୌ କାର୍ଯ୍ୟକାରୀ ହେଉ ନ ଥିଲା। ଅତୀତରେ ଯେଉଁ କଲେଜଗୁଡ଼ିକ ଏହି ନିୟମକୁ କଡ଼ାକଡ଼ି ଭାବରେ ପ୍ରୟୋଗ କରୁଥିଲେ ସେଠାରେ ଛାତ୍ର ଆନ୍ଦୋଳନ ହେଉଥିଲା। ପରିଶେଷରେ ସାଲିସ୍‌ କରାଯାଉଥିଲା। ସେମାନଙ୍କୁ ଅତିରିକ୍ତ କ୍ଲାସ୍‌ କରିବାକୁ କୁହାଯାଉଥିଲା। ୭୫ପ୍ରତିଶତରୁ କମ୍‌ ଉପସ୍ଥାନ ଯୋଗୁ ଛାତ୍ରୀଛାତ୍ରମାନଙ୍କୁ ପରୀକ୍ଷା ଦେବାର ସୁଯୋଗ ଦିଆ ନ ଗଲେ ଅଧ୍ୟକ୍ଷଙ୍କ ଉପରେ ପ୍ରଚଣ୍ଡ ଚାପ ପଡୁଥିଲା। ତାହା କେବଳ ଅନୁଭବୀ ହିଁ ଜାଣିପାରିବେ। ଏହି ପରିସ୍ଥିତିରେ ଛାତ୍ରୀଛାତ୍ରମାନେ କ୍ଲାସ୍‌ କରିବାକୁ ନ ଆସିଲେ ମଧ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ଆନ୍ଦୋଳନାତ୍ମକ ପରିସ୍ଥିତିକୁ ଏଡ଼େଇଦେବା ପାଇଁ ସମସ୍ତଙ୍କୁ ୭୫ପ୍ରତିଶତ ଉପସ୍ଥାନ ଦେବାର ସମ୍ଭାବନାକୁ ଏଡ଼େଇ ଦିଆଯାଇ ନ ପାରେ। ଉଚ୍ଚଶିକ୍ଷା କ୍ଷେତ୍ରରେ ପରିଲକ୍ଷିତ ହେଉଥିବା ସ୍ଥାଣୁତା ପାଇଁ ଅଭିଭାବକ ମଧ୍ୟ କମ୍‌ ଦାୟୀ ନୁହନ୍ତି। ସେମାନଙ୍କ ପୁଅଝିଅମାନେ କଲେଜକୁ କ୍ଲାସ୍‌ କରିବାକୁ ଆସୁଛନ୍ତି ନା ନାହିଁ ସେ ବିଷୟରେ ଅଧିକାଂଶ ଅଭିଭାବକ ତଦାରଖ କରନ୍ତି ନାହିଁ। ଅଧ୍ୟକ୍ଷ ଅଭିଭାବକ-ଶିକ୍ଷକ ସଭା ଆହ୍ବାନ କଲେ ଶତକଡ଼ା ୯୦ ଭାଗ ଅଭିଭାବକ ଆସନ୍ତି ନାହିଁ। ଛାତ୍ରୀଛାତ୍ରମାନେ ପରୀକ୍ଷାରେ ଅସତ୍‌ ଉପାୟ ଅବଲମ୍ବନ କଲେ ଅନେକ ଅଭିଭାବକ ତାକୁ ବିରୋଧ କରନ୍ତି ନାହିଁ। ଅନେକ କଲେଜରେ ସେମାନେ ପରୀକ୍ଷା କେନ୍ଦ୍ରରେ ସେମାନଙ୍କ ପୁଅଝିଅଙ୍କୁ ଅସତ୍‌ ଉପାୟରେ ସାହାଯ୍ୟ କରିବାର ବ୍ୟବସ୍ଥା ମଧ୍ୟ କରିଥାନ୍ତି। ଏହିପରି କ୍ଷେତ୍ରରେ ଉଚ୍ଚଶିକ୍ଷାର ମାନ ବଢ଼ାଇବା ଦିବାସ୍ବପ୍ନ ଭଳି ମନେହୁଏ। ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବଢ଼ାଇବା ସମ୍ଭବ ହେବ ଯେଉଁଦିନ ଛାତ୍ର, ଶିକ୍ଷକ ଓ ଅଭିଭାବକ ସମ୍ମିଳିତ ଭାବରେ ଆନ୍ତରିକତା ପ୍ରଦର୍ଶନ ପୂର୍ବକ ଉଦ୍ୟମ କରିବେ। ଶିକ୍ଷକମାନଙ୍କ ଉପରେ କଡ଼ା ନିୟମ ଜାରିକରି ଶିକ୍ଷାରେ ସଂସ୍କାର ସମ୍ଭବ ନୁହେଁ। ସେପରି କ୍ଷେତ୍ରରେ ସେମାନେ କେବଳ ବାଧ୍ୟବାଧକତାରେ ଶିକ୍ଷାଦାନ କରିବେ। ସେମାନେ କିଭଳି ସ୍ବତଃପ୍ରବୃତ୍ତ ଭାବରେ ଶିକ୍ଷାଦାନ କରିବା ପାଇଁ ଆଗ୍ରହୀ ହେବେ, ସେଭଳି ଏକ ପରିବେଶ ସୃଷ୍ଟି କରିବାକୁ ହେବ। ଏହା ସମ୍ଭବ ହେବ ଯଦି ସରକାର ଓ ସମାଜ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବେ ଓ ସମ୍ମାନ ପ୍ରଦର୍ଶନ କରିବେ। କାରଣ ସେମାନେ ହିଁ ଗଢୁଛନ୍ତି ଆଜିର ମନ୍ତ୍ରୀ, ପ୍ରଶାସକ, ଡାକ୍ତର, ଇଞ୍ଜିନିୟର, ବିଚାରପତି ଇତ୍ୟାଦିଙ୍କୁ। ସେମାନେ ହିଁ ପ୍ରକୃତରେ ଦେଶର ନାଗରିକମାନଙ୍କୁ ନିର୍ମାଣ କରୁଛନ୍ତି। ଆମ୍ଭେମାନେ ଉଚ୍ଚାସନରେ ଅଧିଷ୍ଠିତ ହୋଇଛୁ ଏବଂ ସେଥିରେ ସେମାନଙ୍କର ଅବଦାନ ରହିଛି, ଏକଥାକୁ ଅସ୍ବୀକାର କରିହେବ ନାହିଁ।
ମାତ୍ର ଏକଥା ମଧ୍ୟ ସତ୍ୟ ଯେ, ଅନେକ ଅଧ୍ୟାପକ ଯେଉଁମାନେ ଉଚ୍ଚ ଦରମା ପାଉଛନ୍ତି ସେମାନେ ମଧ୍ୟ କର୍ତ୍ତବ୍ୟନିଷ୍ଠ ନୁହନ୍ତି। କଲେଜରେ ଛାତ୍ରୀଛାତ୍ରମାନଙ୍କୁ ଠିକ୍‌ ନ୍ୟାୟ ଦେଉନାନ୍ତି। ଅଥଚ ଘରୋଇ ଟ୍ୟୁଶନରେ ସମୟ ଦେଉଛନ୍ତି। ଆଶା କରାଯାଏ, ସରକାର ଅଧ୍ୟାପକମାନଙ୍କ ମଧ୍ୟରେ ଦରମାଗତ ଭେଦଭାବ ଦୂରକଲେ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ସେମାନଙ୍କୁ ମଧ୍ୟ ସମସ୍ତ ସୁବିଧା ଦେଲେ ସେମାନେ କର୍ତ୍ତବ୍ୟନିଷ୍ଠ ହେବେ। ଅଧ୍ୟାପନାକୁ ବୃତ୍ତି ଭାବରେ ଗ୍ରହଣ ନ କରି ବ୍ରତ ଭାବରେ ଗ୍ରହଣ କରିବେ। ତାକୁ ଜୀବିକା ଭାବରେ ଗ୍ରହଣ ନ କରି ଜୀବନ ଭାବରେ ଗ୍ରହଣ କରିବେ। ଏହି ପ୍ରସଙ୍ଗରେ ସତ୍ୟବାଦୀ ବନବିଦ୍ୟାଳୟରେ ଅଧ୍ୟାପନା କରୁଥିବା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ବିଷୟରେ ମନେପକାଇ ଦିଆଯାଇପାରେ। ସେ ଯେଉଁଦିନ ସେଠି ଶିକ୍ଷକ ଭାବରେ ଯୋଗଦେଲେ ଏକ ସ୍ବାଗତସଭା ଆୟୋଜିତ ହୋଇଥିଲା। ସେହିଦିନର ଅନୁଭବ ବର୍ଣ୍ଣନାକରି ସେ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ପୁସ୍ତକରେ ଲେଖିଛନ୍ତି, ”ସେଦିନ ଆଉ ଥରେ ମୋତେ ବ୍ରତ ହେବା ପରି ଲାଗିଲା। ମୋ ଆଖିରୁ ଅବିରତ ଲୁହ ବହିଯାଉଥାଏ। ମାତ୍ର ମୁଁ ପାଟି ଫିଟାଇ କିଛି କହିପାରିଲି ନାହିଁ। କେବଳ ଯେଉଁ ଗୁରୁଦାୟିତ୍ୱ ମୁଣ୍ଡାଇବାକୁ ଯାଉଥିଲି ତାହା ଭାରରେ ମୁଣ୍ଡ ଭାରି ହୋଇଯାଉଥାଏ। ଏହା ଥିଲା ସେଦିନ ଜଣେ ଶିକ୍ଷକର ଦାୟିତ୍ୱବୋଧ। ଯେଉଁଦିନ ଅଧ୍ୟାପକ ଅଧ୍ୟାପିକାମାନେ ଏହି ମନ୍ତ୍ରରେ ଅଭିମନ୍ତ୍ରିତ ହେବେ ସେହିଦିନ ଉଚ୍ଚଶିକ୍ଷାରେ ସଂସ୍କାର ଆସିବ। ସେଥିପାଇଁ ଆବଶ୍ୟକ ଏକ ସୁସ୍ଥ ବାତାବରଣ।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼, ମୋ-୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri