ଇରାନ ଉପରେ ନୂଆ କଟକଣା

ଓ୍ବାଶିଂଟନ,୧୧ା୧ (ପି.ଟି.): ଇରାକସ୍ଥିତ ଆମେରିକାର ସେନା ଶିବିରକୁ ମିଶାଇଲ ମାଡ଼ ପରେ ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ ଇରାନ ଉପରେ ନୂଆ କଟକଣା ଲଗାଯାଇଛି। ଆମେରକା ପରରାଷ୍ଟ୍ର ସଚିବ ମାଇକ ପମ୍ପିଓ ଏବଂ ଟ୍ରେଜେରି ସେକ୍ରେଟାରି ଷ୍ଟିଭେନ ମଚିନ ଓ୍ବାଶିଂଟନରେ ଶୁକ୍ରବାର ଏହା ଘୋଷଣା କରିଛନ୍ତି।
ଆମେରିକା ପକ୍ଷରୁ କୁହାଯାଇଛି ଯେ ଏହି ନୂଆ କଟକଣା ଇରାନର ୮ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଜାରି କରାଯାଇଛି। ଏମାନେ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ସୃଷ୍ଟି ସହ ମଙ୍ଗଳବାର ଏୟାର ଷ୍ଟ୍ରାଇକ୍‌ କରାଇଥିଲେ। ଇରାନର ବୟନ, ନିର୍ମାଣ, ଉତ୍ପାଦନ କିମ୍ବା ଖଣି କ୍ଷେତ୍ରରେ ସମ୍ପୃକ୍ତ ଥିବା ଯେକୌଣସି ବ୍ୟକ୍ତିଙ୍କ ଉପରେ କଟକଣା ଲାଗୁ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ଏକ୍‌ଜିକ୍ୟୁଟିଭ୍‌ ଅର୍ଡର ଜାରି କରିବେ। ସେହିପରି ଇସ୍ପାତ ଓ ଲୌହ କ୍ଷେତ୍ର ବିରୋଧରେ ମଧ୍ୟ ପୃଥକ୍‌ କଟକଣା ଜାରି କରାଯିବ। ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଆମେ ଇରାନକୁ ମିଳୁଥିବା କୋଟି କୋଟି ଡଲାର ସହାୟତା ବନ୍ଦ କରିଦେବୁ ବୋଲି ଷ୍ଟିଭେନ ମଚିନ କହିଛନ୍ତି। ପ୍ରକାଶ ଯେ, ଗତ ୩ ତାରିଖରେ ବାଗଦାଦ ବିମାନବନ୍ଦରରେ ଇରାନର ରିଭୋଲ୍ୟୁଶନାରି ଗାର୍ଡ ଜେନେରାଲ କାସିମ ସୋଲେମାନୀଙ୍କୁ ଡ୍ରୋନ୍‌ ଆକ୍ରମଣରେ ଆମେରିକା ହତ୍ୟା କରିଥିଲା। ଏହାର ସପ୍ତାହେ ନ ପୂରୁଣୁ ଇରାନ ଆମେରିକା ସେନାଘାଟିକୁ ଟାର୍ଗେଟ କରିଥିଲା।

Share