ଇଟାଲୀ ଭଳି ଭାରତରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା !

ନୂଆଦିଲ୍ଲୀ,୯।୪: ଲକ୍‌ଡାଉନ୍‌ ପରେ ବି ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା ଦେଖାଯାଉନାହିଁ। ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ୧୫୦ ଅତିକ୍ରମ କରି ଗଲାଣି। ବିଶେଷଜ୍ଞଙ୍କ କହିବା କଥା ହେଲା ଭାରତ ଏବେ ଥାର୍ଡ ଷ୍ଟେଜ ଆଡକୁ ପାଦ ବଢାଇବାକୁ ଯାଉଛି। ହେଲେ ଏବେ ବି ସମୟ ଅଛି କରୋନାକୁ ରୋକିବାକୁ। କିନ୍ତୁ କମ୍ୟୁନିଟି ଟ୍ରାନ୍ସମିଶନ ପରେ ଏହାକୁ ରୋକିବା କାଠିକର ପାଠ ହେବ ବୋଲି କୁହାଯାଉଛି। ବିଶେଷଜ୍ଞ ମତରେ ଭାରତ ଏବେ ଇଟାଲୀ ଭଳି କରୋନା ସଂକ୍ରମଣ କ୍ଷେତ୍ରରେ ଆଗକୁ ବଢୁଛି। ଲକ୍‌ଡାଉନ୍‌ ଅବଧି ଏବେ ଶେଷ ନ ହେବା ସଙ୍କେତ କହୁଛି ଦେଶ ଏବେ ନିଶ୍ଚିତ ଭାବେ ଜଟିଳ ପରିସ୍ଥିତିରେ ରହିଛି। ଇଟାଲୀରେ ଏବେସୁଦ୍ଧା ୧୭ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ ଏହି ସଂଖ୍ୟା ୧୫୦ ଉପରକୁ ଗଲାଣି। ଏକ ରିପୋର୍ଟ ଅନୁଯାୟୀ ଏପ୍ରିଲ ୧ରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥିଲା ପ୍ରାୟ ୧୯୯୬ ଯେଉଁଥିରୁ ପାଖାପାଖି ୫୮ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ମାର୍ଚ୍ଚ ୧ରେ ଇଟାଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥିଲା ପ୍ରାୟ ୧୫୭୭ ଓ ମୃତକଙ୍କ ସଂଖ୍ୟାଥିଲା ପାଖାପାଖି ୩୪। ସେହିପରି ଇଟାଲୀରେ ୬ ମାର୍ଚ୍ଚରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯାହା ଥିଲା ଭାରତରେ ୬ ଏପ୍ରିଲରେ ପାଖାପାଖି ସମାନ ଥିଲା ବୋଲି କୁହାଯାଉଛି। ଏହାସହ କରୋନା ଗ୍ରାଫକୁ ଦେଖି ବିଶେଷଜ୍ଞମାନେ କହିଛନ୍ତି ଇଟାଲୀରେ ପ୍ରତିଦିନ ଯେତିକି ସଂକ୍ରମିତ ହେଉଛନ୍ତି ଓ ଯେତିକି ଲୋକଙ୍କର ମୃତ୍ୟୁ ହେଉଛି ଭାରତରେ ଏହା ପାଖାପାଖି ସେତିକି ହେଉଥିବାରୁ ଦେଶରେ ଇଟାଲୀ ଭଳି ସ୍ଥିତି ଉପୁଜିପାରେ ବୋଲି ଅନୁମାନ କରାଯାଉଛି। ତେବେ ଏଠାରେ ଟେଷ୍ଟିଂ ସୁବିଧା ନ ଥିବାରୁ ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ପାରୁ ନାହିଁ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି। ତେଣୁ ଆଗକୁ ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।

Share