Categories: ଖେଳ

ଇଣ୍ଡିଆନ୍‌ ଓ୍ବେଲ୍ସରୁ ଓହରିଲେ ଆଣ୍ଡ୍ରେସ୍କୁ

ଇଣ୍ଡିଆନ ଓ୍ବେଲ୍ସ,୮।୩(ଏଏଫ୍‌ପି)- ଏଠାରେ ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ଓ୍ବେଲ୍ସ ଟେନିସ ଟୁର୍ନାମେଣ୍ଟରୁ ଗତଥରର ଚାମ୍ପିୟନ ତଥା ବିଶ୍ୱର ୪ ନମ୍ବର ଖେଳାଳି ବାଇଆଙ୍କା ଆଣ୍ଡ୍ରେସ୍କୁ ଓହରିଯାଇଛନ୍ତି। କାନାଡ଼ାର ଏହି ମହିଳା ତାରକା ଖେଳାଳି ବାମ ଆଣ୍ଠୁରେ ଦେଖା ଦେଇଥିବା ଇଞ୍ଜୁରି କାରଣରୁ ସେ ଏହି ଟୁର୍ନାମେଣ୍ଟରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ଅକ୍ଟୋବରରେ ଶେନଝେନ୍‌ରେ ଅନୁଷ୍ଠିତ ଡବ୍ଲ୍ୟୁଟିଏ ଫାଇନାଲ୍ସ ଖେଳିବା ଅବସରରେ ସେ ଆଘାତ ପାଇଥିଲେ। ବର୍ଷ ଆରମ୍ଭରୁ ଆଣ୍ଡ୍ରେସ୍କୁ ମୋଟ ୪ଟି ଇଭେଣ୍ଟରୁ ଓହରିଯାଇଛନ୍ତି। ଏଥିରେ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ ସାମିଲ ରହିଛି। ୨୦୧୯ରେ ୟୁଏସ୍‌ ଓପନ ଜିତି ସେ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିଲେ।
ଆଘାତ ସମସ୍ୟାରୁ ମୁକୁଳିବ ପାଇଁ ପ୍ରୟାସ ଜାରି ରଖିଛି। ଏପର୍ଯ୍ୟନ୍ତ ଶତପ୍ରତିଶତ ଫିଟ୍‌ ହୋଇପାରି ନାହିଁ ବୋଲି ଆଣ୍ଡ୍ରେସ୍କୁ କହିଛନ୍ତି। ତୃତୀୟ ହାଇପ୍ରୋଫାଇଲ ଖେଳାଳି ଭାବେ ଆଣ୍ଡ୍ରେସ୍କୁ ଇଣ୍ଡିଆନ ଓ୍ବେଲ୍ସ ତଥା ବିଏନ୍‌ପି ପାରିବାସ ଓପନରୁ ଓହରିଯାଇଛନ୍ତି। ତାଙ୍କ ପୂର୍ବରୁ ଓ୍ବିମ୍ବଲଡ଼ନ ଚାମ୍ପିୟନ ସିମୋନା ହାଲେପ ଓ ୩ଥର ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ଆଞ୍ଜେଲିକ କରବର ଗତ ଶୁକ୍ରବାର ଏହି ଟୁର୍ନାମେଣ୍ଟରୁ ଓହରିବା ନେଇ ଘୋଷଣା କରିଥିଲେ।

Share