Categories: ଖେଳ

ଇଂଲଣ୍ଡ ଗସ୍ତ ପୂର୍ବରୁ ୧୦ ପାକିସ୍ତାନୀ କ୍ରିକେଟରଙ୍କୁ କରୋନା

ଇସ୍‌ଲାମବାଦ୍‌, ୨୩।୬- ଇଂଲଣ୍ଡ ଗସ୍ତ ପୂର୍ବରୁ ୧୦ ପାକିସ୍ତାନ କ୍ରିକେଟର୍‌ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ୩ ଜଣ ଖେଳାଳି ସୋଏବ ଖାନ୍‌, ହାରିସ ରଫ୍‌ ଓ ହାଇଦର ଅଲି କରୋନା ଆକ୍ରାନ୍ତ ହୋଇଥିଲେ। ମଙ୍ଗଳବାର ଆଉ ୭ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ପକ୍ଷରୁ  ଏହା ସ୍ପଷ୍ଟ କରାଯାଇଛି। ମଙ୍ଗଳବାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖେଳାଳିମାନେ ହେଲେ ଓ୍ବାହବ ରିଆଜ, ମହମ୍ମଦ ହାଫିଜ, ଫାକର ଜମାନ, ମହମ୍ମଦ ରିଜଓ୍ବାନ, କାଶିଫ୍‌ ଭଟ୍ଟି, ମହମ୍ମଦ ହସନଇନ ଓ ଇମ୍ରାନ ଖାନ୍‌। ସେହିଭଳି ସପୋର୍ଟ ଷ୍ଟାଫ୍‌ ମଲାଙ୍ଗ ଅଲି ଓ ଜଣେ ମାଲିସବାଲା ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପିସିବି ପକ୍ଷରୁ ସମସ୍ତ ଆକ୍ରାନ୍ତ ଖେଳାଳିଙ୍କୁ ଘରେ କଡ଼ାକଡ଼ି ଭାବେ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ଜୁନ୍‌ ୨୮ରେ ପାକିସ୍ତାନ କ୍ରିକେଟ୍‌ ଦଳ ଟେଷ୍ଟ ସିରିଜ ଖେଳିବା ଲାଗି ଇଂଲଣ୍ଡ ଗସ୍ତରେ ଯିବାର କାର୍ଯ୍ୟସୂଚୀ ରହିଥିଲା। କରୋନାକୁ ନଜରରେ ରଖି ବୋର୍ଡ ପକ୍ଷରୁ ୨୯ ଜଣିଆ ଖେଳାଳି ତାଲିକା ମଧ୍ୟ ନିକଟରେ ଘୋଷଣା କରାଯାଇଥିଲା। କିନ୍ତୁ ୧୦ ଜଣ ଖେଳାଳି କରୋନା ଆକ୍ରାନ୍ତ ହେବାପରେ ଏହି ସିରିଜ ଏବେ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି।

Share