ଇଂଲଣ୍ଡ ବିଶ୍ୱକପ୍‌ ଦଳରେ ୫ ଅଣବ୍ରିଟିଶ୍‌ ଖେଳାଳି

ଲଣ୍ଡନ,୨୭।୫- ଆସନ୍ତା ୩୦ ତାରିଖଠାରୁ ଆଇସିସି ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ଏହି ବିଶ୍ୱକପ୍‌ ଲାଗି ଫେଭରାଇଟ ଗଣାଯାଉଥିବା ଇଂଲଣ୍ଡ ଦଳରେ ଅଣ ବ୍ରିଟିଶ୍‌ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଇଆନ ମୋର୍ଗାନ, ଜୋଫ୍ରା ଆର୍ଚର, ବେନ୍‌ ଷ୍ଟୋକ୍ସ, ଜାସନ ରୟ ଓ ଟମ୍‌ କୁରାନ। ଦଳର ଅଧିନାୟକ ଦାୟିତ୍ୱ ପାଇଥିବା ମୋର୍ଗାନ ପ୍ରକୃତରେ ଆୟର୍ଲାଣ୍ଡର ଖେଳାଳି। ସେ ୨୦୦୩ରୁ ୨୦୦୯ ପର୍ଯ୍ୟନ୍ତ ଆୟର୍ଲାଣ୍ଡ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ତା’ପରେ ଇଂଲଣ୍ଡ ପକ୍ଷରୁ ଖେଳିବା ଆରମ୍ଭ କରିଛନ୍ତି। ଇଂଲଣ୍ଡ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ଅଭିଜ୍ଞ ଅଲରାଉଣ୍ଡର ଷ୍ଟୋକ୍ସ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ଜନ୍ମ ହୋଇଥିଲେ। କ୍ରିକେଟର ହେବା ପାଇଁ ୧୨ ବର୍ଷ ବୟସରେ ସେ ଇଂଲଣ୍ଡ ଆସିଥିଲେ। ନିକଟରେ ପଦାର୍ପଣ କରିଥିବା ପେସର ଆର୍ଚର ଜଣେ ଓ୍ବେଷ୍ଟଇଣ୍ଡିଆନ। ବାର୍ବାଡସ୍‌ରେ ଜନ୍ମିତ ଖେଳାଳି ୧୯ ବର୍ଷରୁ କମ୍‌ ଓ୍ବେଷ୍ଟଇଣ୍ଡିଜ ଦଳରେ ଖେଳିଥିଲେ। ଏହାପରେ ୨୦୧୮ରେ ଇସିବି ଅଣ ବ୍ରିଟିଶ ଖେଳାଳିଙ୍କ ଲାଗି ନିୟମ ପରିବର୍ତ୍ତନ କରିବା ପରେ ଆର୍ଚରଙ୍କୁ ଇଂଲଣ୍ଡ ଦଳରେ ସ୍ଥାନ ମିଳିଥିଲା। ଦଳର ଅନ୍ୟତମ ଅଲରାଉଣ୍ଡର ଟମ୍‌ କୁରାନ ଦକ୍ଷିଣ ଆଫ୍ରିକାର କେପ୍‌ଟାଉନରେ ଜନ୍ମିତ। ତାଙ୍କ ବାପା ଜଣେ ଅନ୍ତର୍ଜାତୀୟ ଜିମ୍ବାଓ୍ବେ କ୍ରିକେଟର ଥିଲେ। କୁରାନଙ୍କ ସ୍କୁଲ ପାଠପଢ଼ା ଜିମ୍ବାଓ୍ବେରେ ଶେଷ ହୋଇଥିଲା। କଲେଜରେ ପଢ଼ିବାବେଳେ ସେ ୨୦୧୫ରେ ଇଂଲଣ୍ଡର ନାଗରିକତା ହାସଲ କରିଥିଲେ। ତାଙ୍କ ଭଳି ଦକ୍ଷିଣ ଆଫ୍ରିକାର ଡର୍ବାନରେ ଜନ୍ମିତ ଜାସନ ରୟ ୧୦ ବର୍ଷ ବୟସରେ ପରିବାର ସହ ଇଂଲଣ୍ଡ ଆସିଥିଲେ। ସୁରେ ପକ୍ଷରୁ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିବା ରୟ ଇଂଲଣ୍ଡ ବିଶ୍ୱକପ୍‌ ଦଳର ଓପ୍‌ନର।

Share