Categories: ଖେଳ

ଇଂଲଣ୍ଡକୁ ଚମକପ୍ରଦ ବିଜୟ ଦେଲେ ମଲାନ, ମୋର୍ଗାନ

ନାପିଅର,୮।୧୧(ଏଏଫ୍‌ପି)- ଡେଭିଡ ମଲାନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ମୋର୍ଗାନଙ୍କ ସହ ରେକର୍ଡ ଭାଗୀଦାରି ଇଂଲଣ୍ଡକୁ ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍‌ରେ ଚମକପ୍ରଦ ବିଜୟ ଦେଇଛି। ୭୬ ରନ୍‌ର ବିଜୟ ଯୋଗୁ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଇଂଲଣ୍ଡ ୨-୨ର ସମାନ ସ୍ଥିତିକୁ ଆଣିବାରେ ସଫଳ ହୋଇଛି। ଦଳ ପାଇଁ ଅପରାଜିତ ଶତକୀୟ ଇନିଂସ ଖେଳିଥିବା ମଲାନଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି। ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ୧୦ ତାରିଖରେ ଅକ୍‌ଲାଣ୍ଡରେ ଖେଳାଯିବ।
୨୪୨ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଦଳକୁ ମାର୍ଟିନ ଗୁପଟିଲ ଓ କଲିନ ମୁନ୍‌ରୋଙ୍କ ଓପନିଂ ଯୋଡ଼ି ଭଲ ଷ୍ଟାର୍ଟ ଦେଇଥିଲେ। ଦୁହେଁ ୪.୩ ଓଭରରେ ୫୪ ରନ୍‌ କରିଥିଲେ। କିନ୍ତୁ ଏହିଠାରୁ ଉଇକେଟ ପତନ ଆରମ୍ଭ ହୋଇଥିଲା। ଏହାକୁ କୌଣସି ବ୍ୟାଟ୍ସମ୍ୟାନ ରୋକି ପାରି ନ ଥିଲେ। ଫଳରେ ଘରୋଇ ଦଳ ୧୬.୫ ଓଭରରେ ୧୬୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଗୁପଟିଲ ୨୭, ମୁନ୍‌ରୋ ୩୦ ଓ ଅଧିନାୟକ ଟିମ ସୌଦି ୩୯ ରନ୍‌ କରିଥିଲେ। ଦଳର ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ବିଜୟ ଦଳ ଲାଗି ମାଥ୍ୟୁ ପାର୍କିନସନ ୪ ଓ କ୍ରିସ ଜୋର୍ଡାନ ୨ ଉଇକେଟ ନେଇଥିଲେ। ପୂର୍ବରୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୬ ରନ୍‌ରେ ଜନ୍ନି ବେଆରଷ୍ଟୋ(୮)ଙ୍କ ଉଇକେଟ ହରାଇଥିଲା। ଏହାପରେ ଟମ ବାଣ୍ଟନ (୩୧) ମିଚେଲ ସାଣ୍ଟନରଙ୍କ ବଲରେ ଏଲବିଡ୍‌ବଲ୍ୟୁ ହୋଇଥିଲେ। ତୃତୀୟ ଉଇକେଟ ପାଇଁ ମଲାନ ଓ ଅଧିନାୟକ ମୋର୍ଗାନ ୭୪ ବଲରେ ୧୮୨ ରନ୍‌ ଯୋଡ଼ିଥିଲେ। ମଲାନ ୪୮ ବଲରେ ଶତକ ଅର୍ଜନ କରି ଇଂଲଣ୍ଡର ଦ୍ରୁତତମ ଟି୨୦ ଶତକ ହାସଲକାରୀ ହୋଇଛନ୍ତି। ମୋଟ ଉପରେ ୫୧ ବଲର ସମ୍ମୁଖୀନ ହୋଇ ୧୦୩ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୯ ଚୌକା ଓ ୬ ଛକା ସାମିଲ ଥିଲା। ଅଧିନାୟକ ମୋର୍ଗାନ ୯୧ (୭ ଲେଖାଏ ଚୌକା ଓ ଛକା) ରନ୍‌ କରି ଅନ୍ତିମ ଓଭରରେ ଆଉଟ୍‌ ହୋଇଥିଲେ। ଦୁଇ ବାମହାତୀ ବ୍ୟାଟ୍ସମ୍ୟାନ ମିଳିତ ଭାବେ ୧୩ ଛକା ଓ ୧୬ ଚୌକା ମାରିଥିଲେ। କେବଳ ମିଚେଲ ସାଣ୍ଟନର ଓ ଟ୍ରେଣ୍ଟ ବୋଲ୍ଟ ଛକାରୁ ବର୍ତ୍ତିଥିଲେ। ଫଳରେ ଇଂଲଣ୍ଡ ଧାର୍ଯ୍ୟ ୨୦ ଓଭରରେ ୩ ଉଇକେଟ ହରାଇ ୨୪୧ ରନ୍‌ କରିଥିଲା।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ- ୨୦ ଓଭରରେ ୨୪୧/୩ (ଡେଭିଡ ମଲାନ ୧୦୩*, ଇଆନ ମୋର୍ଗାନ ୯୧, ଟମ ବାଣ୍ଟନ ୩୧, ମିଚେଲ ସାଣ୍ଟନର ୨/୩୨, ଟିମ ସୌଦି ୧/୪୭)।
ନ୍ୟୁଜିଲାଣ୍ଡ- ୧୬.୫ ଓଭରରେ ୧୬୫/ଅଲଆଉଟ୍‌ (ଟିମ୍‌ ସୌଦି ୩୯, କଲିନ ମୁନ୍‌ରୋ ୩୦, ମାର୍ଟିନ ଗୁପଟିଲ ୨୭, ମାଥ୍ୟୁ ପାର୍କିନସନ ୪/୪୭, କ୍ରିସ ଜୋର୍ଡାନ ୨/୨୪)।

Share