ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ: ଜିଲାପାଳଙ୍କ ଅଚାନକ ପରିଦର୍ଶନ

କୋରୁକୋଣ୍ଡା,୬।୯(ଡି.ଏନ୍‌.ଏ): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଆହାର ଯୋଜନାରେ ସ୍ବାଦିଷ୍ଟ ଖାଦ୍ୟ ଦିଆଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ୪ ବର୍ଷ ଧରି ଏକ ସ୍ବୟଂ ସହାୟକ ଗୋଷ୍ଠୀ ଏହି କେନ୍ଦ୍ରକୁ ଚଳାଇ ଆସୁଥିବା ବେଳେ ଗୋଷ୍ଠୀର ସମସ୍ତ ସଦସ୍ୟ ଏହି କେନ୍ଦ୍ରରେ କାମ ନ କରି ମାତ୍ର ୫ ଜଣ କାମ କରୁଥିବା କୁହାଯାଉଛି। ଦିନରେ ୩୦୦ ଓ ରାତିରେ ୨୫୦ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ଥିବା ବେଳେ ମାତ୍ର ସେତିକି ଲୋକଙ୍କ ଲାଗି ଖାଦ୍ୟ ପ୍ରସ୍ତୁତ ହେଉ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟ ଆହାର କେନ୍ଦ୍ରଗୁଡିକରେ ପ୍ରସ୍ତୁତ ଭାତ, ଡାଲ୍‌ମା ସ୍ବାଦିଷ୍ଟ ହୋଇଥିବା ବେଳେ ଏଠାରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଜିଲାପାଳ ମନୀଷ ଅଗ୍ରଓ୍ବାଲ ଓ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ଅଚାନକ ଗୁରୁବାର ରାତିରେ ଉକ୍ତ ଆହାର କେନ୍ଦ୍ର ଗସ୍ତ କରିଥିଲେ। ଠିକ୍‌ ପରିମାଣର ଖାଦ୍ୟ ଦିଆଯାଉ ନ ଥିବା ଦେଖି କର୍ମଚାରୀଙ୍କୁ ଠିକ୍‌ ରୂପେ ଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଷ୍ଟୋର ରୁମ୍‌ ଯାଇ ଲୋକଙ୍କୁ କେଉଁ ମାନର ଡାଲି ଏବଂ ଚାଉଳ ଖାଇବାକୁ ଦିଆଯାଉଛି ସେ ସମ୍ପର୍କରେ ତଦାରଖ କରିଥିଲେ। ଏ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥଙ୍କୁ ପଚାରିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।