‘ଆସ୍କ୍‌ ମି ଏନିଥିଂ’: ଲୋକଙ୍କ ଉତ୍ତର ରଖିଲେ ପୋଲିସ କମିଶନର

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଆସ୍କ ମି ଏନିଥିଂ କାର୍ଯ୍ୟକ୍ରମ ଜରିଆରେ ଲୋକେ ଟୁଇଟ୍‌ରେ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି ପୋଲିସ କମିଶନର। ଗତ ୧୨ତାରିଖ ସୁଦ୍ଧା ପ୍ରାୟ ୩୦୦ ପ୍ରଶ୍ନ ପଚରାଯାଇଥିଲା। ଶନିବାର ଅପରାହ୍ନ ୫ଟାରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଫେସ୍‌ବୁକ ଓ ଟୁଇଟର ଲାଇଭରେ ଆସି ସେହି ସବୁର ଉତ୍ତର ରଖିଛନ୍ତି। ବିଶେଷକରି ଆଇନଶୃଙ୍ଖଳା, ଟ୍ରାଫିକ ସମସ୍ୟା, ପୋଲିସର ବ୍ୟବହାର ଓ କାର୍ଯ୍ୟଦକ୍ଷତା ସମ୍ପର୍କରେ ଅଧିକ ପ୍ରଶ୍ନ ରହିଥିଲା।

ପୋଲିସ ଉପରେ ଚାଜନୈତିକ ଚାପ ରହୁଛି। ପୋଲିସ ଏ ଦିଗରେ କିଭଳି କାମ କରୁଛି ବୋଲି ଅନେକ ଲୋକ ପଚାରିଥିଲେ। କମିଶନର କହିଥିଲେ, ସୋସିଆଲ ମିଡିଆ, ଡିଜିଟାଲ ମିଡିଆ ଆସିବା ପରଠୁ ପୋଲିସ ଉପରେ ଚାପ କମିଛି। କାରଣ କୌଣସି ନେତା ଅବା ସରକାରୀ ଉଚ୍ଚ ପଦବୀରେ ଥିବା ବ୍ୟକ୍ତି ଅପରାଧ କଲେ ଖସିବାର ବାଟ ନାହିଁ। ଏହା ତୁରନ୍ତ ସୋସିଆଲ ମିଡିଆରେ ପ୍ରଚାର ହୋଇଯାଉଛି। ଫଳରେ ପୋଲିସକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସହଜ ହେଉଛି। ସେହିପରି ମୋବାଇଲ ଫୋନ୍‌ରେ ଏଫ୍‌ଆଇଆର୍‌ ଦେବା ନେଇ ପ୍ରଶ୍ନର ଉତ୍ତରରେ କମିଶନର କହିଥିଲେ, ସିଆର୍‌ପିସି ୧୫୪ ଅନୁଯାୟୀ ଥାନାରେ ଲିଖିତ ଅଭିଯୋଗ କରିବାକୁ ପଡ଼ିବ। ତେବେ ଏଥିଲାଗି ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଇ-ପୋଲିସ ଷ୍ଟେଶନ ଖୋଲାଯିବ। ଯେଉଁଥିରେ ମୋବାଇଲ୍‌ ଓ ବାଇକ ଲୁଟ୍‌ ଭଳି ଛୋଟ ଛୋଟ ଅଭିଯୋଗ ଫୋନ୍‌ ମାଧ୍ୟମରେ କରିହେବ। ରାଜଧାନୀର କେଉଁ ଥାନା ଅଞ୍ଚଳରେ ନିଶା ବେପାର ହେଉଛି ବୋଲି ଲୋକେ ପଚାରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ଷଡଙ୍ଗୀ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଥାନାକୁ ଅଭିଯୋଗ କରିବାକୁ ଗଲେ ପୋଲିସ ଅଭିଯୋଗ କପି ସହ ଆଧାରକାର୍ଡ ମାଗୁଛି, ଏହା କ’ଣ ଠିକ୍‌ ବୋଲି ଲୋକେ ପଚାରିଥିଲେ। ଏହା ଠିକ୍‌ ନୁହେଁ ବୋଲି ପୋଲିସ କମିଶନର କହିବା ସହ ଯେଉଁ ଥାନାରେ ଏଭଳି ମାଗୁଛନ୍ତି ଜଣାଇବାକୁ କହିଛନ୍ତି। ଥାନାରେ ଅଭିଯୋଗକାରୀଙ୍କ ପ୍ରତି ପୋଲିସର ବ୍ୟବହାର ଠିକ୍‌ ରହୁଛି, କିନ୍ତୁ ଅଭିଯୁକ୍ତଙ୍କ ପ୍ରତି ଖରାପ ବ୍ୟବହାର ହେଉଥିବା ଜଣେ ବ୍ୟକ୍ତି କହିଥିଲେ। ଏ ନେଇ ଅବଗତ ନ ଥିବା କମିଶନର ଷଡ଼ଙ୍ଗୀ କହିବା ସହ ଆଗାମୀ ଦିନରେ ବୈଠକ କରି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏଥିପ୍ରତି ସଚେତନ କରାଯିବ ବୋଲି କହିଛନ୍ତି। ଥାନା ପରିସରରେ ଗଦା ହେଉଥିବା ଜବତ ଗାଡ଼ି ଓ ଚେନ୍‌ ଲୁଟ ସମେତ କଟକ ସହରରେ ଗତ ୧୨ତାରିଖରେ ଘଟିଥିବା ଦମ୍ପତି ହତ୍ୟାକାଣ୍ଡର ପର୍ଦ୍ଦାଫାଶ୍‌ କେବେ ହେବ ବୋଲି ଅନେକେ ପଚାରିଥିଲେ। ପୋଲିସ କମିଶନରଙ୍କ ଏଭଳି ଲାଇଭ ଉତ୍ତର କାର୍ଯ୍ୟକ୍ରମକୁ ସାଧାରଣରେ ସ୍ବାଗତ କରାଯାଇଛି।