ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ
ତେହରାନ,୨୬।୮: ଗୋଟିଏ ଦେଶର ଏଭଳି ଏକ ସହର ରହିଛି ଯେଉଁଠାରେ ଆମ୍ବୁଲାନ୍ସକୁ ଲୋକେ ବାଟ ଛାଡୁ ନାହାନ୍ତି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ କଥାଟି ସତ। ଏହା ପଛରେ ଏକ ବଡ଼ କାରଣ ରହିଛି। ଇରାନର ତେହରାନ ସହରରେ ପ୍ରତିଦିନ ଭୟଙ୍କର ରାସ୍ତାଜାମ୍‌ ହୋଇଥାଏ। ମାତ୍ର ୧୦ ମିନିଟ୍‌ର ରାସ୍ତା ପାର ହେବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ। ଫଳରେ ନିର୍ଦ୍ଧାରିତ ସମୟ ଅନୁସାରେ କେହି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରୁ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ହେଲେ ଏବେ ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ ଉକ୍ତ ଦେଶର ଧନୀବ୍ୟକ୍ତି ଓ ସେଲିବ୍ରିଟିମାନେ ଏକ ସରଳ ଉପାୟ ବାହାର କରିଛନ୍ତି। ନିଜ କାର୍ଯ୍ୟ ପାଇଁ ବେସରକାରୀ ଆମ୍ବୁଲାନ୍ସର ଦୂରୁପଯୋଗ କରି ଏହାକୁ ଟ୍ୟାକ୍ସି ଭଳି ବ୍ୟବହାର କରୁଛନ୍ତି। ସୂଚନାଯୋଗ୍ୟ, ତେହରାନର ଜନସଂଖ୍ୟା ୧କୋଟି ୪୦ ଲକ୍ଷ୍ୟ ରହିଛି। ସହରରେ ଅନିୟନ୍ତ୍ରିତ ନିର୍ମାଣଧିନ ଓ ବିକାଶ ଯୋଗୁ ଏଠାରେ ଘଣ୍ଟା ଘଣ୍ଟା ଧରି ରାସ୍ତାଜାମ୍‌ ହୋଇଥାଏ। ଏଥିପାଇଁ ଏହି ସହରକୁ ଏବେ ଦେଶର ସବୁଠାରୁ ଖରାପ୍‌ ସହରର ବୋଲି ବିବେଚନା କରାଯାଉଛି। ନିକଟରେ ଜଣେ ପ୍ରସିଦ୍ଧ ଫୁଟବଲ୍‌ ଖେଳାଳି ନାଜୀ ବେସରକାରୀ ଆମ୍ବୁଲାନ୍ସ ସର୍ଭିସକୁ ଫୋନ କରି ଡକାଇଥିଲେ। ଏଥିସହ ତାଙ୍କ ଘରେ କେହି ଅସୁସ୍ଥ ନାହାନ୍ତି କହିବା ସହ ସେ ଆମ୍ବୁଲାନ୍ସକୁ ଟ୍ୟାକ୍ସି ଭଳି ବ୍ୟବହାର କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଏହି ଘଟଣା ସର୍ବସମ୍ମୁଖରେ ଆସିବା ପରେ ଅଭିନେତା, ଖେଳାଳି, ଓ ଧନୀ ବ୍ୟକ୍ତିଙ୍କ ସମେତ ଅନ୍ୟଲୋକମାନେ ଏଭଳି କଲ୍‌ କରି ସେମାନଙ୍କୁ ଡାକିଥାନ୍ତି ବୋଲି ନାଜୀ ବେସରକାରୀ ଆମ୍ବୁଲାନ୍ସ ସର୍ଭିସର କର୍ମଚାରୀ କହିଛନ୍ତି। ଅନ୍ୟପଟେ ସହରରେ ଏହି ମାମଲା ବୃଦ୍ଧି ପାଉଥିବା ବେଳେ ଜରୁରୀ ସେବା ଆବଶ୍ୟକ ହେଉଥିବା ଆମ୍ବୁଲାନ୍ସକୁ ଲୋକେ ଆଉ ବାଟ ଛାଡ଼ୁନାହାନ୍ତି। ଏହାପରେ ସହରର ଜଣେ ଆଇନଜୀବୀ ଏନେଇ ପୋଲିସରେ ଏକ ମାମଲା ରୁଜୁ କରିବା ସହ ଆମ୍ବୁଲାନ୍ସ ଅପବ୍ୟବହାରକାରୀଙ୍କୁ ଚୟନ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି।

Share