ଇଲେକ୍ଟୋରାଲ ବଣ୍ଡ: ଆର୍‌ବିଆଇକୁ ଉପେକ୍ଷା

ନୀତୀନ ସେଠୀ
ଇଲେକ୍ଟୋରାଲ ବଣ୍ଡ୍‌ ଉନ୍ମୋଚିତ ହେବାର ଅଳ୍ପଦିନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକୁ ଗୋପନରେ ପାଣ୍ଠି ଯୋଗାଣ ଲାଗି ତରତର ହେଉଥିବା ମୋଦି ସରକାର ଏ ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମତାମତ ନେଇଛନ୍ତି ବୋଲି ଛଳନା କରିଛନ୍ତି। ବାସ୍ତବରେ ଆର୍‌ବିଆଇ ଯେଉଁ ପରାମର୍ଶ ଦେଇଥିଲା ସରକାର ତାହାକୁ ଅଗ୍ରାହ୍ୟ କରିଦେଇଥିବା ହଫ୍‌ପୋଷ୍ଟ ଇଣ୍ଡିଆ ହାତରେ ପଡ଼ିଥିବା ଅପ୍ରକାଶିତ ଦଲିଲରୁ ଜଣାପଡ଼ିଛି। ମାର୍ଚ୍ଚ ୨୦୧୮ରୁ ଏ ପର୍ଯ୍ୟନ୍ତ ଅନୂ୍ୟନ ୬୦୦୦ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରି ହୋଇଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ ପକ୍ଷରୁ ସଂଗୃହୀତ ତଥ୍ୟ ଅନୁସାରେ ପ୍ରଥମ ଦଫାରେ ଯେଉଁ ୨୨୨ କୋଟି ଟଙ୍କାର ବଣ୍ଡ୍‌ ବିକ୍ରି ହୋଇଥିଲା, ସେଥିରୁ ଏକା ଭାଜପା ଭାଗରେ ପଡ଼ିଛି ୯୫ ପ୍ରତିଶତ ଟଙ୍କା। ୨୦୧୭ ବଜେଟର ଚାରିଦିନ ପୂର୍ବରୁ ଜଣେ ବରିଷ୍ଠ ଟ୍ୟାକ୍ସ ଅଫିସର ପାର୍ଲାମେଣ୍ଟରେ ଉପସ୍ଥାପନ ହେବାକୁ ଥିବା ଅର୍ଥମନ୍ତ୍ରୀଙ୍କ ଦଲିଲରେ ଏକ ସଂକେତ ଦେଖିବାକୁ ପାଇଥିଲେ। ୨୦୧୭ ଫେବୃୟାରୀ ୧ରେ ଇଲେକ୍ଟୋରାଲ ବଣ୍ଡ୍‌ ଉନ୍ମୋଚନ କରିବାକୁ ଚାହୁଁଥିବା ତତ୍‌କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ତାଙ୍କ ଭାଷଣରେ କହିଥିଲେ: ଏହା ହେଉଛି ଏକ ଆଇନାନୁମୋଦିତ ବ୍ୟବସ୍ଥା ଯାହା ମାଧ୍ୟମରେ କର୍ପୋରେଟ୍‌ମାନେ ରାଜନୈତିକ ଦଳଗୁଡ଼ିକୁ ବେନାମୀ ଭାବେ ଅସୀମିତ ପାଣ୍ଠି ଦାନ କରିପାରିବେ।
ଆଇନରେ ପରିଣତ ହେବା ପରେ ଉକ୍ତ ବେନାମୀ ଇଲେକ୍ଟୋରାଲ ବଣ୍ଡ୍‌ ରାଜନୀତିରେ ବଡ଼ ବ୍ୟବସାୟିକ ସଂସ୍ଥାଗୁଡ଼ିକର ପ୍ରଭାବକୁ ଆଇନାନୁମୋଦିତ କରିଦେବ ଏବଂ ସେମାନେ ଭାରତୀୟ ରାଜନୀତିରେ ସେମାନଙ୍କ ପୁଞ୍ଜିନିବେଶ କରିବାର ସୁଯୋଗ ପାଇବେ। କିନ୍ତୁ ଗୋଟିଏ ବାଧା ହେଲା ଏଥିରେ ଆର୍‌ବିଆଇର ଅନୁମୋଦନ ଦରକାର। ଉକ୍ତ ବେନାମୀ ଦାନକୁ ଆଇନାନୁମୋଦିତ କରିବାକୁ ହେଲେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆକ୍ଟର ସଂଶୋଧନ ଦରକାର ବୋଲି ବରିଷ୍ଠ ଟ୍ୟାକ୍ସ ଅଧିକାରୀ ଜାନୁୟାରୀ ୨୮, ୨୦୧୭ରେ ଅର୍ଥ ମନ୍ତ୍ରଣାଳୟରେ ଥିବା ତାଙ୍କ ଉପରିସ୍ଥ ଅଧିକାରୀଙ୍କ ପାଖକୁ ଲେଖିଥିଲେ। ସେ ପ୍ରସ୍ତାବିତ ସଂଶୋଧନର ଚିଠା ପ୍ରସ୍ତୁତ କରି ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ ପାଇଁ ପଠାଇଥିଲେ। ସେହିଦିନ ୧ଟା ୪୫ ମିନିଟରେ ଉକ୍ତ ଅଧିକାରୀ ଜଣକ ଆର୍‌ବିଆଇର ଡେପୁଟି ଗଭର୍ନରଙ୍କ ପାଖକୁ ଏକ ପାଞ୍ଚଧାଡ଼ିଆ ଇମେଲ ପଠାଇ ତାଙ୍କର ମତାମତ ଲୋଡ଼ିଥିଲେ। ଜାନୁୟାରୀ ୩୦ରେ ଏ ସମ୍ପର୍କରେ ଆର୍‌ବିଆଇର ମତାମତ ମିଳିଥିଲା। ଆର୍‌ବିଆଇ କହିଥିଲା ଯେ ଆର୍‌ବିଆଇ ଆକ୍ଟର ସଂଶୋଧନ କରି ଇଲେକ୍ଟୋରାଲ ବଣ୍ଡ୍‌କୁ ଆଇନାନୁମୋଦିତ କରାଗଲେ ତାହା ଏକ ଖରାପ ପରମ୍ପରା ସୃଷ୍ଟି କରିବ। ତାହା ଭାରତୀୟ ବ୍ୟାଙ୍କନୋଟ୍‌ ଉପରେ ଥିବା ବିଶ୍ୱାସକୁ ନଷ୍ଟ କରିବା ସହ ମନିଲଣ୍ଡରିଂକୁ ପ୍ରୋତ୍ସାହନ ଦେବ ଏବଂ କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ମୂଳ ନୀତିକୁ ନଷ୍ଟ କରିବ।
ଆର୍‌ବିଆଇର କହିବା ଅନୁସାରେ ଇଲେକ୍ଟୋରାଲ ବଣ୍ଡ୍‌ ହେଉଛି ଏକପ୍ରକାର ‘ବିୟରର୍‌ ବଣ୍ଡ୍‌’- ଏକ ମାରାତ୍ମକ ଅସ୍ବଚ୍ଛ ଆର୍ଥିକ ଉପକରଣ, ଯେଉଁଥିରେ ତା’ର ଦାତାଙ୍କ ନାମ ଗୋପନ ରହିଥାଏ। ବିୟରର୍‌ ଉପକରଣଗୁଡ଼ିକ ଭଙ୍ଗାଇଲେ ତାହା ମୁଦ୍ରାରେ ପରିଣତ ହୋଇଥାଏ ଏବଂ ତାହାର ପରିମାଣ ଯଦି ଉଲ୍ଲେଖନୀୟ ହୁଏ, ତେବେ ତାହା ଆର୍‌ବିଆଇ ଇସ୍ୟୁ କରୁଥିବା ବ୍ୟାଙ୍କନୋଟ୍‌ ଉପରୁ ଭରସା କମାଇଦେବ। କିଏ ରାଜନୈତିକ ଦଳଗୁଡ଼ିକୁ ଟଙ୍କା ଦେଲେ ଏହି ବଣ୍ଡ୍‌ରୁ ତାହା ଜଣାପଡ଼ିବ ନାହିଁ। ଆର୍‌ବିଆଇଠାରୁ ଏପରି ପ୍ରତିକୂଳ ମତାମତ ପାଇବା ପରେ ସରକାର ନିଜ ଯୋଜନାକୁ ସ୍ଥଗିତ ରଖିବା କଥା। କିନ୍ତୁ ଏ ସମ୍ପର୍କରେ ମୋଦି ସରକାରଙ୍କ ତୁଙ୍ଗ କର୍ମକର୍ତ୍ତାମାନେ ନିଷ୍ପତ୍ତି ନେଇସାରିଥିଲେ। ଆର୍‌ବିଆଇର ଉଦ୍‌ବେଗକୁ ତତ୍କାଳୀନ ରାଜସ୍ବ ସଚିବ ହସମୁଖ ଆଧିଆ ସେହିଦିନ ହିଁ ଏକ ଛୋଟ ପାରାଗ୍ରାଫ୍‌ ମାଧ୍ୟମରେ ଅଗ୍ରାହ୍ୟ କରିଦେଇଥିଲେ। ଆଧିଆ ଅର୍ଥ ବ୍ୟାପାର ସଚିବ ତପନ ରାୟ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପାଖକୁ ଉକ୍ତ ପାରାଗ୍ରାଫ୍‌ରେ ଲେଖିଥିଲେ ଯେ, ଦାତାଙ୍କ ନାମ ଗୋପନ ରଖିବାର ଉଦ୍ଦେଶ୍ୟ ଆର୍‌ବିଆଇ ଠିକ୍‌ଭାବେ ବୁଝିପାରି ନାହିଁ। ଦାତାଙ୍କ ପୂର୍ଣ୍ଣ ଟିକସ ପଇଠ ହୋଇଥିବା ଅର୍ଥରୁ ହିଁ ଏହି ଦାନ ଦିଆଯିବାର ବ୍ୟବସ୍ଥା ଅଛି ବୋଲି ସେ ଉଲ୍ଲେଖ କରିଥିଲେ। ଆର୍‌ବିଆଇର ମତକୁ ଖଣ୍ଡନ କରିବା ପାଇଁ ଯଥେଷ୍ଟ ଯୁକ୍ତି ପ୍ରଦାନ କରିବା ବଦଳରେ ତାଙ୍କ ନୋଟ୍‌ ଜଣାଇଦେଉଥିଲା ଯେପରି ସରକାର ଉକ୍ତ ବିରୁଦ୍ଧ ମତ ପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି।
ଫାଇନାନ୍ସ ବିଲ୍‌ ଛପା ସରିବା ପରେ ଆର୍‌ବିଆଇର ମତାମତ ପହଞ୍ଚିଛି, ତେଣୁ ସରକାର ନିଜ ପ୍ରସ୍ତାବରେ ଆଗକୁ ଯାଇପାରିବେ ବୋଲି ଆଧିଆ ଯାହା ଲେଖିଛନ୍ତି ତାହା ଠିକ୍‌ ନୁହେଁ, କାରଣ ମତାମତ ଦେବା ପାଇଁ ଆର୍‌ବିଆଇକୁ ଯେଉଁଦିନ ଲେଖାଯାଇଥିଲା, ଠିକ୍‌ ସେହିଦିନ ହିଁ ଆର୍‌ବିଆଇ ତା’ର ମତାମତ ଦେଇଥିଲା ଏବଂ ଉକ୍ତଦିନ ହିଁ ତାଙ୍କ ସହକର୍ମୀ ଆଧିଆଙ୍କ ସହ ଏକମତ ହେଲେ। ବିଦ୍ୟୁତ୍‌ ଗତିରେ ଫାଇଲ ଦୌଡ଼ିଲା ଏବଂ ଅର୍ଥମନ୍ତ୍ରୀ ଜେଟ୍‌ଲୀ ସଙ୍ଗେ ସଙ୍ଗେ ଚିଠା ପ୍ରସ୍ତାବ ଉପରେ ଦସ୍ତଖତ କରିଦେଲେ। ତା’ର ଦୁଇଦିନ ପରେ ରାଜନୈତିକ ପାଣ୍ଠି ଯୋଗାଣରେ ସ୍ବଚ୍ଛତା ଆଣିବା ପାଇଁ ଜେଟ୍‌ଲୀ ଇଲେକ୍ଟୋରାଲ ବଣ୍ଡ ସୃଷ୍ଟି ଓ ଆର୍‌ବିଆଇ ଆକ୍ଟର ସଂଶୋଧନ ଲାଗି ପ୍ରସ୍ତାବ ଦେଇଥିଲେ। ତା’ ପର ମାସରେ ଫାଇନାନ୍ସ ବିଲ୍‌ ୨୦୧୭ ଗୃହୀତ ହୋଇ ପ୍ରସ୍ତାବ ଆଇନରେ ପରିଣତ ହେଲା।
ସୁତରାଂ ଆର୍‌ବିଆଇ ଆଇନକୁ ବଦଳାଇ ଓ ଅନ୍ୟ ସଂଶୋଧନ କରି ତରବରିଆ ଭାବେ ନୂତନ ଆଇନ ପ୍ରଣୀତ ହେଲା, ଯାହା ଭାରତୀୟ ରାଜନୈତିକ ଦଳଗୁଡ଼ିକ ଲାଗି ବିଶେଷତଃ ଭାରତୀୟ ଜନତା ପାର୍ଟି (ଭାଜପା) ନିମନ୍ତେ ଛପର-ଫଡ଼ା ଆୟର ବାଟ ସୁଗମ କରିଦେଲା। ଅତୀତରେ କର୍ପୋରେଟ୍‌ଗୁଡ଼ିକ ରାଜନୈତିକ ଦଳଗୁଡ଼ିକୁ ଯାହା ଦାନ ଦେଉଥିଲେ ତାହା ତାଙ୍କ ଆନୁଆଲ୍‌ ଷ୍ଟେଟ୍‌ମେଣ୍ଟରେ ଉଲ୍ଲେଖ କରିବାକୁ ପଡ଼ୁଥିଲା। ତା’ଛଡ଼ା ସେମାନେ ତାଙ୍କ ତିନିବର୍ଷର ହାରାହାରି ବାର୍ଷିକ ଲାଭର ୭.୫ ପ୍ରତିଶତରୁ ଅଧିକ ଦେଇପାରୁ ନ ଥିଲେ। ବିଦେଶୀ କମ୍ପାନୀମାନେ ଭାରତୀୟ ରାଜନୈତିକ ଦଳଗୁଡ଼ିକୁ ଆଦୌ ଦାନ କରିପାରୁ ନ ଥିଲେ। କିନ୍ତୁ ଭାଜପା ନେତୃତ୍ୱାଧୀନ ସରକାରଙ୍କ ଉକ୍ତ ସଂଶୋଧନ ସେ ସବୁକିଛିକୁ ବଦଳାଇଦେଲା।
ଶେଲ୍‌ କମ୍ପାନୀଗୁଡ଼ିକ, ଯାହାଙ୍କର ନିର୍ଦ୍ଦିଷ୍ଟ କିଛି ବ୍ୟବସାୟ ନାହିଁ, ବ୍ୟକ୍ତି ତଥା ଅନ୍ୟ ଆଇନଗତ ସଂସ୍ଥା ଯଥା ଟ୍ରଷ୍ଟଗୁଡ଼ିକ ମଧ୍ୟ ଏବେ ବେନାମୀ ଭାବେ ଅସୀମିତ ପରିମାଣର ଇଲେକ୍ଟୋରାଲ ବଣ୍ଡ୍‌ କିଣି ଚୁପ୍‌ଚାପ ନିଜ ପସନ୍ଦର ରାଜନୈତିକ ଦଳଗୁଡ଼ିକୁ ଦେଇପାରିବେ। ଏବେ ବିଦେଶୀ କମ୍ପାନୀଗୁଡ଼ିକ ମଧ୍ୟ ଭାରତୀୟ ରାଜନୀତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଇପାରିବେ।
ବର୍ତ୍ତମାନ ଅବସରପ୍ରାପ୍ତ ନାଭାଲ୍‌ ଅଫିସର କମୋଡୋର ଲୋକେଶ ବାତ୍ରାଙ୍କ ଦ୍ୱାରା ପ୍ରଦତ୍ତ ଦଲିଲ ଅନୁସାରେ ଇଲେକ୍ଟୋରାଲ ବଣ୍ଡ୍‌ର ବୈଧତାକୁ ସୁପ୍ରିମ୍‌କୋର୍ଟ ଯାଞ୍ଚ କରୁଛନ୍ତି। ବାତ୍ରା ଏଥିରେ ଦର୍ଶାଇଛନ୍ତି କିପରି ଭାରତୀୟ ଅର୍ଥ ବ୍ୟବସ୍ଥା ଓ ବ୍ୟାଙ୍କଗୁଡ଼ିକର ଅଭିଭାବକ ଭାରତୀୟ ରିଜର୍ଭ ବ୍ୟାଙ୍କର ପରାମର୍ଶକୁ ମୋଦି ସରକାର ଉପେକ୍ଷା ଓ ଅଗ୍ରାହ୍ୟ କରି ତରବରିଆ ଭାବେ ଆଇନ ପାସ୍‌ କରିଛନ୍ତି, ଯାହାଦ୍ୱାରା କେବଳ ଭାରତୀୟ ନୁହେଁ ବିଦେଶୀ କମ୍ପାନୀମାନେ ମଧ୍ୟ ବେନାମୀ ଭାବେ ରାଜନୈତିକ ଦଳଗୁଡ଼ିକୁ ଦାନ କରିପାରିବେ।
ସରକାର ଇଲେକ୍ଟୋରାଲ ବଣ୍ଡ୍‌ ଉପରେ ଆର୍‌ବିଆଇର ପ୍ରାରମ୍ଭିକ ପ୍ରତିବାଦକୁ କେବଳ ଅଗ୍ରାହ୍ୟ କରିନାହାନ୍ତି, ବରଂ ଉକ୍ତ ସ୍କିମ୍‌ ଦ୍ୱାରା ଯେପରି କମ୍‌ ପ୍ରବଞ୍ଚନା ଘଟେ ଓ ଭାରତୀୟ ମୁଦ୍ରା ଅସ୍ଥିର ହେବାର କମ୍‌ ସମ୍ଭାବନା ରହେ, ତାହା ଉପରେ ବ୍ୟାଙ୍କ ଯେଉଁ ପ୍ରସ୍ତାବ ଦେଇଥିଲା, ତାକୁ ମଧ୍ୟ ଅଣଦେଖା କରିଛନ୍ତି।
ଅର୍ଥ ମନ୍ତ୍ରଣାଳୟ ଏକ ଇମେଲ୍‌ ମାଧ୍ୟମରେ ହଫ୍‌ପୋଷ୍ଟ ଇଣ୍ଡିଆକୁ କହିଛନ୍ତି ଯେ, ଏହା ନିର୍ଦ୍ଦିଷ୍ଟ ପ୍ରଶ୍ନର ବିଶଦ ଉତ୍ତର ଦେଇପାରିବ ନାହିଁ କାରଣ ଏହା ଆସନ୍ତାବର୍ଷର ବଜେଟ ପ୍ରସ୍ତୁତିରେ ବ୍ୟସ୍ତ ଅଛି। ମନ୍ତ୍ରଣାଳୟ ପୁଣି କହିଛି ଯେ, ସରଳ ବିଶ୍ୱାସରେ ସବୁ ନିଷ୍ପତ୍ତି ନିଆଯାଇଛି। ଇମେଲ ମାଧ୍ୟମରେ ଯେଉଁ ପ୍ରସଙ୍ଗଗୁଡ଼ିକ ଉଠାଯାଇଥିଲା, ସେଗୁଡ଼ିକ ତତ୍କାଳୀନ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା ନୀତିଗତ ନିଷ୍ପତ୍ତି ସମ୍ପର୍କରେ। ଏହି ପରିପ୍ରେକ୍ଷୀରେ ଉଲ୍ଲେଖନୀୟ ଯେ, ସରକାରୀ ସଂସ୍ଥାଗୁଡ଼ିକର ସବୁ ନିଷ୍ପତ୍ତି ସରଳ ବିଶ୍ୱାସରେ ଏବଂ ବୃହତ୍ତର ଜନସ୍ବାର୍ଥରେ ନିଆଯାଇଥାଏ। ବିଭିନ୍ନ ଦୃଷ୍ଟିକୋଣରୁ କୌଣସି ନିଷ୍ପତ୍ତିର ବ୍ୟାଖ୍ୟା କରାଯାଇପାରେ। ତେଣୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଯେଉଁସବୁ ଦିଗକୁ ବିଚାରକୁ ନିଆଯାଇଥିଲା ତାହାର ଏକ ଉପଯୁକ୍ତ ସ୍ପଷ୍ଟୀକରଣ ଦିଆଯିବା ଉଚିତ।
(ସୌଜନ୍ୟ: ହଫିଙ୍ଗ୍‌ଟନ୍‌ପୋଷ୍ଟ.ଇନ୍‌)


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri