ଇଂଲଣ୍ଡରେ ଟେନିସ କୋର୍ଟ, ଗଲ୍ଫ କୋର୍ସ ପୁଣି ଖୋଲାଯିବ

ଲଣ୍ଡନ,୧୧।୫ (ଏପି): ବୁଧବାରଠାରୁ ଇଂଲଣ୍ଡରେ ଟେନିସ କୋର୍ଟ ଓ ଗଲ୍ଫ କୋର୍ସ ସବୁ ପୁଣି ଖୋଲାଯିବ ବୋଲି ବ୍ରିଟିଶ୍‌ ସରକାର କହିଛନ୍ତି। ତେବେ ନିଜ ସାଥି ଖେଳାଳିଙ୍କ ସହ କ୍ରୀଡ଼ାବିତ୍‌ମାନେ ଖେଳିପାରିବେ ବୋଲି କୁହାଯାଇଛି। କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ମାର୍ଚ୍ଚ ବ୍ରିଟେନ୍‌ରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଫଳରେ ସ୍ପୋଟର୍‌ସ ଭେନ୍ୟୁଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଜିମ ଓ ସୁଇମିଂପୁଲକୁ ବନ୍ଦ ରଖାଯାଇଥିଲା। ତେବେ ସମୁଦ୍ର ଓ ହ୍ରଦରେ ସନ୍ତରଣ କରିବାକୁ ଅନୁମତି ପ୍ରଦାନ କରାଯାଇଥିଲା। ସ୍କଟଲାଣ୍ଡ, ଓ୍ବେଲ୍ସ ଓ ନର୍ଦନ ଆୟର୍ଲାଣ୍ଡ ଟେନିସ କୋର୍ଟ, ଗଲ୍ଫ କୋର୍ସ ଖୋଲିବା ନେଇ ସେମାନଙ୍କର ସ୍ବତନ୍ତ୍ର ନିଷ୍ପତ୍ତି ନେଇପାରିବେ। ଏହି ୩ଟି ଅଞ୍ଚଳର ପ୍ରଶାସକ ଲକ୍‌ଡାଉନ ନିୟମକୁ ଆହୁରି କଡାକଡି କରିବେ ବୋଲି ସୂଚନା ଦେଇଛନ୍ତି। ରବିବାର ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏନେଇ ଦେଶକୁ ଉଦ୍‌ବୋଧନ ଦେଇଥିଲେ। କେତେକ କଟକଣା ଉଠାଇବାକୁ ସେ କହିଥିଲେ। ତେବେ ସାମାଜିକ ଦୂରତ୍ୱ ରକ୍ଷା ଉପରେ ସେ ଅଧିକ ଗୁରୁତ୍ୱ ଦେଇଥିଲେ। ଲୋକେ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେ, କିନ୍ତୁ ନିଜର ସାଥୀ ଖେଳାଳିଙ୍କ ସହ ଖେଳିପାରିବେ ବୋଲି ସେ ସ୍ପଷ୍ଟ କରିଥିଲେ। ତେବେ ପେସାଦାର କ୍ରୀଡ଼ାର ପୁନଃଆରମ୍ଭ ନେଇ ସେ କୌଣସି ସୂଚନା ଦେଇନାହାନ୍ତି।

Share