ଆ କା ମା ବୈ ଧ୍ୱନିରେ ମୁଖରିତ ଇବ୍‌ ନଦୀ: ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ

ସୁନ୍ଦରଗଡ଼,୧୨।୧୧(ଡି.ଏନ୍‌.ଏ.): ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ସୁନ୍ଦରଗଡ଼ ଜିଲାର ବିଭିନ୍ନ ନଦୀ, ପୁଷ୍କରିଣୀ, ଜଳାଶୟଗୁଡିକରେ ଶ୍ରଦ୍ଧାଳୁମାନେ ପ୍ରତ୍ୟୁଷରୁ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରି ଡଙ୍ଗା ଭସାଇଛନ୍ତି । ସହର ଦେଇ ପ୍ରବାହିତ ଇବ୍‌ ନଦୀ କୂଳରେ ଶହ ଶହ ଶ୍ରଦ୍ଧାଳୁ ଡଙ୍ଗା ଭସାଇଥିବା ଦେଖିବାକୁ ମିଳିଛି। କଦଳୀ ପାଟୁଆ ଓ ସୋଲରେ ନିର୍ମିତ ବିଭିନ୍ନ ରଙ୍ଗ ବେରଙ୍ଗର ଡଙ୍ଗାରେ ପାନ, ଗୁଆ, ଦୀପ, ଫୁଲ ଦେଇ ଆ- କା-ମା ବୈ ଧ୍ୱନି ଓ ହୁଳହୁଳି ଦେଇ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଥିଲେ । କାର୍ତ୍ତିକ ବ୍ରତଧାରୀ ବ୍ରତ ଉଦ୍‌ଯାପନ କରୁଥିବା ବେଳେ ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା।