Categories: ଖେଳ

ଇଞ୍ଜୁରୀ କାରଣରୁ ୨୦୨୧ ଆରମ୍ଭ ପର୍ଯ୍ୟନ୍ତ ଫେଡରର ଖେଳିବେନି

ଲଣ୍ଡନ,୧୦।୬(ଏପି): ଚଳିତ ୨୦୨୦ ବର୍ଷରେ ଆୟୋଜନ ହେବାକୁ ଥିବା ବାକି ଟୁର୍ନାମେଣ୍ଟଗୁଡିକରୁ ବାଦ୍‌ ପଡିଛନ୍ତି ସୁଇଜରଲାଣ୍ଡ ଅଭିଜ୍ଞ ଟେନିସ୍‌ ତାରକା ରୋଜର ଫେଡରର। ଡାହାଣ ଆଣ୍ଠୁରେ ଦେଖାଦେଇଥିବା ଆଘାତ ସମସ୍ୟା ଓ ଅସ୍ତ୍ରୋପଚାରରୁ ସେ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ଲାଭ କରିପାରିନାହାନ୍ତି। ଫଳରେ ତାଙ୍କୁ ଦ୍ୱିତୀୟଥର ପାଇଁ ଆଣ୍ଠୁରେ ଅସ୍ତ୍ରୋପଚାର କରାଇବାକୁ ପଡିଛି। ୨୦୨୧ ଆରମ୍ଭ ପର୍ଯ୍ୟନ୍ତ ସେ ଟେନିସରୁ ଦୂରେଇ ରହିବା ନିଶ୍ଚିତ ହୋଇଛି। ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ଫେଡରର ବୁଧବାର ଟୁଇଟରରେ ଏକ ପୋଷ୍ଟ ଅପ୍‌ଲୋଡ କରି ସୂଚନା ଦେଇଛନ୍ତି। ୨୦୨୦ର ବାକିଥିବା ଟୁର୍ନାମେଣ୍ଟରୁ ବାଦ୍‌ ପଡିଛି ବୋଲି ସେ ଉଲ୍ଲେଖ କରିଛନ୍ତି।
ଗତ ଫେବୃୟାରୀରେ ୩୮ ବର୍ଷୀୟ ଫେଡରରଙ୍କର ଡାହାଣ ଆଣ୍ଠୁରେ ଆର୍ଥୋସ୍କୋପିକ୍‌ ସର୍ଜରି କରାଯାଇଥିଲା। ସେତେବେଳେ ସେ ୪ ମାସ ଟେନିସରୁ ଦୂରେଇ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଏହାପରେ କୋଭିଡ୍‌-୧୯ ମହାମାରୀର ବିସ୍ଫୋରଣ ହୋଇଥିଲା। ଖେଳିବା ପୂବରୁ ଶତପ୍ରତିଶତ ସୁସ୍ଥ ତଥା ଫିଟ୍‌ ହେବାକୁ ଚାହେଁ। ୨୦୨୧ ସେସନ ଆରମ୍ଭରେ ଟେନିସକୁ ପ୍ରତ୍ୟାବର୍ତ୍ତନ କରିବି ବୋଲି ସେ ଆଶାପ୍ରକାଶ କରିଛନ୍ତି। କରୋନା ଭାଇରସର ଆତଙ୍କ ସତ୍ତ୍ୱେ ଫ୍ରେଞ୍ଚ୍‌ ଓପନ ଓ ୟୁଏସ୍‌ ଓପନ୍‌ ଆୟୋଜନ କରିବାକୁ ଆୟୋଜକମାନେ ବେଶ୍‌ ଆଶାବାଦୀ ଅଛନ୍ତି।

Share