ଆହୁରି ସପ୍ତାହେ ବର୍ଷା ନାହିଁ, ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ଭୁବନେଶ୍ୱର,୮ା୭(ବ୍ୟୁରୋ)-ରାଜ୍ୟରେ ବର୍ଷା ସ୍ଥିତି ବେଳକୁ ବେଳ ସଙ୍ଗୀନ ହେବାରେ ଲାଗିଛି । କେଉଁଠି ଅସରାଏ ଦି ଅସରା ବର୍ଷା ହେଉଛି ତ ଅନ୍ୟ କେଉଁଠି ଟାଁଏ ଟାଏଁ ଖରା। ଯେତିକି ବର୍ଷିବା କଥା ତାହା ହେଉ ନାହିଁ। ରାଜ୍ୟର ହାତ ଗଣତି କେତୋଟି ଜିଲାକୁ ବାଦ ଦେଲେ ସାରା ରାଜ୍ୟରେ ବର୍ଷାର ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷାକୁ ଅନାଇ ଚିନ୍ତାରେ ପଡି ଗଲେଣି ଚାଷୀ। ରୁଆ ବେଉଷଣ ସମୟ ଗଡି ଗଡି ଯାଉଛି। ବିଲ ଫାଟି ଆଁ କରିଛି। ଅନ୍ୟ ପକ୍ଷରେ ପାଣିପାଗର ପୂର୍ବାନୁମାନ ମଧ୍ୟ ଆହୁରି ଡରାଇଲାଣି। ଆସନ୍ତା ୧୦ ଦିନ ଯାଏ ବଡ ବର୍ଷାର କୌଣସି ସମ୍ଭାବନା ନାହିଁ। କାଁ ଭାଁ କେଉଁଠି ଅସରାଏ ଦିଅସରା ବର୍ଷା ହେବାର ସମ୍ଭାବନା ରହିଛି। ବାୟୁ ମଣ୍ଡଳରେ ଜଳୀୟ ବଷ୍ପ ରହୁଥିବାରୁ ଗରମ ହେବା ମାତ୍ରେ କେଉଁଠି ବର୍ଷା ହୋଇ ପାରେ। ବିଶେଷ କରି ସହରାଞ୍ଚଳରେ ଏଭଳି ବର୍ଷାର ମାତ୍ରା ବଢିବ। ମାତ୍ର ସମଗ୍ର ରାଜ୍ୟରେ ଚାଷକୁ ସୁହାଇଲା ଭଳି ବର୍ଷା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି। ଆସନ୍ତା ସପ୍ତାହ ମଧ୍ୟରେ ବର୍ଷା ନ ହେଲେ ରାଜ୍ୟରେ ଧାନ ଚାଷ ମାଡ ଖାଇବା ନେଇ ଆଶଙ୍କା ପ୍ରକାଶ ପାଇଛି।