ଇରାକରେ ସରକାର ବିରୋଧୀ ବିକ୍ଷୋଭ ଜୋରଦାର: ଇସ୍ତଫା ଦେବେ ପ୍ରଧାନମନ୍ତ୍ରୀ ମେହଦି

ବାଗଦାଦ୍‌,୧ା୧୨: ଇରାକ୍‌ରେ ଅକ୍ଟୋବରରୁ ଲାଗିରହିଥିବା ସରକାର ବିରୋଧୀ ବିକ୍ଷୋଭ କ୍ରମେ ଅଧିକ ସହରକୁ ବ୍ୟାପିଚାଲିଛି। ବିକ୍ଷୋଭ ହିଂସାରେ ୩୫୪ ଲୋକଙ୍କ ଜୀବନ ଗଲାଣି ଓ ୮୦୦୦ରୁ ଊର୍ଦ୍ଧ୍ୱ ଆହତ ହେଲେଣି। ଚାପରେ ପଡ଼ି ପ୍ରଧାନମନ୍ତ୍ରୀ ଆଦେଲ ଅବଦୁଲ ମେହଦି ଇସ୍ତଫା ଦେବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏହା ସତ୍ତ୍ୱେ ଆନ୍ଦୋଳନ କମିବା ନାଁ ନେଉନାହିଁ। ଶନିବାର ବାଗ୍‌ଦାଦ ସମେତ ଦକ୍ଷିଣ ଇରାକର ବିଭିନ୍ନ ସହରରେ ବିକ୍ଷୋଭ କରାଯାଇଥିଲା।
ଇରାକରେ ବ୍ୟାପୁଥିବା ଦୁର୍ନୀତିକୁ ନେଇ ଦୀର୍ଘଦିନ ହେଲା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଏଥିସହିତ ଇରାକ ରାଜନୀତିରେ ଇରାନର ପ୍ରଭାବ ଅସନ୍ତୋଷକୁ ଆହୁରି ବଢ଼ାଇ ଦେଇଥିଲା। ଲେବାନନ୍‌ରେ ସରକାର ବିରୋଧୀ ଆନ୍ଦୋଳନ ଯୋଗୁ ପ୍ରଧାନମନ୍ତ୍ରୀ ଅକ୍ଟୋବରରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଇରାନରେ ମଧ୍ୟ ତୈଳ ଦର ବୃଦ୍ଧିକୁ ନେଇ କିଛି ସପ୍ତାହ ହେଲା ଆନ୍ଦୋଳନ ଓ ଦଙ୍ଗା ଲାଗି ରହିଛି। ଏହାର ପ୍ରଭାବ ଇରାକ ଉପରେ ପଡିଥିଲା। ଇରାକବାସୀ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ। ଇରାକ୍‌ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଘୋଷଣା ଇରାନ ପାଇଁ ବଡ଼ ଝଟ୍‌କା ବୋଲି କୁହାଯାଉଛି। କାରଣ ୨୦୧୮ରେ ମେହଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ଇରାନ କଥାରେ ପରିଚାଳିତ ହେଉଥିଲେ ବୋଲି ସେଠାକାର ଏକ ଗୋଇନ୍ଦା ରିପୋର୍ଟରୁ ଜଣାପଡିଛି। ମେହଦି ଇରାନ ସହ ଇରାନ ସହ ଜଡିତ ଏକ ବୃହତ୍‌ ଶିହା ଦଳର ସଦସ୍ୟ ଭାବେ ସେ ଅନେକ ବର୍ଷ କାର୍ଯ୍ୟ କରିଥିଲେ।
ମେହଦି ଇସ୍ତଫା ଘୋଷଣା କରିବା ପରେ ବାଗଦାଦର ତହରିର୍‌ ସ୍କୋୟାରରେ ଆନ୍ଦୋଳନକାରୀ ଉତ୍ସବ ପାଳନ କରିଥିଲେ। ଗୁରୁବାର ଇରାନ ବାଣିଜି୍ୟକ ଦୂତାବାସ ଉପରେ ବିକ୍ଷୋଭକାରୀଙ୍କ ଆକ୍ରମଣ ଯୋଗୁ ୪୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଇରାକ୍‌ରେ ଆନ୍ଦୋଳନ ଆରମ୍ଭ ହେବା ଦିନଠାରୁ ଆଜିପର୍ଯ୍ୟନ୍ତ ୩୫୪ ଜଣଙ୍କ ମୃତ୍ୟୁ ଘଟିଥିବା ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତଙ୍କ ପକ୍ଷରୁ କୁହାଯାଇଥିଲେ ହେଁ ପ୍ରକୃତ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଅଧିକାଂଶ ରିପୋର୍ଟରେ କୁହାଯାଇଛି। ରାଜନୈତିକ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦାବି କରି ବାଗଦାଦ୍‌ ଓ ସମଗ୍ର ଦକ୍ଷିଣ ଇରାକର ଯୁବସମାଜ ଓ ଗରିବ ଲୋକମାନେ ରାସ୍ତାକୁ ଓହ୍ଲାଇଥିଲେ। ଲାଇସେନ୍ସ, ଠିକାଦାରି, ଚାକିରି ସବୁଥିରେ ଉତ୍କୋଚ ଦେବାକୁ ପଡୁଥିବାରୁ ଏଭଳି ରାଜନୈତିକ ଦଳର ଉଚ୍ଛେଦ ସେମାନେ ଦାବି କରିଥିଲେ। ଏପରିକି ସିକ୍ୟୁରିଟି ଗାର୍ଡ ଭଳି ନିମ୍ନ ପଦବୀ ପାଇଁ ଆବେଦନ କଲେ ୫୦୦୦ ଡଲାର ଦେବାକୁ ସମ୍ପୃକ୍ତ ଦଳ ପକ୍ଷରୁ ଦାବି କରାଯାଉଥିବା ଅଭିଯୋଗ ହୋଇଛି।

Share