ଇମ୍ରାନ୍‌ଙ୍କୁ ଭାରତର ଆଣବିକ ଅସ୍ତ୍ର ଭୟ

ଇସ୍‌ଲାମାବାଦ,୧୯ା୮:ଭାରତର ଆଣବିକ ଅସ୍ତ୍ର ପ୍ରୟୋଗ ନୀତିରେ ସମ୍ଭାବ୍ୟ ପରିବର୍ତ୍ତନକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଛାନିଆ ହୋଇଯାଇଛନ୍ତି। ନରେନ୍ଦ୍ର ମୋଦି ସରକାରଙ୍କ ଅଧୀନରେ ଭାରତର ଆଣବିକ ଅସ୍ତ୍ରଶସ୍ତ୍ର ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କାବ୍ୟକ୍ତ କରିବା ସହ ବିଶ୍ୱ ସମୁଦାୟ ଏହାକୁ ନେଇ ଗମ୍ଭୀରତା ସହ ଚିନ୍ତାକରୁ ବୋଲି ସେ ଅନୁରୋଧ କରିଛନ୍ତି।
ଭାରତ କୌଣସି ରାଷ୍ଟ୍ର ଉପରେ ପ୍ରଥମେ ଆଣବିକ ଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ଅଦ୍ୟାବଧି ପ୍ରତିଶ୍ରୁତିବଦ୍ଧ ଥିବାବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଏହି ‘ନୋ ଫାଷ୍ଟ ୟୁଜ୍‌’ (ଏନ୍‌ଏଫ୍‌ୟୁ) ନୀତିରେ ପରିବର୍ତ୍ତନର ସଙ୍କେତ ଦେଇଥିଲେ। ଭାରତ ଆଗକୁ ପ୍ରଥମେ ଆଣବିକ ଅସ୍ତ୍ର ବ୍ୟବହାର କରିବ କି ନାହିଁ ତାହା ପରିସ୍ଥିତି ଉପରେ ନିର୍ଭର କରେ ବୋଲି ପୋଖରାନ୍‌ରୁ ରାଜନାଥ ପରୋକ୍ଷରେ ପାକିସ୍ତାନକୁ ଚେତାବନୀ ଦେଇଥିଲେ। ଏହାକୁ ନେଇ ଚିନ୍ତିତ ଇମ୍ରାନ୍‌ ରବିବାର କହିଛନ୍ତି, ଭାରତର ଆଣବିକ ଅସ୍ତ୍ରଶସ୍ତ୍ରର ସୁରକ୍ଷା ଓ ନିରାପତ୍ତା ଏବେ ଫାସିବାଦୀ ହିନ୍ଦୁତ୍ୱବାଦୀ ନରେନ୍ଦ୍ର ମୋଦି ସରକାର ଅଧୀନରେ ରହିଛି। ଅନ୍ତର୍ଜାତୀୟ ସମୁଦାୟ ଏହାକୁ ନେଇ ବିଚାର କରନ୍ତୁ। କାରଣ ଏହା ଏପରି ଏକ ପ୍ରସଙ୍ଗ, ଯାହା କେବଳ ସମ୍ପୃକ୍ତ କ୍ଷେତ୍ରକୁ ନୁହେଁ, ବରଂ ସମଗ୍ର ବିଶ୍ୱକୁ ପ୍ରଭାବିତ କରିବ ବୋଲି ଇମ୍ରାନ୍‌ ଟୁଇଟ୍‌ କରିଛନ୍ତି। ନିଜକୁ ଆଣବିକ ଅସ୍ତ୍ରସମ୍ପନ୍ନ ରାଷ୍ଟ୍ର ବୋଲି ଭାରତକୁ ସବୁବେଳେ ଯୁଦ୍ଧଭୟ ଦେଖାଉଥିବା ପାକିସ୍ତାନ କେତେ ଭୟଭୀତ ସେଠାକାର ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟରୁ ତାହା ସ୍ପଷ୍ଟ ହେଉଛି।

Share