ଇଣ୍ଡୋ-ପାକ୍‌ ବିଶ୍ୱକପ୍‌ ମ୍ୟାଚ୍‌ ବିଜ୍ଞାପନକୁ ସାନିଆଙ୍କ ବିରୋଧ

ନୂଆଦିଲ୍ଲୀ,୧୨।୬(ପିଟି): ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ର ବହୁ ପ୍ରତୀକ୍ଷିତ ମ୍ୟାଚ୍‌ ଲାଗି ପ୍ରସାରଣକାରୀ ଚ୍ୟାନେଲରେ ଦେଉଥିବା କିଛି ସ୍ବତନ୍ତ୍ର ବିଜ୍ଞାପନ ଉଭୟ ଦେଶର କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି କରୁଛି। ଏହି ବିଜ୍ଞାପନକୁ ଟେନିସ ଷ୍ଟାର ସାନିଆ ମିର୍ଜା ବୁଧବାର ବିରୋଧ କରିଛନ୍ତି। ପାକିସ୍ତାନର ଜାଜ୍‌ ଟିଭି ଏକ ବିଜ୍ଞାପନ ପ୍ରସାରଣ କରୁଛି, ଯେଉଁଥିରେ ବାଲକୋଟ ଆକ୍ରମଣ ପରେ ପାକିସ୍ତାନ ଆର୍ମି ଦ୍ୱାରା ଗିରଫ ହୋଇଥିବା ଭାରତୀୟ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ସଦୃଶ୍ୟ ଦେଖାଯାଉଥିବା ଏକ ଚରିତ୍ର ରହିଛି। ୩୩ ସେକେଣ୍ଡ ବିଶିଷ୍ଟ ବିଜ୍ଞାପନରେ ଭାରତୀୟ ଦଳର ଜର୍ସି ପିନ୍ଧିଥିବା ବର୍ଥମାନଙ୍କ ଚରିତ୍ର ତାଙ୍କ ଷ୍ଟାଇଲରେ ନିଶ ମଧ୍ୟ ରଖିଛି। ସେଥିରେ ତାଙ୍କୁ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌ର ଭାରତୀୟ ଦଳର ରଣନୀତି ସମ୍ପର୍କରେ ପ୍ରଶ୍ନ କରାଯାଉଛି। ଆଉ ଉକ୍ତ ଚରିତ୍ର ଭାଇରାଲ ଡାଇଲଗ ‘ମୁଁ ଦୁଃଖିତ। ତୁମକୁ ଏହା କହି ପାରିବି ନାହିଁ’ ବୋଲି କହୁଛନ୍ତି। ଅନ୍ୟପକ୍ଷରେ ଭାରତରେ ପ୍ରସାରିତ ବିଜ୍ଞାପନରେ ଟିମ୍‌ ଇଣ୍ଡିଆର ପ୍ରଶଂସକମାନେ ନିଜକୁ ପାକିସ୍ତାନର ଆବୁ (ବାପା) ବୋଲି ଅବିହିତ କରୁଛନ୍ତି। ସୀମାର ଉଭୟ ପାର୍ଶ୍ୱରେ ଏଭଳି ବିଜ୍ଞାପନ ଯୋଗୁ ବହୁତ ସାଙ୍ଘାତିକ ଫଳାଫଳ ହୋଇପାରେ। ମ୍ୟାଚ୍‌ର ଆଉ ପ୍ରସାର କରିବା ଦରକାର ନାହିଁ। ଏହାକୁ ବହୁତ ଗୁରୁତ୍ୱ ଦିଆଯାଉଛି। ଏହା କେବଳ ଏକ କ୍ରିକେଟ ମ୍ୟାଚ୍‌। ତା’ଠାରୁ ଅଧିକ କିଛି ନୁହେଁ ବୋଲି ସାନିଆ ଟୁଇଟ୍‌ କରିଛନ୍ତି। ଚଳିତ ବର୍ଷ ଫେବୃୟାରୀରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ୍‌ ଯବାନଙ୍କ ମୃତ୍ୟୁ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି।

Share