Categories: ଖେଳ

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ: ଭାରତୀୟ ସମ୍ଭାବ୍ୟ ଦଳ ଘୋଷିତ

ନୂଆଦିଲ୍ଲୀ, ୫ା୭ (ପି.ଟି.)-ଜୁଲାଇ ୭ରୁ ଅହମ୍ମଦାବାଦର ଏକା ଆରେନାଠାରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟ୍‌ବଲ ଟୁର୍ନାମେଣ୍ଟ ହେବ। ଏଥିଲାଗି ଭାରତୀୟ ଫୁଟ୍‌ବଲ ଟିମ୍‌ କୋଚ୍‌ ଇଗୋର ଷ୍ଟିମାକ୍‌ ଶୁକ୍ରବାର ୨୫ ଜଣିଆ ସମ୍ଭାବ୍ୟ ଫୁଟ୍‌ବଲ ଟିମ୍‌ ଘୋଷଣା କରିଛନ୍ତି। ପ୍ରଥମ ଦିବସରେ ଗତଥରର ଚାମ୍ପିୟନ ଭାରତ ତାଜିକ୍‌ସ୍ତାନକୁ ଭେଟିବ। ଏଥିରେ ଅନ୍ୟ ଦୁଇ ଦଳ ସିରିଆ ଓ ଉତ୍ତର କୋରିଆ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ଦଳ ପ୍ରତ୍ୟେକଙ୍କୁ ଥରେ ଲେଖାଏଁ ଭେଟିବେ। ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ହେବ। ଟୁର୍ନାମେଣ୍ଟ ଲାଗି ମୁମ୍ବାଇରେ ୧୦ ଦିନ ଧରି ପ୍ରସ୍ତୁତି କ୍ୟାମ୍ପ୍‌ ଚାଲିଥିଲା। ଏଥିରେ ସମସ୍ତ ଖେଳାଳି ବାସ୍ତବିକ କଠିନ ପରିଶ୍ରମ କରିଛନ୍ତି। ଆଗାମି ମ୍ୟାଚଗୁଡ଼ିକରେ ଦଳର ପ୍ରଦର୍ଶନକୁ ଆମେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛୁ ବୋଲି ଷ୍ଟିମାକ୍‌ କହିଛନ୍ତି। ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଖେଳାଳି ତାଲିକା ୨୩କୁ ହ୍ରାସ କରାଯିବ। ଇଣ୍ଡିଆନ ଆରୋଜ ଡିଫେଣ୍ଡର ନରେନ୍ଦର ଗେହଲଟଙ୍କ ସହିତ ମନ୍ଦର ରାଓ ଦେଶାଇଙ୍କୁ ଦଳରେ ସ୍ଥାନ ମିଳିଛି। ଗୁଜରାଟରେ ପ୍ରଥମ ଥର ଏକ ସିନିୟର ପୁରୁଷ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ୨୦୧୪ ଫିଫା ବିଶ୍ୱକପ୍‌ ପାଇଁ କ୍ରୋଏସିଆକୁ ଦଳକୁ କୋଚିଂ ଦେଇଥିବା ଷ୍ଟିମାକ୍‌ କହିଛନ୍ତି, ସେପ୍ଟେମ୍ବରରେ ଆରମ୍ଭ ହେବାକୁଥିବା ୨୦୨୨ ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ ପୂର୍ବରୁ ଖେଳାଳିମାନେ କିପରି ଫର୍ମକୁ ଫେରିପାରିବେ ସେଥିଲାଗି ସମସ୍ତ ଯୋଜନା କରାଯାଇଛି। ଜୁନ୍‌ ୨୫ରୁ ଆରମ୍ଭ ହୋଇଥିବା ପ୍ରସ୍ତୁତି କ୍ୟାମ୍ପ ଲାଗି ୩୫ ଜଣ ଖେଳାଳିଙ୍କୁ ଡକାଯାଇଥିଲା। ତନ୍ମଧ୍ୟରୁ ୨୫ଜଣଙ୍କୁ ମନୋନୀତ କରାଯାଇ ଅବଶିଷ୍ଟଙ୍କୁ ରିଲିଜ୍‌ କରିଦିଆଯାଇଥିଲା।
ମନୋନୀତ ଖେଳାଳି: ଗୋଲକିପର- ଗୁରପ୍ରୀତ ସିଂ ସାନ୍ଧୁ, ଅମରିନ୍ଦର ସିଂ ସାନ୍ଧୁ, କମଲଜିତ୍‌ ସିଂ। ଡିଫେଣ୍ଡର- ପ୍ରୀତମ କୋଟାଲ, ରାହୁଲ ଭେକେ, ସନ୍ଦେଶ ଝିଙ୍ଗାନ, ଅଦିଲ ଖାଁ, ଆନାସ ଏଦାଥୋଡିକା, ନରେନ୍ଦର ଗେହଲଟ, ସୁଭାଶିଷ ବୋଷ୍‌, ଜେରି ଲାଲ୍‌ରିନ୍‌ଜୁଆଲା।
ମିଡ୍‌ଫିଲ୍ଡର-ଉଦାନ୍ତ ସିଂ, ବ୍ରେଣ୍ଡନ ଫର୍ନାଣ୍ଡିଜ୍‌, ଅନିରୁଦ୍ଧ ଥାପ୍ପା, ପ୍ରଣୟ ହାଲ୍‌ଦାର, ରାଓଲିନ୍‌ ବର୍ଗେସ, ବିନିତ ରାୟ, ସହଲ ଅବ୍‌ଦୁଲ, ଅମରଜିତି୍‌ ସିଂ, ଲାଲ୍‌ଲିଆନଜୁଆଲା ଚାଙ୍ଗ୍‌ଟେ, ମନ୍ଦର ରାଓ ଦେଶାଇ। ଫରଓ୍ବାର୍ଡ-ଜୋବି ଜଷ୍ଟିନ, ସୁନୀଲ ଛେତ୍ରୀ, ଫାରୁକ୍‌ ଚୌଧାରୀ ଓ ମନଭିର ସିଂ।

Share