Categories: ଜାତୀୟ

ଇଣ୍ଟରନ୍ୟାଶନାଲ ନର୍ସେସ୍‌ ଡେ’: ରୋଗୀଙ୍କ ସେବା କରୁଛନ୍ତି ୯ ମାସର ଗର୍ଭବତୀ ନର୍ସ

ଶିବାମୁଗ୍ଗା,୧୨।୫: ମେ’ ୧୨ରେ ପାଳନ କରାଯାଉଛି ଇଣ୍ଟରନ୍ୟାଶନାଲ ନର୍ସେସ୍‌ ଡେ’। ଏବେ ସାରା ବିଶ୍ୱ ଏହି କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ କରୁଛନ୍ତି। ସାରା ବିଶ୍ୱରେ କରୋନା ମହାମାରୀ ଏବେ ତାଣ୍ଡବ ରଚି ଚାଲିଥିବା ବେଳେ ନର୍ସମାନେ ସାଜିଛନ୍ତି ଆଗ ଧାଡିର ଯୋଦ୍ଧା। ଏହାରି ଭିତରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କର୍ନାଟକ ଶିବାମୁଗ୍ଗାର ଜୟଚାମାରାଜେନ୍ଦ୍ର ସରକାରୀ ଡାକ୍ତରଖାନାରେ ନର୍ସ ଥିବା ରୂପା ପ୍ରବିନ ରାଓ। ଏବେ ସେ ୯ ମାସର ଗର୍ଭବତୀ। ଏପଟେ କରୋନା ସଂକ୍ରମଣ ପାଇଁ ଗର୍ଭବତୀଙ୍କୁ ସ୍ବତନ୍ତ୍ର ସୁରକ୍ଷା ଦେବାକୁ କୁହାଯାଇଛି। ହେଲେ ସେବା ମନୋବୃତ୍ତି ନେଇ ନର୍ସିଂରେ ଯୋଗ ଦେଇଥିବା ରୂପା କରୋନା ମହାମାରୀକୁ ଭୟ ନ କରି ରୋଗୀଙ୍କ ସେବା କରିବାରେ ଆନନ୍ଦ ପାଉଛନ୍ତି ବୋଲି କହିଛନ୍ତି। ୯ ମାସର ଗର୍ଭବତୀ ଥିବାରୁ ସେ ଯେ କୌଣସି ସମୟରେ ମାତୃତ୍ୱ ଲାଭ କରିପାରନ୍ତି। ଏଥିପାଇଁ ତାଙ୍କ ସିନିୟର୍ସମାନେ ମଧ୍ୟ ତାଙ୍କୁ ଛୁଟି ନେଇ ବିଶ୍ରାମ କରିବାକୁ କହିଥିଲେ। ହେଲେ ସେ ବିଶ୍ରାମ ନେଲେ ରୋଗୀ ସେବାରେ ଅସୁବିଧା ହେବ ଭାବି ପ୍ରତିଦିନ ହସ୍ପିଟାଲ ଆସୁଛନ୍ତି। ଏମିତିକି ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପା ମଧ୍ୟ ରୂପାଙ୍କ କାମକୁ ପ୍ରଶଂସା କରିବା ସହ ତାଙ୍କୁ ଛୁଟି ନେବାକୁ ପରାମର୍ଶ ଦେଇଥିବା ସେ ପ୍ରକାଶ କରିଛନ୍ତି।

Share