Categories: ଜାତୀୟ

ଇତିହାସ ରଚିବାକୁ ଯାଉଛି ଇସ୍ରୋ: ‘ଚନ୍ଦ୍ରଯାନ-୨’ର କାଉଣ୍ଟଡାଉନ୍‌ ଆରମ୍ଭ

ନୂଆଦିଲ୍ଲୀ, ୨୧।୦୭: ମହାକାଶ ଇତିହାସରେ ଭାରତ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଜୁଲାଇ ୨୨ ତାରିଖ ଅପରାହ୍ନ ୨ଟା ୪୩ ମିନିଟରେ ମହାକାଶକୁ ଯିବ ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୨। ଏଥିପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଜୁଲାଇ ୧୫ ତାରିଖରେ ଉତ୍‌କ୍ଷେପଣ ହେବାକୁ ଥିବା ଚନ୍ଦ୍ରଯାନ-୨ ଯାନ୍ତ୍ରିକ ତ୍ରୁଟି କାରଣରୁ ନିର୍ଦ୍ଧାରିତ ସମୟର ପାଖାପାଖି ଏକ ଘଣ୍ଟା ପୂର୍ବରୁ ଉତ୍‌କ୍ଷେପଣ ସ୍ଥଗିତ ରଖାଯାଇଥିଲା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସବୁ ଯାନ୍ତ୍ରିକ ସମସ୍ୟାର ସମାଧାନ କରିପାରିଛି। ଏହି ଚନ୍ଦ୍ରଯାନ ମିଶନ ପାଇଁ ୯୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ଗୋଟିଏ ଅର୍ବିଟର , ଗୋଟିଏ ଲ୍ୟାଣ୍ଡର (ବିକ୍ରମ) ଏବଂ ଗୋଟିଏ ରୋଭର (ପ୍ରଜ୍ଞା)କୁ ନେଇ ଗଠିତ ହୋଇଛି ଚନ୍ଦ୍ରଯାନ-୨। ଭାରତର ମହାକାଶ ବିଜ୍ଞାନର ଅଗ୍ରଦୂତ ବିକ୍ରମ ସରାଭାଇଙ୍କ ସ୍ମୃତିରେ ଇସ୍ରୋ ଚନ୍ଦ୍ରଯାନର ଲ୍ୟାଣ୍ଡର ନାମ ‘ବିକ୍ରମ ’ ଏବଂ ରୋଭରର ନାମ ‘ପ୍ରଜ୍ଞା’ ରଖିଛି। ଅବତରଣ ପରେ ଚନ୍ଦ୍ରଯାନ-୨ ସହ ସଂଯୁକ୍ତ ରୋଭରଟି ଲ୍ୟାଣ୍ଡରଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ୧୪ ଦିନ ପର୍ଯ୍ୟନ୍ତ ଅନୁଧ୍ୟାନ ଜାରି ରଖିବ। ଉଭୟ ରୋଭର ଏବଂ ଲ୍ୟାଣ୍ଡର ୧୪ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଅର୍ବିଟର ବର୍ଷେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହି ଏହାର ମିଶନ ଜାରି ରଖିବ। ଚନ୍ଦ୍ରଯାନ-୧ ମିଶନ ପରେ ଏହି ଦ୍ୱିତୀୟ ଚନ୍ଦ୍ର ଅଭିଯାନ ପାଇଁ ଇସ୍ରୋ ଆଶାବାଦୀ ଥିବାବେଳେ ଏହା ଉପରେ ସାରା ବିଶ୍ୱର ମଧ୍ୟ ନଜର ରହିଛି। ଏହି ଅଭିଯାନ ସଫଳ ହେଲେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡ କରିବାରେ ଭାରତ ଚତୁର୍ଥ ଦେଶର ମାନ୍ୟତା ଅର୍ଜନ କରିବ।

Share