Categories: ଜାତୀୟ

ଆୟକର ବିଭାଗ-ଇଡି ଏବଂ ସିବିଆଇ ଭାଜପାର ଆଇଟି ସେଲ୍‌ ଭାବେ କାର୍ଯ୍ୟ କରୁଛି: ତେଜସ୍ବୀ ଯାଦବ

ପାଟନା,୨୭।୪: ଭାଜପା ସରକାର ଆୟକର ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତଥା କେନ୍ଦ୍ରୀୟ ତଦନ୍ତ ସଂସ୍ଥା(ସିବିଆଇ)କୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିଛି। ଏସବୁ ବିଭାଗ ଭାଜପାର ଆଇଟି ସେଲ୍‌ ଭାବେ କାର୍ଯ୍ୟ କରୁଛି ବୋଲି ଶନିବାର ଆରଜେଡି ନେତା ତେଜସ୍ବୀ ଯାଦବ ଅଭିଯୋଗ କରିଛନ୍ତି। ଅନ୍ୟ ଦଳର ରାଜନେତାଙ୍କୁ ଏହା ଦ୍ୱାରା ଭାଜପା ଟାର୍ଗେଟ୍‌ କରୁଛି। ମାତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ ନାମରେ କେତେକ ଅଭିଯୋଗ ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ ମିଳିଲେ ତାଙ୍କ ନିଜ ଘରେ ଚଢ଼ାଉ କରିବା ପାଇଁ କହିଥିଲେ ମଧ୍ୟ ଜୟ ଶାହଙ୍କୁ କିଭଳି ଛାଡି ଦିଆଯାଉଛି ସେ ନେଇ ତେଜସ୍ବୀ କଟାକ୍ଷ କରିଛନ୍ତି। ଉତ୍ତରପ୍ରଦେଶରେ ମାୟାବତୀଙ୍କ ସରକାର ଅମଳରେ ୨୦୧୦-୧୧ରେ ହୋଇଥିବା ସୁଗାର୍‌ ମିଲ୍‌ ଅନିୟମିତତା ମାମଲାକୁ ନିର୍ବାଚନ ସମୟରେ ଜାଣିଶୁଣି ଯାଞ୍ଚ୍‌ କରାଯାଉଥିବା ତେଜସ୍ବୀ କହିଛନ୍ତି। ମାୟାବତୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଷଡ଼ଯନ୍ତ୍ର ହେଉଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ସୁଗାର୍‌ ମିଲ୍‌ ଅନିୟମିତତା ମାମଲାରେ ୧୧ଶହ ୭୯ କୋଟି ଟଙ୍କାର କ୍ଷତି ହୋଇଥିବା କୁହାଯାଉଛି।

Share