Posted inଜାତୀୟ

ଇଭିଏମ୍‌ରେ ଜନାଦେଶ, ୨୩କୁ ଅପେକ୍ଷା

ନୂଆଦିଲ୍ଲୀ,୨୦।୫(ପି.ଟି.): ପଶ୍ଚିମବଙ୍ଗ ଏବଂ ପଞ୍ଜାବର କେତେକ ସ୍ଥାନରେ ହିଂସାକାଣ୍ଡକୁ ବାଦ୍‌ ଦେଲେ ରବିବାର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିସହିତ ସପ୍ତଦଶ ଲୋକ ସଭା ନିମନ୍ତେ ମୋଟ ୫୪୨ ଆସନରେ ନିର୍ବାଚନ ସରିଛି। ବିପୁଳ ଅର୍ଥ ଜବତ ହେବା ଫଳରେ ତାମିଲନାଡୁର ଭେଲୋର ଆସନରେ ମତଦାନ ବାତିଲ କରାଯାଇଥିଲା। ନିର୍ବାଚନ ସରିବା ସହ ଜନାଦେଶ ଇଭିଏମ୍‌ରେ ବନ୍ଦ ହୋଇଯାଇଛି। ଏବେ ସମସ୍ତଙ୍କର ଅପେକ୍ଷା ୨୩ ତାରିଖକୁ। ସେଦିନ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବା ଆଶା କରାଯାଉଛି।
ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ପ୍ରକ୍ରିୟା କୁହାଯାଉଥିବା ଭାରତର ସାଧାରଣ ନିର୍ବାଚନରେ ପାଖାପାଖି ୯୦ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଥିବାବେଳେ ଏପ୍ରିଲ ୧୧ରୁ ୭ ପର୍ଯ୍ୟାୟରେ ମତଦାନ କରାଯାଇଥିଲା। ଏଥିସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ ଓ ସିକ୍କିମ୍‌ ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ମାର୍ଚ୍ଚ ୧୦ରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା। ଆଇନଶୃଙ୍ଖଳା ଦୃଷ୍ଟିରୁ ବିହାର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ୭ଟି ପର୍ଯ୍ୟାୟରେ ମତଦାନ ହୋଇଥିବାବେଳେ ଜମ୍ମୁ-କଶ୍ମୀରର ଅନନ୍ତନାଗ ଆସନରେ ତିନି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଥିଲା। ଭେଲୋରରେ ଅତ୍ୟଧିକ ଟଙ୍କା ଜବତ କାରଣରୁ ନିର୍ବାଚନ ବାତିଲ ହୋଇଥିବାବେଳେ ତ୍ରିପୁରା ପୂର୍ବ ଆସନରେ ମତଦାନ ଏପ୍ରିଲ ୧୮ରେ ହେବାକୁ ଥିବାବେଳେ ଆଇନଶୃଙ୍ଖଳା କାରଣରୁ ଏହାକୁ ଏପ୍ରିଲ ୨୩କୁ ଘୁଞ୍ଚାଇ ଦିଆଯାଇଥିଲା।
ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରରେ ସାମ୍ବିଧାନିକ ଅନୁଷ୍ଠାନଗୁଡିକର କ୍ଷମତା ସଙ୍କୁଚିତ ହୋଇଥିବା ଟିଏମ୍‌ସି ସମେତ ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ନିର୍ବାଚନ କମିଶନ ନରେନ୍ଦ୍ର ମୋଦି ସରକାରଙ୍କ ଇଙ୍ଗିତରେ କାର୍ଯ୍ୟ କରୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା। ବେରୋଜଗାରୀ, କୃଷି ଓ ଗ୍ରାମାଞ୍ଚଳ ସମସ୍ୟା, ମୁଦ୍ରାସ୍ଫୀତି, ଜିଡିପି ଅଭିବୃଦ୍ଧି ହ୍ରାସ ଆଦିକୁ କଂଗ୍ରେସ ପ୍ରସଙ୍ଗ କରିଥିଲା। ଅନ୍ୟପକ୍ଷରେ ଏଥର ନିର୍ବାଚନରେ ଜାତୀୟ ସୁରକ୍ଷା ଓ ଆତଙ୍କବାଦକୁ ପ୍ରସଙ୍ଗ କରିଥିଲା ଶାସକ ଦଳ ଭାଜପା। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ, ପାକିସ୍ତାନର ବାଲାକୋଟରେ ବାୟୁସେନାର ଏୟାର ଷ୍ଟ୍ରାଇକ୍‌କୁ ପୁଞ୍ଜି କରି ଭାଜପା ଭୋଟ ସାଉଁଟିବାକୁ ଉଦ୍ୟମ କରିଥିଲା। ଦେଶର ସେନାବାହିନୀକୁ ବ୍ୟବହାର କରି ପ୍ରଧାନମନ୍ତ୍ରୀ ମୋଦି ଫାଇଦା ଉଠାଇବାକୁ ଉଦ୍ୟମ କରୁଥିବାରୁ ବିଭିନ୍ନ ଦଳ ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ନିର୍ବାଚନ ପ୍ରଚାର ବେଳେ କେତେଜଣ ନେତାଙ୍କ ବିବାଦୀୟ ମନ୍ତବ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ କମିଶନ ବିଭିନ୍ନ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ରବିବାର ପଶ୍ଚିମବଙ୍ଗର କେତେକ ସ୍ଥାନରେ ବୋମାମାଡ଼ ସାଙ୍ଗକୁ ଗଣ୍ଡଗୋଳ ହୋଇଥିବା ଖବର ମିଳିଛି। ସେହିପରି ପଞ୍ଜାବର କେତେକ ସ୍ଥାନରେ ମଧ୍ୟ ସଂଘର୍ଷ ଘଟିଛି। ଏହି ପର୍ଯ୍ୟାୟରେ ୫୯ଟି ଆସନରେ ମତଦାନ ହୋଇଥିବାବେଳେ ମତଦାନ ହାର ୬୪ ପ୍ରତିଶତ ରହିଛି। କେତେକ ବୁଥ୍‌ରେ ଇଭିଏମ୍‌ରେ ସମସ୍ୟା ଦେଖାଦେଇଥିବାବେଳେ ଅନ୍ୟ କେତେକ ବୁଥ୍‌ରେ ଲୋକେ ଭୋଟବର୍ଜନ କରିଛନ୍ତି। ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ୯୧୮ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବାବେଳେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଏବଂ ଉତ୍ତରପ୍ରଦେଶ ଭାଜପା ସଭାପତି ମହେନ୍ଦ୍ର ନାଥ ପାଣ୍ଡେ, କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର, ରବିଶଙ୍କର ପ୍ରସାଦ, ଏସ୍‌ଏଡି ମୁଖ୍ୟ ସୁଖବୀର ସିଂ ବାଦଲ, କେନ୍ଦ୍ରମନ୍ତ୍ରୀ ହର୍‌ସିମ୍‌ରତ୍‌ କୌର୍‌ ବାଦଲ, ହରଦୀପ ସିଂ ପୁରୀ, କିରଣ ଖେର, ପଓ୍ବନ କୁମାର ବଂଶଲ, ସନ୍ନି ଦେଓଲ, ଭଗଓ୍ବନ୍ତ ସିଂ ମାନ୍‌, ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ୍‌ ବାନାର୍ଜୀ ଏବଂ ସୁଦୀପ ବନ୍ଦୋପାଧ୍ୟାୟ। ଅନ୍ତିମ ପର୍ଯ୍ୟାୟରେ ପଞ୍ଜାବ ଓ ଉତ୍ତରପ୍ରଦେଶର ୧୩ଟି ଲେଖାଏ ଆସନ, ପଶ୍ଚିମବଙ୍ଗର ୯, ମଧ୍ୟପ୍ରଦେଶ ଓ ବିହାରର ୮ଟି ଲେଖାଏ ଆସନ, ହିମାଚଳପ୍ରଦେଶର ୪, ଝାଡଖଣ୍ଡର ୩ ଏବଂ ଚଣ୍ଡିଗଡ଼ର ଗୋଟିଏ ଆସନରେ ମତଦାନ ଶେଷ ହୋଇଛି। ଅପରାହ୍ନ ୫ଟା ସୁଦ୍ଧା ଉତ୍ତରପ୍ରଦେଶରେ ୪୮.୯୦ ପ୍ରତିଶତ ମତଦାନ ହୋଇଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀରେ ୪୬.୫୩% ଭୋଟଗ୍ରହଣ ହୋଇଛି। ୫ଟା ସୁଦ୍ଧା ପଶ୍ଚିମବଙ୍ଗରେ ୬୭.୧୪ ପ୍ରତିଶତ ମତଦାନ ହୋଇଛି। ଉକ୍ତ ରାଜ୍ୟର କେତେକ ସ୍ଥାନରେ ଭୋଟବେଳେ ହିଂସାକାଣ୍ଡ ଘଟିଛି। ମଧ୍ୟାହ୍ନ ସମୟରେ ଉତ୍ତର କୋଲକାତାର ଗିରିଶ ପାର୍କ ନିକଟରେ ବୋମା ଫିଙ୍ଗାଯାଇଥିବା ଭାଜପା ପ୍ରାର୍ଥୀ ରାହୁଲ ସିହ୍ନା ଅଭିଯୋଗ କରିଛନ୍ତି। ପୋଲିସ ଏହାକୁ ଅସ୍ବୀକାର କରି ବାଣ ଫୁଟିଥିବା କହିଛି। ଦକ୍ଷିଣ କୋଲକାତାର ଏକ ବୁଥ୍‌ ଭିତରକୁ ଟିଏମ୍‌ସି ପ୍ରାର୍ଥୀ ମାଲା ରାୟଙ୍କୁ ଛଡାଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। କେନ୍ଦ୍ରୀୟ ସୁରକ୍ଷା ବଳର ଯବାନମାନେ ବୁଥ୍‌ ନିକଟରେ ଭୋଟରଙ୍କୁ ପ୍ରଭାବିତ କରୁଥିବା ଟିଏମ୍‌ସି କର୍ମୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ କୋଲକାତା ଓ ଏହାର ଆଖପାଖ ଅଞ୍ଚଳରେ ଗଣ୍ଡଗୋଳ ହୋଇଥିଲା। ସେହିପରି ଡାଇମଣ୍ଡ ହାର୍ବର ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ନୀଳାଞ୍ଜନ ରାୟଙ୍କ କାରକୁ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିଛନ୍ତି। ଯାଦବପୁରର ଭାଜପା ପ୍ରାର୍ଥୀ ଅନୁପମ ହାଜ୍‌ରାଙ୍କ କାରକୁ କିଛି ଅଜଣା ଲୋକ ଆକ୍ରମଣ କରିଛନ୍ତି। ଏହାକୁ ବାଦ୍‌ ଦେଲେ ଅନ୍ୟତ୍ର ମତଦାନ ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି। ପଶ୍ଚିମବଙ୍ଗ ଓ ପଞ୍ଜାବ ସମେତ ବିଭିନ୍ନ ରାଜ୍ୟରେ ଇଭିଏମ୍‌ ସମସ୍ୟାକୁ ନେଇ ମତଦାନ ବିଳମ୍ବିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାକୁ ଅନୁମୋଦନ, କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିରକରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ...

ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଗଣଶିକ୍ଷା ବିଭାଗର ବଡ଼ ସୂଚନା

ଭୁବନେଶ୍ୱର,୭ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ...

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri