Categories: ଜାତୀୟ

ଇଟାଲି, ଇରାନରୁ ଭାରତୀୟଙ୍କୁ ଫେରାଇ ଅଣାଯିବ

ନୂଆଦିଲ୍ଲୀ, ୧୨।୩: କରୋନା ପ୍ରଭାବିତ ଇଟାଲି, ଇରାନ ଆଦି ଦେଶରୁ ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ଫେରାଇ ଅଣାଯିବା ଲାଗି କେନ୍ଦ୍ର ସରକାର ଅଗ୍ରାଧିକାର ଦେଉଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ପ୍ରକାଶ କରିଛନ୍ତି। ଗୁରୁବାର ସୁଦ୍ଧା ଇଟାଲିକୁ ଏକ ଡାକ୍ତରୀ ଦଳ ପଠାଯିବ ଓ ସେଠାରେ ଥିବା ଭାରତୀୟଙ୍କୁ ପରୀକ୍ଷା କରାଯିବ। ଇରାନରୁ ୫୨୯ ଲୋକଙ୍କଠାରୁ ସାମ୍ପଲ ଅଣାଯାଇ ସାରିଥିବା ସେ କହିଛନ୍ତି। ରାଜ୍ୟ ସଭାରେ ଜୟଶଙ୍କର କହିଛନ୍ତି, ୫୮ ଭାରତୀୟଙ୍କୁ ଇରାନରୁ ଅଣାଯାଇ ସାରିଛି। ଅଧିକ ଭାରତୀୟଙ୍କୁ ଆଣିବା ଲାଗି ଇରାନ ଅଧିକାରୀଙ୍କ ସହ ଯୋଗଯୋଗରେ ଅଛି। ଭାରତୀୟଙ୍କ ଜୀବନରକ୍ଷାକୁ ସର୍ବାଧିକ ଅଗ୍ରାଧିକାର ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି। ଇରାନରେ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ଟପିଛି। ଇଟାଲିରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଲାଣି। ଏହାକୁ ଦେଖି କେନ୍ଦ୍ର ସରକାର ପରିସ୍ଥିତି ଉପରେ ତୀକ୍ଷ୍ନଦୃଷ୍ଟି ରଖିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦୈନିକ ସମୀକ୍ଷା କରୁଛି ବୋଲି ଜୟଶଙ୍କର ପ୍ରକାଶ କରିଛନ୍ତି।

Share