Categories: ଖେଳ

ଇର୍ଫାନ, ୧୦୦ ଅନ୍ୟ କ୍ରିକେଟରଙ୍କୁ ଜମ୍ମୁ-କଶ୍ମୀର ଛାଡିଯିବାକୁ କୁହାଗଲା

ନୂଆଦିଲ୍ଲୀ,୪।୮: ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନ ଓ ୧୦୦ ଅନ୍ୟ କ୍ରିକେଟରଙ୍କୁ ଜମ୍ମୁ-କଶ୍ମୀର ଯଥାଶୀଘ୍ର ଛାଡିଯିବାକୁ କୁହାଯାଇଛି। କାଶ୍ମୀର ଉପତ୍ୟାକାରେ ଦେଖାଦେଇଥିବା ହିଂସା ଜନିତ ଅସ୍ଥିରତାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ତରଫରୁ ସିକ୍ୟୁରିଟି ଆଡଭାଇଜରୀ ବା ସୁରକ୍ଷା ଜନିତ ପରାମର୍ଶ ଜାରି କରାଯିବା ପରେ ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏଶନ (ଜେକେସିଏ) ତରଫରୁ ଇର୍ଫାନ ଓ ଅନ୍ୟମାନଙ୍କୁ ରାଜ୍ୟ ଛାଡିଯିବାକୁ ଅନୁରୋଧ କରାଯାଇଛି। ଇର୍ଫାନ ଜାମ୍ମୁ-କଶ୍ମୀର ଦଳରେ ଜଣେ ଖେଳାଳି ଓ ପରାମର୍ଶ ଦାତା ରୂପେ ସାମିଲ ହୋଇଛନ୍ତି। କୋଚ୍‌ ମିଲାପ ମଓ୍ବୋଡ଼ା ଓ ଟ୍ରେନର ସୁଦର୍ଶନ ଭିପିଙ୍କୁ ରବିବାର ସୁଦ୍ଧା ରାଜ୍ୟ ଛାଡିଯିବେ ବୋଲି ଆଶା କରାଯାଉଛି। ସମସ୍ତଙ୍କୁ ନିଜନିଜ ସ୍ଥାନକୁ ଫେରିବାକୁ କୁହାଯାଇଛି ବୋଲି ଜେକେସିଏ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୟଦ ଆଶିକ ହୁସେନ ବୁଖାରୀ କହିଛନ୍ତି। କେବଳ ସେତିକି ନୁହଁ ଜେକେସିଏ ତା’ର ସବୁ ପ୍ରକାର କ୍ରିକେଟ ଜନିତ କାର୍ଯ୍ୟକଳାପକୁ ବାତିଲ କରିଛି। ବିଭିନ୍ନ ବୟସ ବର୍ଗର ୧୦୦ରୁ ଊର୍ଦ୍ଧ୍ୱ କ୍ରିକେଟରଙ୍କୁ ଶ୍ରୀନଗର ସ୍ଥିତ ଶେର- ଇ- କାଶ୍ୱୀର ଷ୍ଟାଡିୟମ ଛାଡିଯିବାକୁ କୁହାଯାଇଛି। ଷ୍ଟାଡିୟମରେ ଏହି କ୍ରିକେଟରମାନେ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ। ଆଗକୁ ଦେଶର ଘରୋଇ କ୍ରିକେଟ ସେସନ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏଭଳି ପରସ୍ଥିତିରେ ଜାମ୍ମୁକଶ୍ମୀର କ୍ରିକେଟ କ୍ଷତି ସହିବ ବୋଲି ଆଶଙ୍କା କରାଯାଉଛି। ଆସନ୍ତା ୧୭ ତାରିଖରୁ ଦୁଲୀପ ଟ୍ରଫି ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ। ପୁଣି ଡିସେମ୍ବର ୯ ତାରିଖରୁ ରଣଜୀ ଟ୍ରଫି ଲିଗ୍‌ ରାଉଣ୍ଡ ଆରମ୍ଭ ହେବ। ଏନେଇ କଶ୍ମୀର ବାସି ଆଶଙ୍କାରେ ରହିଛନ୍ତି।

Share