ଈଶ୍ୱରଙ୍କ କଳାକୃତି: ୬୩୫ଟି ଦିଆସିଲି କାଠିରେ ନିର୍ମାଣ କଲେ ତିନି ରଥ, ଉଚ୍ଚତା ୩.୫ ଇଞ୍ଚ

ଭୁବନେଶ୍ୱର,୩।୭(ବ୍ୟୁରୋ): ଗୁରୁବାର ମହାପ୍ରଭୁଙ୍କ ଘୋଷଯାତ୍ରା। ଏହି ନବଦିନାତ୍ମକ ଯାତ୍ରା ପାଇଁ ରଥ ପ୍ରସ୍ତୁତ। ପଥ ପ୍ରସ୍ତୁତ। କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ପ୍ରତିଟି ଓଡ଼ିଆ ପ୍ରାଣର ଦେବତା ଜଗନ୍ନାଥଙ୍କର ଏହି ଯାତ୍ରାକୁ ନିଜ କଳାରେ ସ୍ଥାନ ଦେଇଛନ୍ତି ଜଟଣୀ ହାଟବଜାର ଗୋପିନାଥପୁର ଅଞ୍ଚଳର ଶିଳ୍ପୀ ଏଲ୍‌ ଈଶ୍ୱର ରାଓ।

ବିଶେଷକରି ବ୍ୟବହାର ଅପଯୋଗୀ ବୋତଲ ତଥା ଅନ୍ୟାନ୍ୟ ସୁକ୍ଷ୍ମ ସାମଗ୍ରୀକୁ ନେଇ ଈଶ୍ୱର ସର୍ବଦା ନିଜର କଳା ପ୍ରଦର୍ଶିତ କରିଥାନ୍ତି। ବିଭିନ୍ନ ଉତ୍ସବ ସମୟରେ ସେ ନିଜର ନିଚ୍ଛକ କଳାକୁ ଜୀବନ୍ତ ରୂପ ଦେଇଥାନ୍ତି। ସେହିଭଳି ରଥଯାତ୍ରା ଅବସରରେ ସେ ତିନିଠାକୁରଙ୍କ ସହ ରଥ ନିର୍ମାଣ କରିଛନ୍ତି। ତେବେ ତାହା କେବଳ ଦିଆସିଲି କାଠି ଓ ଛୋଟ ଛୋଟ କାଠଖଣ୍ଡର ସହାୟତାରେ। ରଥକୁ ଗଢ଼ିବା ଲାଗି ଈଶ୍ୱର ୧୭ଟି ଦିଆସିଲି ବାକ୍ସର ୬୩୫ଟି କାଠି ବ୍ୟବହାର କରିଛନ୍ତି। ରଥଗୁଡ଼ିକର ଉଚ୍ଚତା ୩.୫ଇଞ୍ଚ ରହିଛିି। ତେବେ ଏହାକୁ ତିଆରି କରିବା ଲାଗି ତାଙ୍କୁ ଲାଗିଛି ମାତ୍ର ୭ ଦିନ। କୁନି କୁନି ଦିଅଁମାନଙ୍କୁ ନେଇ ପ୍ରସ୍ତୁତ ଏହି ରଥରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ବିରାଜମାନ କରିଛନ୍ତି। ଏହି ରଥଗୁଡ଼ିକୁ ଚଳାଇ ମଧ୍ୟ ହେବ। ଏଥିପାଇଁ ଈଶ୍ୱର ଛୋଟ କାଠର ଚକ ନିର୍ମାଣ କରିଛନ୍ତି। ଛୋଟ ପତାକା ମଧ୍ୟ ଲଗାଯାଇଛି। ନିଜ ପ୍ରୀୟର ଠାକୁରଙ୍କ ରଥ ନିର୍ମାଣ କରିବା ତାଙ୍କୁ ବେଶ୍‌ ଆନନ୍ଦ ଦେଇଛି ବୋଲି ଈଶ୍ୱର ପ୍ରକାଶ କରିଛନ୍ତି।