Categories: ଜାତୀୟ

ଆସ୍ଥାଭୋଟ ପୂର୍ବରୁ ଘୋଡ଼ାବେପାର ଭୟ: ବିଧାୟକଙ୍କୁ ଜଗିଲେ ସବୁ ଦଳ

ବେଙ୍ଗାଲୁରୁ,୧୩ା୭:କର୍ନାଟକର ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ଏବଂ ଅଯୋଗ୍ୟ ଘୋଷଣା ସମ୍ପର୍କରେ ବାଚସ୍ପତି ୧୬ ତାରିଖ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ ଜେଡିଏସ୍‌-କଂଗ୍ରେସ ମେଣ୍ଟ ସରକାର ଆଶ୍ୱସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ଆସ୍ଥାଭୋଟ ଲୋଡ଼ିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଫଳରେ ତିନି ଦଳ ପକ୍ଷରୁ ଆସ୍ଥାଭୋଟ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ରାଜନୈତିକ ଅନିଶ୍ଚିତତା ଲାଗି ରହିଥିବାବେଳେ ଘୋଡ଼ାବେପାର ଆଶଙ୍କା ଥିବାରୁ ଦଳଗୁଡିକ ସେମାନଙ୍କ ବିଧାୟକମାନଙ୍କୁ ସୁରକ୍ଷିତ ରଖିବା ଲାଗି ଯୋଜନା ଆରମ୍ଭ କରିଦେଇଛନ୍ତି। ଇତିମଧ୍ୟରେ ଭାଜପା ତା’ର ବିଧାୟକମାନଙ୍କୁ ବେଙ୍ଗାଲୁରୁ ନିକଟବର୍ତ୍ତୀ ଏକ ରିସର୍ଟକୁ ନେବା ଲାଗି ନିଷ୍ପତ୍ତି ନେଇଥିବା ଦଳୀୟ ସୂତ୍ରରୁ ଜଣାପଡିଛି। ଜେଡିଏସ୍‌ ବିଧାୟକମାନେ ମଧ୍ୟ ଏକ ରିସର୍ଟରେ ରହିଛନ୍ତି।
୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭାରେ ମ୍ୟାଜିକ ନମ୍ବର ୧୧୩ ହୋଇଥିବାବେଳେ ଶାସକ ମେଣ୍ଟରେ କଂଗ୍ରେସର ୭୮, ଜେଡିଏସ୍‌ର ୩୭ ଏବଂ ବିଏସ୍‌ପିର ଜଣେ ବିଧାୟକଙ୍କୁ ମିଶାଇ ମୋଟ ସଂଖ୍ୟା ୧୧୬ ରହିଛି। ଅନ୍ୟପକ୍ଷରେ ଭାଜପା ପାଖରେ ୧୦୭ ବିଧାୟକ ଅଛନ୍ତି। ୧୬ ବିଧାୟକଙ୍କ ଇସ୍ତଫା ଯଦି ଗୃହୀତ ହୁଏ ତେବେ ମେଣ୍ଟର ବିଧାୟକ ସଂଖ୍ୟା ୧୦୦କୁ ହ୍ରାସ ପାଇବ। ତେବେ କୁମାରସ୍ବାମୀ ସ୍ବେଚ୍ଛାକୃତ ଭାବେ ଆସ୍ଥାଭୋଟ ଲୋଡିବା ପାଇଁ ନିଷ୍ପତ୍ତି ନେବା ଏବଂ ସେ ଯେତେବେଳେ ଚାହିଁବେ ସମୟ ଦିଆଯିବ ବୋଲି ବାଚସ୍ପତି କହିଥିବାରୁ ଶାସକ ମେଣ୍ଟ ବିରୋଧୀ ଦଳରୁ ବିଧାୟକ କିଣିବା ଯୋଜନାରେ ଥିବା ଭାଜପା ଆଶଙ୍କା କରିଛି। ସେଥିପାଇଁ ବିଧାୟକମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ଲାଗି ଦଳ ନିଷ୍ପତ୍ତି ନେଇଛି।

Share