ଇଟାଲୀକୁ ଟପି ୪ର୍ଥ ସ୍ଥାନରେ ରୁଷିଆ

ଓ୍ବାଶିଂଟନ/ମସ୍କୋ/ଲଣ୍ଡନ, ୧୨ା୫: ବିଗିିଡ଼ିବାରେ ଲାଗିଛି କରୋନା ସ୍ଥିତି। ବିଶ୍ୱକୁ ଥରହର କରି ଆତଙ୍କର ବାତାବରଣ ସୃଷ୍ଟିକରିଛି ଏହି ମହାମାରୀ ଭୂତାଣୁ। ସୋମବାର ସୁଦ୍ଧା ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୪୨ ଲକ୍ଷ ୨୧ ହଜାର ଅତିକ୍ରମ କରିଥିବା ବେଳେ ଗଲାଣି ୨.୮୫ ଲକ୍ଷ ଜୀବନ। ସବୁଠାରୁ ବଡ଼କଥା ହେଲା ଉଗ୍ର ସଂକ୍ରମଣ ସ୍ଥିତି। ସୋମବାର ଗୋଟିଏ ଦିନରେ ୪୪ ହଜାର ନୂଆ ମାମଲା ସାମ୍ନାକୁ ଆସିଛି ଓ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। କେବଳ ଆମେରିକାରେ ଏବେ ୧୩.୭୦ ଲକ୍ଷ କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୮୦ ହଜାର ୮୭୫ରେ ପହଞ୍ଚିଛି। ଗତ କିଛିଦିନ ମଧ୍ୟରେ ରୁଷିଆରେ ଭୟଙ୍କର ଭାବେ ସଂକ୍ରମଣ ସ୍ଥିତି ଦେଖିବାକୁ ମିଳିଛି। ବର୍ତ୍ତମାନ ଏଠାରେ ୨.୨୧ ଲକ୍ଷ କରୋନା ରୋଗୀ ଥିବାବେଳେ ଏହି ସଂଖ୍ୟା ଇଟାଲୀକୁ ଟପିଛି। ଇଟାଲୀରେ ୨.୧୯ ଲକ୍ଷ କରୋନା ସଂକ୍ରମିତ ଅଛନ୍ତି। ଫ୍ରାନ୍ସ, ଜର୍ମାନୀ ପରେ ଇଟାଲୀକୁ ଟପି ରୁଷିଆ ଏବେ ବିଶ୍ୱର ସର୍ବାଧିକ କରୋନା ରୋଗୀ ତାଲିକାର ଚତୁର୍ଥ ସ୍ଥାନ ଅଧିକାର କରିଛି। ଯଦିଓ ରୁଷିଆରେ ମୃତ୍ୟୁସଂଖ୍ୟା ୨ ହଜାର ରହିଛି, ତେବେ ଭବିଷ୍ୟତ ସ୍ଥିତି ଜଟିଳ ହେବା ଆଶଙ୍କା ଏଠାରେ ଦେଖାଦେଇଛି।
ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ସ୍ପେନ୍‌ ଦ୍ୱିତୀୟରେ ରହିଛି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୨.୬୮ ଲକ୍ଷ ଟପିଛି। ସ୍ପେନ୍‌ରେ ୨୬,୭୪୪ ମୁଣ୍ଡ କରୋନା ନେଇଥିବା ବେଳେ ଇଟାଲୀରେ ଯାଇଛି ୩୦,୫୬୦ ଜୀବନ। ବିଶ୍ୱର ତୃତୀୟ ସର୍ବାଧିକ ସଂକ୍ରମିତ ତାଲିକାର ତୃତୀୟ ସ୍ଥାନରେ ରହିଛି ବ୍ରିଟେନ। ଏଠାରେ ସୋମବାର ସୁଦ୍ଧା ୨,୨୩ ଲକ୍ଷ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୩୨ ହଜାର ଟପିଛି। ୨୪ ଘଣ୍ଟାରେ ଏଠାରେ ୩,୯୦୦ ନୂଆ ମାମଲା ସାମ୍ନାକୁ ଆସିଛି ଓ ୨୧୦ ଜଣ ପ୍ରାଣ ହରାଇଛନ୍ତି। ରୁଷିଆ ଭଳି ବ୍ରିଟେନରେ କରୋନା ଭୟଙ୍କର ତାଣ୍ଡବ ରଚିଚାଲିଛି। ଫ୍ରାନ୍ସରେ ୧.୭୬ ଲକ୍ଷ, ଜର୍ମାନୀରେ ୧.୭୧ ଲକ୍ଷ ସଂକ୍ରମିତ ଅଛନ୍ତି। ଏହି ଦୁଇଦେଶରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଯଥାକ୍ରମେ ୨୬,୩୮୦ ଓ ୭,୫୭୦ରେ ପହଞ୍ଚିଛି। ବ୍ରାଜିଲ, ତୁର୍କୀ, ଇରାନରେ ଲକ୍ଷାଧିକ ସଂକ୍ରମିତ ଅଛନ୍ତି। ଏହି ୩ ଦେଶରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଯଥାକ୍ରମେ ୧୧,୨୦୭; ୩,୭୮୬ ଓ ୬,୬୮୫ କୁ ବୃଦ୍ଧିପାଇଛି।
ଅନ୍ୟଦେଶଗୁଡ଼ିକ ମଧ୍ୟରେ ଚାଇନାରେ ୪,୬୩୩, ବେଲଜିୟମରେ ୮,୭୦୭, ନେଦରଲାଣ୍ଡ୍ସରେ ୫,୪୫୬, ମେକ୍ସିକୋରେ ୩,୪୬୫, ସ୍ବିଡେନରେ ୩,୨୫୬, ଭାରତରେ ୨,୨୫୪, ସୁଇଜରଲାଣ୍ଡରେ ୧,୮୩୭ ଜଣ ପ୍ରାଣ ହରାଇଛନ୍ତି। ବିଶ୍ୱରେ ଯଦିଓ ଏପର୍ଯ୍ୟନ୍ତ ୧୫.୧୦ ଲକ୍ଷ ଲୋକ ଆରୋଗ୍ୟ ଲାଭ କଲେଣି, ତଥାପି କରୋନା ଭୂତାଣୁ ଦାଉରୁ ରକ୍ଷାଲାଗି ସଫଳ ଔଷଧ ବାହାରି ନ ଥିବାରୁ ଲୋକଙ୍କ ମନରେ ଆତଙ୍କ ଦେଖାଦେଇଛି। ଏଭଳି ସ୍ଥିତିରେ ସାମାଜିକ ଦୂରତ୍ୱ ରକ୍ଷା ସହ ଲକ୍‌ଡାଉନ୍‌କୁ ମାନିଚଳିବା ଉପରେ ଗୁରୁତ୍ୱ ଦିଆଯାଉଛି। ପରିସ୍ଥିତି ଯେତିକି ସ୍ବାଭାବିକ ହେଉଛି, ତା’ଠାରୁ ଅଧିକ ଯତ୍ନବାନ ନ ହେଲେ ଭୂତାଣୁ କର ଲେଉଟାଇବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି କୁହାଯାଉଛି।

Share