ଇ-ଅଫିସ ପରିସରଭୁକ୍ତ ହେଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ

ଜଗତ୍‌ସିଂହପୁର ଅଫିସ,୨୭ା୨: ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରେ ଏବେ ଇ-ଅଫିସ୍‌ ପରିସରଭୁକ୍ତ ହୋଇଛି ଜିଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ। ଏଣିକି ଏହି କାର୍ଯ୍ୟାଳୟର ସମସ୍ତ ଫାଇଲପତ୍ର କାମ ଇ-ଅଫିସ ମାଧ୍ୟମରେ ପରିଚାଳିତ ହେବ। ଏହାଦ୍ୱାରା କାର୍ଯ୍ୟକ୍ଷେତ୍ରରେ ସ୍ବଚ୍ଛତା ଅଣାଯିବା ସହ ସମୟ ଓ ଅଫିସ ଷ୍ଟେସନାରୀର ଅପଚୟ ରୋକାଯାଇ ପାରିବ। ଏହି ଅବସରରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟରେ ଏକ ସଭା ଆୟୋଜନ ହୋଇଥିଲା। ଏଥିରେ ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ, ଜିଲା ପ୍ରକଳ୍ପ ସଂଯୋଜକ ସପନ କୁମାର ଜେନା, ଜିଲା ସୂଚନା ଅଧିକାରୀ ଜ୍ୟୋତି ପ୍ରକାଶ ବେହେରା ଓ କାର୍ଯ୍ୟାଳୟର କର୍ମକର୍ତ୍ତାମାନେ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ। ତଥ୍ୟ ସଂଯୋଜନା କରିଥିଲେ ଚନ୍ଦ୍ରଜିତ ପରିଜା। ଜିଲା ସୂଚନା ଅଧିକାରୀଙ୍କ ସହ ଅତିରିକ୍ତ ସୂଚନା ଅଧିକାରୀ ଓ ଏନ୍‌ଆଇସିର କର୍ମକର୍ତ୍ତା ବିକାଶ ଦାସ, ଦେବାଶିଷ ମହାନ୍ତି ପ୍ରମୁଖ ଇ-ଅଫିସ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ଇ-ମନିଟରିଂ ବ୍ୟବସ୍ଥାରେ ଜିଲା ଶିକ୍ଷା ବିଭାଗ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲାପାଳ ତଥା ଅଧ୍ୟକ୍ଷ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାଳୟର କାର୍ଯ୍ୟପ୍ରଣାଳୀ କମ୍ପ୍ୟୁଟରୀକୃତ ହୋଇପାରିଥିବା କୁହାଯାଇଛି।