ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପୂର୍ବତନ କୃଷି କର୍ମଚାରୀଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

ସରଣ୍ଡା/ସୁନ୍ଦରଗଡ଼,୫।୬(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳି ଫାର୍ମର ପୂର୍ବତନ କୃଷି କର୍ମଚାରୀ(ଓଭରସିଅର) ଫକୀର କର୍ଣ୍ଣଙ୍କ ବାସଭବନ ଉପରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କର୍ଣ୍ଣଙ୍କ ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଭୁତଟିକ୍ରାର ପୈତୃକ ବାସଭବନ, ଚକୁଳି ଫାର୍ମର ଆବାସିକ ଘର, ସୁନ୍ଦରଗଡ଼ ଜିଲା ଶଙ୍କରାରେ ରହିଥିବା ନର୍ସିଂ ଟ୍ରେନିଂ ସେଣ୍ଟର ଏବଂ ଭୁବନେଶ୍ବର ଶୈଳଶ୍ରୀବିହାରରେ ଥିବା ଭଡ଼ାଘର ଉପରେ ଏକକାଳୀନ ଚଢ଼ାଉ ଚାଲିଥିବା ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି। ଖବର ଲେଖା ହେବା ସୁଦ୍ଧା ଚଢ଼ାଉ ଜାରି ରହିଥିବାରୁ ସମ୍ପତ୍ତି ଆକଳନ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଭିଜିଲାନ୍ସର ପୃଥକ ୪ଟି ଟିମ୍‌ ଏହି ଚଢ଼ାଉରେ ନିୟୋଜିତ ଅଛନ୍ତି।