Posted inଫୁରସତ

ଇଡ୍‌ଲି ଆମ୍ମା: ଯେଉଁମାନେ ଅସହାୟ ପେଟର ଭୋକକୁ ମା’ ଭଳି ବୁଝୁଛନ୍ତି

ଆଜିର ଏହି ଦରଦାମ୍‌ ବୃଦ୍ଧି ସମାଜରେ ଖାଦ୍ୟ ପଦାର୍ଥଠୁ ଆରମ୍ଭ କରି ସୌଖୀନ ଜିନିଷ ପର୍ଯ୍ୟନ୍ତ ସବୁକିଛିର ମୂଲ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଦୁଇ ପଇସା ଲାଭ ପାଇବାକୁ କାହାର ବା ଇଚ୍ଛା ନୁହେଁ। ହେଲେ କିଛି ଲୋକ ଅଛନ୍ତି, ଯେଉଁମାନେ ଲାଭ ଅପେକ୍ଷା ଗରିବ, ଅସହାୟ ଲୋକଙ୍କର ପେଟର ଭୋକକୁ ଦେଖୁଛନ୍ତି। ଆଉ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସ୍ବଳ୍ପ ଦରରେ କିମ୍ବା ମାଗଣାରେ ଖାଇବାକୁ ବି ଦେଉଛନ୍ତି। ଏଠାରେ ସେମିତି କେତେଜଣ ମହିଳାଙ୍କ ସମ୍ପର୍କରେ ବର୍ଣ୍ଣନା କରାଯାଇଛି, ଯେଉଁମାନେ ନିଜର ବୟସକୁ ପଛରେ ପକାଇ ଘରର ଦାୟିତ୍ୱ ନେବା ସଙ୍ଗେସଙ୍ଗେ ଜଳଖିଆ ଦୋକାନ କରି ଗ୍ରାହକଙ୍କର ଭୋକିଲା ପେଟ କଥା ମା’ ଭଳି ବୁଝୁଛନ୍ତି..

କୋଏମ୍ବାଟୁର୍‌ର ଇଡ୍‌ଲି ଆମ୍ମା କମଲାଥଲ୍‌
ଆଜିକାଲି ସୋସିଆଲ୍‌ ମିଡିଆରେ ୧ ଟଙ୍କାରେ ଇଡ୍‌ଲି ବିକୁଥିବା ଜଣେ ୮୦ ବର୍ଷର ବୃଦ୍ଧାଙ୍କ ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ସେ କିଏ ଜାଣନ୍ତି! ସେ ହେଉଛନ୍ତି ତାମିଲନାଡୁ, କୋଏମ୍ବାଟୁର ଅଞ୍ଚଳର କମଲାଥଲ୍‌। ଏ ବୟସରେ ଦେଖାଯାଏ, କିଛି ଲୋକଙ୍କର କାମ କରିବାକୁ ବଳ ପାଏନାହିଁ, ମନୋବଳ ଦୁର୍ବଳ ହୋଇଯାଏ। ହେଲେ କମଲାଥଲ୍‌ଙ୍କ କ୍ଷେତ୍ରରେ ଏସବୁର ଓଲଟା ଦେଖାଯାଏ। ଏ ବୟସରେ ବି ସେ ଏତେ ଫିଟ୍‌ ଯେ, ଦେଖିଲେ ତାଙ୍କୁ ଆଶ୍ଚର୍ଯ୍ୟ ଲାଗେ। କମଲାଥଲ୍‌ ଆଜକୁ ପ୍ରାୟ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଇଡ୍‌ଲି-ସମ୍ବର-ଚଟଣି ତିଆରି କରି ଗ୍ରାହକଙ୍କୁ ପରଷି ଆସୁଛନ୍ତି ସେ ପୁଣି ମାତ୍ର ୧ ଟଙ୍କାରେ। ଏ ନେଇ କମଲାଥଲ୍‌ କୁହନ୍ତି, ତାଙ୍କ ପରିବାରର ସଦସ୍ୟମାନେ କୃଷିକାର୍ଯ୍ୟ କରି ପେଟ ପୋଷୁଥିଲେ। ସକାଳୁ ସେମାନେ କାମକୁ ଚାଲିଯିବା ପରେ କମଲାଥଲ୍‌ ଏକୁଟିଆ ସେମାନଙ୍କ ପାଇଁ ଖାଦ୍ୟ ରାନ୍ଧି ରଖୁଥିଲେ। ପ୍ରତିଦିନ ଏକାଏକା ଘରେ ରହିବାକୁ ତାଙ୍କୁ ଆଦୌ ଭଲ ଲାଗୁ ନ ଥିଲା। ତେଣୁ ସେ କିଛି କାର୍ଯ୍ୟ କରିବାକୁ ଚିନ୍ତା କରି ଇଡ୍‌ଲି-ସମ୍ବର ବ୍ୟବସାୟ ଆରମ୍ଭ କଲେ। ଯେହେତୁ ତାଙ୍କ ଅଞ୍ଚଳରେ ଅଧିକାଂଶ ଦିନମଜୁରିଆ ତଥା କୃଷକ ଶ୍ରେଣୀୟ ଲୋକ ରହୁଥିଲେ, ତେଣୁ ସକାଳୁ ସକାଳୁ ସେମାନଙ୍କୁ କିପରି କମ୍‌ ଟଙ୍କାରେ ପେଟ ଭରି ଖାଇବାକୁ ଦେବେ, ସେହି ଲକ୍ଷ୍ୟରେ କମଲାଥଲ୍‌ ଏହି ଇଡ୍‌ଲି ମୂଲ୍ୟ ଖୁବ୍‌ କମ୍‌ ରଖିଥିଲେ। ପୂର୍ବେ ସେ ଏହି ଇଡ୍‌ଲିର ଦାମ୍‌ ମାତ୍ର ୫୦ ପଇସା ରଖିଥିଲେ। ମାତ୍ର ୫୦ ପଇସାରେ ଇଡ୍‌ଲି-ସମ୍ବର-ଚଟଣି ଖାଇବାକୁ କ୍ରମେ ତାଙ୍କ ଦୋକାନରେ ଗ୍ରାହକଙ୍କର ବେଶ୍‌ ଭିଡ଼ ଲାଗିଲା। ସମ୍ପୂର୍ଣ୍ଣ ଘରୋଇ ତଥା ସୁସ୍ବାଦୁ ଲାଗୁଥିଲା କମଲାଥଲ୍‌ଙ୍କ ହାତି ତିଆରି ଏହି ଜଳଖିଆ। ୟା’ ଭିତରେ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଗଲାଣି। ବୟସର ଅପରାହ୍ନରେ ଆସି ସେ ପହଞ୍ଚତ୍ଲେଣି। ତଥାପି ଥକି ଯାଇ ନାହାନ୍ତି କି ଏହି ବ୍ୟବସାୟକୁ ବନ୍ଦ କରି ନାହାନ୍ତି। ଏବେ ବି ଘୋରଣାରେ ପ୍ରତିଦିନ କିଲେ କିଲେ ଓଜନର ବିରି ଚାଉଳ ବାଟି ସେ ଇଡ୍‌ଲି ତିଆରି କରୁଛନ୍ତି। ସେମିତି ଚଟଣି ଓ ସମ୍ବର ପାଇଁ ନଡ଼ିଆ ଏବଂ ମସଲାକୁ ସେ ପଥର ଶିଳରେ ବାଟିଥାନ୍ତି। ସକାଳ ୬ଟା ବାଜିଲା ବେଳକୁ ଗ୍ରାହକଙ୍କ ପାଇଁ ତାଙ୍କ ଦୋକାନ ଖୋଲିଯାଏ। ପ୍ରତିଦିନ ଶହ ଶହ ସଂଖ୍ୟାରେ ଗ୍ରାହକ ଆସି ତାଙ୍କ ହାତରୁ ଇଡ୍‌ଲି-ସମ୍ବର-ଚଟଣି ଖାଇଥାନ୍ତି। ମା’ ଯେମିତି ସ୍ନେହରେ ପିଲାମାନଙ୍କୁ ଖାଇବାକୁ ବାଢିଥାଏ, ଠିକ୍‌ ସେମିତି କମଲାଥଲ୍‌ ପ୍ରତି ଗ୍ରାହକଙ୍କୁ ଖୁସି ମନରେ ଖାଇବାକୁ ଦେଇଥାନ୍ତି। ସେଥିପାଇଁ କେହି କେହି ତାଙ୍କୁ ସ୍ନେହରେ ‘ଇଡ୍‌ଲି ଆମ୍ମା’ତ ଆଉ କେହି କେହି ‘ଇଡ୍‌ଲି ପାଟି ମା“ବୋଲି କହିଥାନ୍ତି। ତେବେ ଅନେକ ବର୍ଷ ପର୍ଯ୍ୟନ୍ତ ଗ୍ରାହକଙ୍କୁ ମାତ୍ର ୫୦ ପଇସାରେ ଇଡ୍‌ଲି ଯୋଗାଇବା ପରେ ଦରଦାମ୍‌ ବୃଦ୍ଧି ଯୋଗୁ ଗତ ୧୦ ବର୍ଷ ହେବ କମଲାଥଲ୍‌ ମାତ୍ର ୧ ଟଙ୍କାରେ ଏହି ଇଡ୍‌ଲି ବିକି ଆସୁଛନ୍ତି। ତେବେ ବି ଆଜିର ସମୟରେ ଏହା ଖୁବ୍‌ ଶସ୍ତା ରହୁଛି। ତା’ଛଡ଼ା ଏ ବୟସରେ ଏତେ କାମ କରିବାକୁ କମଲାଥଲ୍‌ଙ୍କ ଘରଲୋକେ ବି ତାଙ୍କୁ ବାରଣ କରୁଛନ୍ତି। ହେଲେ ସେ କିନ୍ତୁ କାହାରି କଥା ଶୁଣୁ ନାହାନ୍ତି। କାରଣ ତାଙ୍କ ପାଇଁ ଏହା ଏକ ମହାନ୍‌ କାମ ପାଲଟି ଯାଇଛି। ଆଜିର ଦରଦାମ୍‌ ବୃଦ୍ଧି ସମୟରେ ଗରିବ, ଦିନମଜୁରିଆ ଲୋକଙ୍କୁ ସ୍ବଳ୍ପ ଦରରେ ପେଟ ଭରି ଖାଇବାକୁ ଦେଇ ଯେଉଁ ଆତ୍ମଶାନ୍ତି ପାଉଛନ୍ତି, ତାହାକୁ ସେ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। ତା’ଛଡ଼ା ଏସବୁ କାର୍ଯ୍ୟ ହିଁ ତାଙ୍କୁ ଆଜି ପର୍ଯ୍ୟନ୍ତ ଫିଟ୍‌ ରଖିପାରିଛି। ତେଣୁ ସେ ଯେତେଦିନ ଯାଏ କାର୍ଯ୍ୟକ୍ଷମ ଥିବେ, ସେତେଦିନ ଯାଏ ଏ ବ୍ୟବସାୟ ତାଙ୍କର ସେମିତି ଚାଲୁଥିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥାନ୍ତି କମଲାଥଲ୍‌।

ରାମେଶ୍ୱରମ୍‌ର ଇଡ୍‌ଲି ଆମ୍ମା ରାନୀ
ତାମିଲନାଡୁର କୋଏମ୍ବାଟୁରରେ ୧ଟଙ୍କାରେ ଇଡ୍‌ଲି ବିକ୍ରି କରୁଥିବା କମଲାଥଲ୍‌ଙ୍କ ପରି ତାମିଲନାଡୁର ରାମେଶ୍ୱରମ୍‌ସ୍ଥିତ ଅଗ୍ନିତୀର୍ଥମ୍‌ଠାରେ ରାନୀ ନାମ୍ନୀ ଜଣେ ୭୦ ବର୍ଷୀୟା ବୃଦ୍ଧା ବି ମାଗଣାରେ ଇଡ୍‌ଲି ଦେବା କଥା ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ରାମେଶ୍ୱରମ୍‌ଠାରୁ ମାତ୍ର ଅଳ୍ପ କିଛି ଦୂରତାରେ ଥିବା ଫୁଟ୍‌ପାଥ୍‌ରେ ରହିଛି ରାନୀଙ୍କର ଏକ ଛୋଟ ଇଡ୍‌ଲି ଷ୍ଟଲ୍‌। ରାନୀଙ୍କ ମତାନୁଯାୟୀ, ସେ ଇଡ୍‌ଲି-ସମ୍ବରର ଏକ ଥାଳି ପିଛା ୩୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରିଛନ୍ତି। କିନ୍ତୁ ପଇସା ପାଇଁ କୌଣସି ଗ୍ରାହକଙ୍କୁ ସେ ଜୋର୍‌ କରନ୍ତି ନାହିଁ। ଯେଉଁ ଗ୍ରାହକଙ୍କ ପାଖେ ପଇସା ଥାଏ, ସେମାନେ ତାଙ୍କୁ ଉପଯୁକ୍ତ ମୂଲ୍ୟ ଦେଇ ଇଡ୍‌ଲି ଖାଇଥାନ୍ତି। ଆଉ ଯେଉଁ ଗ୍ରାହକଙ୍କ ପାଖେ ଅଳ୍ପ ପଇସା ଥାଏ, ସେମାନେ ଯାହା ଖୁସିରେ ଦିଅନ୍ତି ରାନୀ ତାକୁ ସାଦରେ ଗ୍ରହଣ କରିଥାନ୍ତି। ଆଉ ଯଦି କୌଣସି ଗରିବ ଗ୍ରାହକଙ୍କ ପାଖେ ଆଦୌ କିଛି ପଇସା ନ ଥାଏ, ରାନୀ ତାଙ୍କୁ ମାଗଣାରେ ମଧ୍ୟ ଇଡ୍‌ଲି-ସମ୍ବର ଖାଇବାକୁ ଦେଇଥାନ୍ତି। ଏପରିକି ଦୁଃଖୀ ରଙ୍କି ଯଦି ଆସି ତାଙ୍କୁ ଖାଇବାକୁ ମାଗନ୍ତି, ସେ ତାଙ୍କୁ ବି ଖାଦ୍ୟ ଦିଅନ୍ତି। ଏମିତି କରିବାରେ ତାଙ୍କୁ ଖୁସି ମିଳେ। ଆଜିର ଦୁନିଆରେ ଯେଉଁଠି ଟଙ୍କା ପଇସା ଲୋକଙ୍କ ପାଇଁ ଅନେକ କିଛି ମହତ୍ତ୍ୱ ରଖିଥାଏ, ସେଠି ରାନୀଙ୍କ କ୍ଷେତ୍ରରେ କିନ୍ତୁ କିଛିଟା ବ୍ୟତିକ୍ରମ ଦେଖିବାକୁ ମିଳେ। ଗରିବ, ନିଃସହାୟ ଲୋକଙ୍କୁ ପେଟ ଭରି ଖାଇବାକୁ ଦେଲେ ଯେଉଁ ଆନନ୍ଦ ଓ ଶାନ୍ତି ମିଳେ, ତାହା କ’ଣ ଟଙ୍କା ପଇସାକୁ ନେଇ ହିସାବ କିତାବ କଲେ ମିଳିପାରିବ ବୋଲି ମତ ଦିଅନ୍ତି ରାନୀ। ତେଣୁ ବ୍ୟବସାୟରେ ଲାଭ କ୍ଷତିକୁ ହିସାବ କରୁ ନ ଥିବା ରାମେଶ୍ୱରମ୍‌ର ଇଡ୍‌ଲି ଆମ୍ମା ରାନୀ ସତରେ ଏ ସମାଜ ପାଇଁ ଜଣେ ନିଆରା ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ।


ନାଗପୁରର ଦୋସା ଓ ଇଡ୍‌ଲି ଆମ୍ମା ଶାରଦା
ନାଗପୁରର ଶାରଦା ଚୌରାଗଡ଼େ। ବାହାଘର ପରେ ତାଙ୍କୁ ତାଙ୍କ ଶାଶୁଘର ଲୋକେ ଖୁବ୍‌ ହଇରାଣ କରୁଥିଲେ। ଏପରି କି ସ୍ବାମୀ ମଧ୍ୟ ତାଙ୍କୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଉଥିଲେ। ବହୁ କଷ୍ଟରେ ତାଙ୍କର ଜୀବନ ଅତିବାହିତ ହେଉଥିଲା। ଏକଥା ଶାରଦାଙ୍କ ବାପଘର ଲୋକେ ଜାଣିବା ପରେ ତାଙ୍କୁ ସେଠାରୁ ନେଇଆସିଲେ। ସେତେବେଳକୁ ଶାରଦା ୭ମାସର ଗର୍ଭବତୀ । କିଛିଦିନ ପରେ ତାଙ୍କର ପୁଅଟିଏ ଜନ୍ମ ହେଲା। ବାପଘର ଲୋକଙ୍କ ଉପରେ ଆଉ ବୋଝ ହୋଇ ରହିବାକୁ ନ ଚାହିଁ ସେ କିଛି ରୋଜଗାର କରିବା ପାଇଁ ଅଣ୍ଟା ଭିଡ଼ିଲେ। ପ୍ରଥମେ ପ୍ରଥମେ ଶାରଦା କ୍ଷୀର ଓ ପରିବା ବିକିବାକୁ ଲାଗିଲେ। ହେଲେ ଏହା ତାଙ୍କୁ ଶାନ୍ତି ଦେଲାନାହିଁ। ତେଣୁ ୨୦୦୪ ମସିହାରେ ସ୍ଥାନୀୟ ଏକ ସ୍କୁଲ୍‌ ନିକଟରେ ସେ ଗୋଟିଏ ଛୋଟ ଦୋସା ଓ ଇଡ୍‌ଲି ଷ୍ଟଲ୍‌ ଖୋଲି ମାତ୍ର ୧୦ ଟଙ୍କାରେ ସ୍କୁଲ୍‌ ପିଲାଙ୍କୁ ପେଟପୂରା ଖାଇବାକୁ ଦେଲେ। ଶାରଦା ମାତ୍ର ୧୦ ଟଙ୍କାରେ ସେମାନଙ୍କୁ ୪ଟି ଛୋଟ ସାଇଜ୍‌ ଦୋସା କିମ୍ବା ୪ଟି ଇଡ୍‌ଲି ସହ ସମ୍ବର ଓ ଚଟଣି ଖାଇବାକୁ ଦେଉଥିଲେ। ଏତେ ଶସ୍ତାରେ ପେଟପୂରା ଖାଦ୍ୟ ଖାଇ ପିଲାମାନଙ୍କ ମୁହଁରେ ଫୁଟି ଉଠୁଥିବା ହସକୁ ଦେଖି ସେ ନିଜର ଦୁଃଖ ଭୁଲି ଯାଉଥିଲେ। ଏହି ବ୍ୟବସାୟରୁ କେତେ ଲାଭ ହେଉଛି କେତେ କ୍ଷତି ହେଉଛି ତାହା ସେ ଦେଖୁ ନ ଥିଲେ ବରଂ ପିଲାମାନଙ୍କର ଭୋକିଲା ପେଟକୁ ଦେଖୁଥିଲେ। ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ସେ ସେହି ୧୦ ଟଙ୍କାରେ ସ୍କୁଲ୍‌ ପିଲାଙ୍କୁ ଦୋସା ଓ ଇଡ୍‌ଲି ଯୋଗାଇ ଆସୁଛନ୍ତି। ଖାସ୍‌ କଥା ହେଉଛି ଶାରଦାଙ୍କର ଏହି ଷ୍ଟଲ୍‌କୁ କେବଳ ସ୍କୁଲ୍‌ ପିଲା ଆସନ୍ତି ତାହା ନୁହେଁ ସାଧାରଣ ଲୋକ ବି ଆସି ସେହି ଦାମ୍‌ରେ ଦୋସା ଓ ଇଡ୍‌ଲି ଖାଇଥାନ୍ତି। ହେଲେ ଶାରଦା ସ୍କୁଲ୍‌ ପିଲାଙ୍କ ସ୍ନେହରେ ଏମିତି ବାନ୍ଧି ହୋଇ ଯାଇଛନ୍ତି ଯେ, ସ୍କୁଲ୍‌ ଛୁଟିଦିନଗୁଡ଼ିକରେ ସେ ତାଙ୍କର ଏହି ଷ୍ଟଲ୍‌ ଖୋଲନ୍ତି ନାହିଁ। ଏପରି କି ମାସ ମାସ ଧରି ହେଉଥିବା ଖରାଦିନ ସ୍କୁଲ୍‌ ଛୁଟିରେ ବି ସେ ତାଙ୍କର ଏ ଷ୍ଟଲ୍‌କୁ ବନ୍ଦ ରଖିଥାନ୍ତି। ଆଉ ଅନ୍ୟ କିଛି କାମ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ପୁଣି ସ୍କୁଲ୍‌ ଖୋଲିଲେ ଷ୍ଟଲ ଖୋଲିବାକୁ ସେ ଚାଲି ଆସନ୍ତି। ଏବେ ଶାରଦାଙ୍କୁ ବୟସ ଆସି ୬୧ ବର୍ଷ ହେଲାଣି, ତଥାପି ସେ ଥକି ଯାଇ ନାହାନ୍ତି କି ହାରିନାହାନ୍ତି। ବରଂ ସବୁ ଦୁଃଖକଷ୍ଟକୁ ସହି କୁନି କୁନି ପିଲାମାନଙ୍କର ଭୋକିଲା ପେଟକୁ ଶସ୍ତାରେ ଖାଦ୍ୟ ଯୋଗାଉଥିବାରୁ ପିଲାମାନେ ତାଙ୍କୁ ଦୋସା ଓ ଇଡ୍‌ଲି ଆମ୍ମାର ଏକ ଭିନ୍ନ ପରିଚୟ ଦେଇଛନ୍ତି।


ଚେନ୍ନାଇର ଇଡ୍‌ଲି ପାଟି ମା’ସେଲଭଗାନି
ଚେନ୍ନାଇରେ ମଧ୍ୟ ୮୦ ବର୍ଷର ଜଣେ ବୃଦ୍ଧାଙ୍କୁ ସ୍ଥାନୀୟ ଲୋକେ ସ୍ନେହରେ ‘ଇଡ୍‌ଲି ପାଟି ମା’ ବା ଇଡ୍‌ଲି ଗ୍ରାଣ୍ଡ ମା’ବୋଲି ସମ୍ବୋଧନ କରିଥାନ୍ତି। କାରଣ ଆଜକୁ ପ୍ରାୟ ୧୯ ବର୍ଷ ହେବ ସେ ସ୍ଥାନୀୟ ଅଞ୍ଚଳରେ ଇଡ୍‌ଲି ବ୍ୟବସାୟ କରି ଆସୁଛନ୍ତି। କେବଳ ଇଡ୍‌ଲି ନୁହେଁ ତାଙ୍କ ଦୋକାନରେ ଦୋସା, ପୁରି, ଚପାତି ବି ବିକ୍ରି ହୋଇଥାଏ। ଏହି ବୃଦ୍ଧା ଜଣଙ୍କ ନାଁ ହେଉଛି ସେଲ୍‌ଭଗାନି। ନିଜର ବୋଲି କହିଲେ ତାଙ୍କର କେବଳ ଗୋଟିଏ ଝିଅ ହିଁ ଥିଲା। ଝିଅକୁ ବାହା ଦେଇ ହସଖୁସିରେ ତାଙ୍କର ଜୀବନ ବିତୁଥିଲା। ଜ୍ୱାଇଁଙ୍କର ଗୋଟିଏ ମିଠା ଦୋକାନ ଥିଲା। ସେଇଥିରେ ତାଙ୍କର ପରିବାର ଚଳୁଥିଲା। ହେଲେ ହଠାତ୍‌ ତାଙ୍କ ଜ୍ୱାଇଁଙ୍କର ମୃତ୍ୟୁ ହୋଇଗଲା। ସେତେବେଳକୁ ତାଙ୍କ ଝିଅର ଛୁଆପିଲା ବି ହୋଇ ସାରିଥାଏ। ଛୋଟ ଛୁଆକୁ ଛାଡି ତାଙ୍କ ଝିଅ କେଉଁଠି ଯାଇ କାମ କରିବ ଏକଥା ସେଲ୍‌ଭଗାନିଙ୍କର ଆଦୌ ପସନ୍ଦ ନ ଥିଲା। ତେଣୁ ସେ ଝିଅର ପରିବାର କଥା ବୁଝିବା ପାଇଁ ଘରୁ ଗୋଡ଼ କାଢିଲେ ଆଉ ସ୍ଥାନୀୟ ବଜାରରେ ଏକ ଜଳଖିଆ ଦୋକାନ ଖୋଲିଲେ। ଇଡ୍‌ଲି-ସମ୍ବର-ଚଟଣିରୁ ଆରମ୍ଭ ହୋଇଥିଲା ତାଙ୍କର ବ୍ୟବସାୟ। ଧୀରେ ଧୀରେ ତାଙ୍କ ହାତ ତିଆରି ଖାଦ୍ୟ ଗ୍ରାହକଙ୍କୁ ପସନ୍ଦ ଆସିବାରୁ ତାଙ୍କର ଭଲ ବେପାର ହେଲା। କ୍ରମେ ସିଏ ଇଡ୍‌ଲି ସହିତ ଦୋସା, ପୁରି, ଚପାତି ଇତ୍ୟାଦି ତିଆରି କରି ବିକିବାକୁ ଲାଗିଲେ, ସେ ପୁଣି ବେଶ୍‌ ସୁଲଭ ଦରରେ। ଏପରି କି ଯଦି କୌଣସି ଗରିବ ଲୋକ ତାଙ୍କ ଦୋକାନକୁ ଆସନ୍ତି, ତା’ହେଲେ ସେ ତାଙ୍କୁ ମାଗଣାରେ ଖାଇବାକୁ ଦେଇଥାନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେଲ୍‌ଭଗାନି ତାଙ୍କର ଏହି ଦୋକାନ କାମରେ ଲାଗିଥାନ୍ତି। ତଥାପି ଥକି ପଡନ୍ତିନି। ସେ କୁହନ୍ତି, ଏ କାମ ହିଁ ତାଙ୍କୁ ଏ ବୟସରେ ଏମିତି ଫିଟ୍‌ ଆଉ ହେଲ୍‌ଦି ରହିବା ପାଇଁ ସାହାଯ୍ୟ କରୁଛି। ଯଦି ଅକସ୍ମାତ୍‌ କେବେ କେମିତି ତାଙ୍କର ଦୋକାନ ବନ୍ଦ ରୁହେ, ତା’ହେଲେ ସେଦିନ ତାଙ୍କୁ ଆଦୌ ଭଲ ଲାଗେନି। ବରଂ ଦେହହାତ ତାଙ୍କର ଘୋଳାବିନ୍ଧା ହୁଏ। ସେଥିପାଇଁ ସେ ସକ୍ଷମ ଥିବା ପର୍ଯ୍ୟନ୍ତ ଏ ଦୋକାନକୁ ସେମିତି ଚଲାଉଥିବେ ବୋଲି କହିଥାନ୍ତି। ଏପରିକି ସେ ନିଜ ପିଲାଙ୍କୁ ବି ସେଇ ଗୋଟିଏ କଥା କୁହନ୍ତି, ଅଳସୁଆ ନ ହୋଇ କାମଦାମ କଲେ ଦେହ ସୁସ୍ଥ ରହିବା ସହିତ ମନ ପ୍ରଫୁଲ୍ଲ ରହିଥାଏ।

ଝାଡ଼ଖଣ୍ଡର ଇଡ୍‌ଲି ମା’ ସୁଶାନ୍ତି
ଶୁଣାଯାଏ, ଝାଡ଼ଖଣ୍ଡର ଖୁଣ୍ଟି ଜିଲାରେ ସୁଶାନ୍ତି ପୂର୍ତ୍ତି ନାମ୍ନୀ ଜଣେ ମହିଳା ଅଛନ୍ତି। ତାଙ୍କୁ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ୱ ହେବ। ଏ ବୟସରେ ବି ପରିବାରର ସମସ୍ତ ଦାୟିତ୍ୱ ତାଙ୍କ କାନ୍ଧ ଉପରେ ରହିଛି। ଘର ଚଳାଇବା ପାଇଁ ଆଜକୁ ପ୍ରାୟ ୮/୯ ବର୍ଷ ହେବ ସେ ନିଜ ଘର ପାଖରେ ଏକ ଇଡ୍‌ଲି ଷ୍ଟଲ୍‌ ଖୋଲିଛନ୍ତି। ଯେଉଁଠାରେ ସେ ଇଡ୍‌ଲି-ସମ୍ବର-ଚଟଣି, ମାଲ୍‌ପୁଆ, ଗୁଲୁଗୁଲା ତଥା ଅନ୍ୟାନ୍ୟ ଛଣାଛଣି ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି। ଖାସ୍‌ କଥା ହେଉଛି, ଆଜିକାଲି ଗୋଟିଏ ଚା’କପ୍‌ର ମୂଲ୍ୟ କେଉଁଠି ୫ଟଙ୍କା ତ କେଉଁଠି ୧୦ ଟଙ୍କାରେ ବିକ୍ରି କରାଯାଉଥିବାବେଳେ ସୁଶାନ୍ତି ଖୁବ୍‌ କମ୍‌ ଟଙ୍କାରେ ଏହି ଜଳଖିଆ ସବୁକୁ ଗ୍ରାହକଙ୍କୁ ବିକ୍ରି କରିଥାନ୍ତି। ବିଶେଷକରି ଇଡ୍‌ଲି-ସମ୍ବର-ଚଟଣିକୁ ସେ ମାତ୍ର ୧ ଟଙ୍କା ମୂଲ୍ୟରେ ବିକିଥାନ୍ତି। ଆବଶ୍ୟକସ୍ଥଳେ ଯଦି କୌଣସି ଗରିବ କିମ୍ବା ଅସହାୟ ବ୍ୟକ୍ତି ତାଙ୍କ ଦୋକାନକୁ ଆସନ୍ତି, ତା’ହେଲେ ସୁଶାନ୍ତି ତାଙ୍କୁ ମାଗଣାରେ ଖାଇବାକୁ ମଧ୍ୟ ଦେଇଥାନ୍ତି। ଏପରିକି ଛୋଟ ଛୋଟ ସ୍କୁଲ୍‌ ପିଲାଙ୍କୁ ଦେଖିଲେ ସେମାନଙ୍କୁ ସ୍ନେହରେ ଖାଇବାକୁ ଦେବାକୁ ତାଙ୍କୁ ଭଲ ଲାଗେ। ସେଥିପାଇଁ ସେ ସ୍ଥାନୀୟ ଅଞ୍ଚଳରେ ଇଡ୍‌ଲି ମା’ ଭାବେ ପରିଚିତ। ଏହିପରି ଭାବେ ଜଳଖିଆ ବିକି ଦିନକୁ ମାତ୍ର ୫୦/୬୦ ଟଙ୍କା ତାଙ୍କର ରୋଜଗାର ହୋଇଯାଏ। ତଥାପି ତାଙ୍କ ମନରେ କିଛି ବି ଅବସୋସ ନ ଥାଏ। ସୁଶାନ୍ତିଙ୍କ ମତରେ, ଛୋଟଛୁଆ ତଥା ଅସହାୟ ଲୋକଙ୍କୁ ଖାଇବାକୁ ଦେବାରେ ଯେଉଁ ଶାନ୍ତି ମିଳେ ତାହା ଅନ୍ୟ କେଉଁଥିରେ ମିଳେ ନାହିଁ। ଭଗବାନ ଯଦି ତାଙ୍କୁ ଏହି ସୁଯୋଗ ଦେଇଛନ୍ତି, ତା’ହେଲେ ସେ କାହିଁକି ତାକୁ ହାତଛଡ଼ା କରିବେ। ତା’ଛଡ଼ା ତାଙ୍କ ସ୍ବାମୀ ଚାର୍‌ପାଇ ତିଆରି କରି କିଛି ପଇସା ରୋଜଗାର କରନ୍ତି। ତା’ସହିତ ଜଳଖିଆ ଦୋକାନରୁ ଯେତିକି ବି ଆୟ ହୁଏ ସେଥିରେ ପରିବାରର ଗୁଜୁରାଣ ମେଣ୍ଟିଯାଏ। ତେଣୁ ସେ ଆଉ କାହିଁକି ବେଶି ଲୋଭ କରିବେ। ବରଂ ଛୋଟମୋଟ ସେବା କରି କିଛିଟା ପୁଣ୍ୟ ଅର୍ଜିଲେ କ୍ଷତି କ’ଣ। ସୁଶାନ୍ତିଙ୍କର ଏହି ଚିନ୍ତାଧାରା ଆଜିର ସମାଜକୁ ଅନେକ କିଛି ଶିକ୍ଷା ଦେଇଥାଏ।

ସତରେ, ଏଠାରେ ଯେଉଁ ମହିଳାମାନଙ୍କ ସମ୍ପର୍କରେ ବର୍ଣ୍ଣନା କରାଗଲା, ସେମାନେ ଆଜିର ଏ ସମାଜ ପାଇଁ ଜଣେ ଜଣେ ଉଦାହରଣ। ପରିବାରର ଦାୟିତ୍ୱ ବୁଝିବା ସହ ଗରିବ ଓ ଅସହାୟ ଲୋକଙ୍କର ପେଟକଥା ବୁଝିବାକୁ ଯାଇ ସେମାନେ ନିଜର ବୟସକୁ ବି ଖାତିର କରୁନାହାନ୍ତି। ଆଉ ସେମାନଙ୍କର ଏହି ଦୃଢ଼ ମନୋବଳକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri