ଇମ୍ରାନଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ବିକ୍ଷୋଭ ଡାକରା

କରାଚୀ, ୨୦ା୧୦ (ପି.ଟି.): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ହଟାଇବା ଲାଗି ବିରୋଧୀ ଦଳ ନେତା ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ମୁଖ୍ୟ ବିଲାଓ୍ବଲ ଭୁଟ୍ଟୋ- ଜର୍ଦ୍ଦାରୀ ବିକ୍ଷୋଭ ଡାକରା ଦେଇଛନ୍ତି। ଦେଶରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ଓ ଲୋକଙ୍କ ଆସ୍ଥାଭାଜନ ଲାଗି ଇମ୍ରାନ୍‌ ତୁରନ୍ତ ଇସ୍ତଫା ଦେବାକୁ ବିଲାଓ୍ବଲ ଦାବି କରିଛନ୍ତି। କରାଚୀରେ ଦଳୀୟ ରାଲିକୁ ସମ୍ବୋଧନ କରି ସେ ସବୁ ବିରୋଧୀ ଦଳ ଏହା ଚାହୁଁଥିବା ପ୍ରକାଶ କରିଛନ୍ତି। ୨୩ରେ ଥର୍‌, ୨୬ରେ ସିନ୍ଧ୍‌ ଓ ନଭେମ୍ବର ୧ରେ ପଞ୍ଜାବରେ ଇମ୍ରାନ୍‌ ହଟାଓ ରାଲି କରାଯାଇ ସରକାର ବିରୋଧୀ ବିକ୍ଷୋଭକୁ ଜୋର୍‌ଦାର୍‌ କରାଯିବ। କଶ୍ମୀର ପ୍ରସଙ୍ଗରେ ଇମ୍ରାନ୍‌ ବୁଝାମଣା କରିବା ଭଳି ଚୁପ୍‌ ରହୁଛନ୍ତି। ଦେଶର ୨୦ କୋଟି ଲୋକଙ୍କ ସ୍ବାର୍ଥକୁ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଜାମିଆତ୍‌ ଉଲେମା-ଇ-ଇସ୍‌ଲାମ ମୁଖ୍ୟ ମୌଲାନା ଫଜଲ ଅକ୍ଟୋବର ୩୧ରେ ସରକାର ବିରୋଧୀ ରାଲିରେ ସାମିଲ ହେବା ଲାଗି ଘୋଷଣା କରିଛନ୍ତି। ପିଏମ୍‌ଏଲ୍‌-ଏନ୍‌, ପିପିପି, ଏଏନ୍‌ପି ଭଳି ସମସ୍ତ ବିରୋଧୀ ଦଳ ଇସ୍‌ଲାମାବାଦ୍‌ରେ ଏକାଠି ହୋଇ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ବିରୋଧୀ ଦଳ ବିକ୍ଷୋଭରୁ ବିରତ ନ ରୁହନ୍ତି, ତେବେ ସେନା ମୁତୟନ କରିବାକୁ ଇମ୍ରାନ ସରକାର ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

Share