Categories: ଖେଳ

ଇଂଲଣ୍ଡକୁ ହରାଇଲା ଦକ୍ଷିଣ ଆଫ୍ରିକା

ସେଞ୍ଚୁରିଅନ୍‌, ୩୦ା୧୨ (ଏଏଫ୍‌ପି)-ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ସିରିଜରେ ଦକ୍ଷିଣ ଆଫ୍ରିକା ଏହାର ପ୍ରଥମ ଟେଷ୍ଟ ବିଜୟ ହାସଲ କରିଛି। ରବିବାର ସ୍ଥାନୀୟ ସୁପର ସ୍ପୋଟର୍‌ସ ପାର୍କଠାରେ ଦଳ ୧୦୭ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ୪ ଦିନରେ ଶେଷ ହୋଇଥିବା ଏହି ମ୍ୟାଚରେ ଇଂଲଣ୍ଡ ବିଜୟ ପାଇଁ ୩୭୬ ରନ ଆବଶ୍ୟକ କରୁଥିଲା। କିଛି ଭଲ ବ୍ୟାଟିଂ ସତ୍ତ୍ୱେ ଦଳ ଏହାର ଦ୍ୱିତୀୟ ଇନିଂସରେ ୨୬୮ରନ କରି ଅଲଆଉଟ ହୋଇଯାଇଥିଲା। ଏହି ରୋମାଞ୍ଚକ ମ୍ୟାଚରେ ଦ୍ୱିତୀୟ ନୂଆ ବଲ୍‌ ଆସିବା ପୂର୍ବରୁ ବେନ୍‌ ଷ୍ଟୋକ୍ସ ଏବଂ ଅଧିନାୟକ ଜୋ ରୁଟ୍‌ ଦ୍ରୁତ ରନ ସଂଗ୍ରହ କରି ଦଳର ସ୍କୋରକୁ ଆଗେଇ ନେବାକୁ ଚେଷ୍ଟା କରୁଥିବାବେଳେ ବାମହାତୀ ସ୍ପିନର କେଶବ ମହାରାଜ ଅନ୍ତରାୟ ସୃଷ୍ଟି କରିଥିଲେ। ସେ ଷ୍ଟୋକ୍ସଙ୍କୁ ବୋଲ୍ଡ କରିଦେଇଥିଲେ। ନୂଆ ବଲ୍‌ ଆସିବାପରେ ତାହାର ପ୍ରଭାବ ଦେଖିବାକୁ ମିଳିଥିଲା। କାଗିସୋ ରାବାଡା ଗଲି ଅଞ୍ଚଳରେ ଜନି ବେୟାରଷ୍ଟୋଙ୍କୁ ଆଉଟ୍‌ କରିଦେଇଥିଲେ। ପରେ ଏନ୍‌ରିଚ୍‌ ନୋର୍ଜେ ଗରୁତ୍ୱପୂର୍ଣ୍ଣ ରୁଟ୍‌ଙ୍କ ଉଇକେଟ ଅକ୍ତିଆର କରିଥିଲେ। କଟ୍‌ ବିହାଇଣ୍ଡ ହୋଇଥିବା ରୁଟ୍‌ ଲଢୁଆ ୪୮ରନ କରିଥିଲେ। ନୋର୍ଜେ ନୂଆବଲ୍‌ରେ ବୋଲିଂବେଳେ ତାଙ୍କ ପ୍ରଥମ ଓଭରର ଦ୍ୱିତୀୟ ବଲ୍‌ରେ ଦ୍ୱିତୀୟ ଥର ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାରେ ସଫଳ ରହିଥିଲେ। ରବିବାର ୪ର୍ଥ ଦିବସ ଖେଳରେ ସେ ଟପ୍‌ ସ୍କୋରର ରୋରି ବର୍ନ (୮୪ରନ)ଙ୍କୁ ଆଉଟ କରି ପ୍ରଥମ ବ୍ରେକ୍‌ଥ୍ରୁ ଆଣିଦେଇଥିଲେ। ଅବଶିଷ୍ଟ ଉଇକେଟଗୁଡ଼ିକର ଶୀଘ୍ର ପତନ ଘଟିଥିଲା। ଦକ୍ଷିଣ ଆଫ୍ରିକା ତରଫରୁ ସବୁଠାରୁ ସଫଳ ବୋଲର ରହିଥିଲେ ରାବାଡା ସେ ୧୦୩ ରନ ବିନିମୟରେ ୪ ଉଇକେଟ ଅକ୍ତିଆର କରିଥିଲେ। ସାଥୀ ଫାଷ୍ଟ ବୋଲର ଏନରିଚ୍‌ ନୋର୍ଜେ ୫୬ ରନ ଦେଇ ୩ ଉଇକେଟ ହାସଲ କରିଥିଲେ। ଇଂଲଣ୍ଡ ପୂର୍ବଦିନର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୨୧/୧ରୁ ଖେଳ ଆରମ୍ଭ କରିଥିଲା।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ: ୨୮୪।
ଇଂଲଣ୍ଡ ପ୍ରଥମ ଇନିଂସ: ୧୮୧।
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ:୨୭୨।
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୨୬୮(ବନର୍‌ସ- ୮୪, ରୁଟ୍‌-୪୮, ଜୋ ଡେନ୍‌ଲି-୩୧; ରାବାଡା-୪/୧୦୩, ନୋର୍ଜେ-୩/୫୬, ମହରାଜ- ୨/୩୭)।

Share