ଇଟାର ଜବାବ ପଥରରେ ଦିଆଯିବ

ଇସ୍‌ଲାମାବାଦ,୧୫ା୮(ପି.ଟି./ଆଇଏଏନ୍‌ଏସ୍‌):ଭାରତର ପ୍ରତ୍ୟେକ ଇଟା ମାଡ଼ର ଜବାବ ପଥରରେ ଦିଆଯିବ ବୋଲି ଜମ୍ମୁ-କଶ୍ମୀର ସମ୍ପର୍କିତ ନିଷ୍ପତ୍ତିକୁ ନେଇ ବିଚଳିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବୁଧବାର ପୁଣି ଯୁଦ୍ଧ ଧମକ ଦେଇଛନ୍ତି। କଶ୍ମୀର ପ୍ରସଙ୍ଗକୁ ଜାତିସଂଘ ସମେତ ସମସ୍ତ ବିଶ୍ୱ ମଞ୍ଚରେ ଉଠାଯିବ ବୋଲି କହିବା ସହ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନାକୁ ନେଇ ଅନ୍ତର୍ଜାତୀୟ ସମୁଦାୟର ନୀରବତା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି।
ପାକିସ୍ତାନର ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପିଓକେ ରାଜଧାନୀ ମୁଜାଫରାବାଦରେ ବିଧାନସଭାକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ସେଥିପାଇଁ ଅନ୍ତର୍ଜାତୀୟ ସମୁଦାୟ ଦାୟୀ ରହିବ। ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ରଣନୈତିକ ଭୁଲ। ମୋଦି ତାଙ୍କର ଶେଷ କାର୍ଡ ଖେଳିଛନ୍ତି। ଏଥିପାଇଁ ମୋଦି ଓ ଭାଜପାକୁ ବହୁମୂଲ୍ୟ ଦେବାକୁ ପଡ଼ିବ। କାରଣ ସେମାନେ କଶ୍ମୀର ପ୍ରସଙ୍ଗର ଆନ୍ତର୍ଜାତିକୀକରଣ କରିଛନ୍ତି। ଏବେ ବିଶ୍ୱର ନଜର କଶ୍ମୀର ଓ ପାକିସ୍ତାନ ଉପରେ ରହିଛି। ତେଣୁ ପ୍ରତ୍ୟେକ ଅନ୍ତର୍ଜାତୀୟ ମଞ୍ଚରେ କଶ୍ମୀରୀଙ୍କ ସ୍ବର ଉଠାଇବା ପାଇଁ ନିଜେ ଆମ୍ବାସାଡର ହେବାକୁ ଚାହଁାନ୍ତି ବୋଲି ଇମ୍ରାନ୍‌ କହିଛନ୍ତି। କଶ୍ମୀରରେ କିଛି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭାରତ ଯୋଜନା କରୁଛି ବୋଲି ପାକିସ୍ତାନ ପାଖରେ ସୂଚନା ରହିଛି।

Share