ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ପୂର୍ବତନ ଖଣି ଅଧିକାରୀଙ୍କୁ ଜେଲ୍‌ଦଣ୍ଡ

କଟକ ଅଫିସ,୧।୧୧ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜଣେ ଅବସରପ୍ରାପ୍ତ ଖଣି ଅଧିକାରୀଙ୍କୁ ଜେଲ୍‌ ଓ ଜରିମାନା ଦଣ୍ଡାଦେଶ ହୋଇଛି। ସେ ହେଲେ କେନ୍ଦୁଝର ଜିଲା ବଡ଼ବିଲ୍‌ଠାରେ ଥିବା ଓଡ଼ିଶା ଖଣି ନିଗମ ସେଣ୍ଟ୍ରାଲ ୱାର୍କସପ୍‌ର ପୂର୍ବତନ ଡେପୁଟି ମ୍ୟାନେଜର (ମେକାନିକାଲ) ବରିନ୍ଦର ସିଂ। ତାଙ୍କ ବିରୋଧରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା(ନଂ.୫୮/୨୦୦୦) ରୁଜୁ ହୋଇଥିଲା। ସିଂ ୧୨ ଲକ୍ଷ ୫୪ ହଜାର ୩୭୦ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଥିଲା। ଆଗତ ଉକ୍ତ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଅଭିଯୁକ୍ତ ସିଂଙ୍କୁ ୪ ବର୍ଷ ଜେଲ୍‌ ଓ ୫୦ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାଦାୟ ଅଭିଯୁକ୍ତଙ୍କୁ ଅଧିକ ୬ ମାସ ଜେଲ୍‌ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି। ସୂଚନାଥାଉ କି, ସିଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ୨୦୦୦ ସେପ୍ଟେମ୍ବର ୨୨ରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ଓ ଅଫିସକୁ ଯାଞ୍ଚ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ସ୍ବତନ୍ତ୍ର ପିପି ଡି.ଡି. ବିଶ୍ୱାଳ ମାମଲା ପରିଚାଳନା କରୁଥିଲେ।

Share