ଇନ୍ଦୋରରେ ଫସିଛନ୍ତି ୧୫ ଓଡ଼ିଆ ଶ୍ରମିକ, ଭିଡିଓ ଯୋଗେ ରନ୍ଧାଖାଦ୍ୟ ଯୋଗାଇବାକୁ କଲେ ନିବେଦନ

ବରଗଡ଼ ଅଫିସ,୧୨ା୪ : ଲକ୍‌ଡାଉନ୍‌ ଯୋଗୁ ଇନ୍ଦୋର(ଅହମଦାବାଦ)ରେ ୧୫ ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ସେଠାରେ ଫସି ରହିଥିବା ଶ୍ରମିକମାନେ ହେଲେ, ରଘୁ ବାଗ, ଗଣେଶ ପ୍ରଧାନ, ସୁଶାନ୍ତ କୁମାର ସାମଲ, କିଶନ ଶର୍ମା, ବଲରାମ ମଣ୍ଡଳ, ଅନିଲ କୁଜୁର, ନିର୍ମଳ ଓରାମ, ଯୀଶୁ ଓରାମ, ପ୍ରମୋଦ କେର୍କେଟା, ମଣ୍ଟୁ ମିଞ୍ଜ, ବିକାଶ ମିଞ୍ଜ, କାର୍ତ୍ତିକ ଗିଧି, ମୈନଥ କିସପୋଟ୍ଟା, ଗାନ୍ଧୀ ବାର୍ଲା ଏବଂ ପ୍ରଭାତ ଗିଧି। ଏମାନେ ସମସ୍ତେ ସେଠାକୁ ଯାଇ ଏକ କମ୍ପାନୀରେ କାମ କରୁଥିଲେ। ମାତ୍ର ଲକ୍‌ଡାଉନ୍‌ ପରେ କମ୍ପାନୀ ବନ୍ଦ ଥିବାରୁ ଶ୍ରମିକମାନେ ବେରୋଜଗାରକ୍ଷମ ହୋଇପଡ଼ିଛନ୍ତି। ସେମାନେ ଯାହା ରୋଜଗାର କରିଥିଲେ ସେଥିରୁ ଘରକୁ ଅଧେ ପଠାଇ ଦେଇଥିବାବେଳେ ବାକିତକ ସରି ଯାଇଥିବା କହିଛନ୍ତି। ଅନ୍ୟପଟେ ଲକ୍‌ଡାଉନ୍‌ ଯୋଗୁ ବାହାରକୁ ମଧ୍ୟ ବାହାରି ପାରୁନାହାନ୍ତି ଏବଂ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ଶ୍ରମିକମାନେ କହିଛନ୍ତି। ଏ ନେଇ ଏକ ଭିଡିଓ କ୍ଲିପିଂ ସୋସିଆଲ ମିଡିଆରେ ଭାଇରାଲ କରି ସେମାନଙ୍କ ନିକଟକୁ ରାଶନ ସାମଗ୍ରୀ କିମ୍ବା ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।