ଆସୁଛି ହୋଲି: ରଙ୍ଗ ଖେଳିବା ବେଳେ ସୌନ୍ଦର୍ଯ୍ୟ ସହ କରନ୍ତୁ ନାହିଁ ବୁଝାମଣା

ରଙ୍ଗର ପର୍ବ ହୋଲି। ଏହି ପର୍ବକୁ ଆଉ ଅଳ୍ପ କେତେଟା ଦିନ ବାକି ଅଛି। ଏହି ଦିନକୁ ସମସ୍ତେ ମନଭରି ଉପଭୋଗ କରିିବାକୁ ଚାହିଥାନ୍ତି। ମାତ୍ର ଏହି ପର୍ବ ବିଶେଷ କରି ମହିଳାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥାଏ। କାରଣ ସେମାନେ ହୋଲି ଖେଳିବାକୁ ଭଲ ପାଉଥିଲେ ମଧ୍ୟ ସୌନ୍ଦର୍ଯ୍ୟ ପାଇଁ ଖେଳିବାକୁ ଭୟ କରିଥାନ୍ତି। ନଖ, କେଶ, ତ୍ୱଚା ଖରାପ ହେବା ଭୟରେ ରଙ୍ଗଠାରୁ ନିଜକୁ ଦୂରେଇ ରଖିଥାନ୍ତି। ହୋଲି ଖେଳି ମଧ୍ୟ କିପରି ନିଜ ସୌନ୍ଦର୍ଯ୍ୟକୁ ବଜାୟ ରଖିପାରିବେ ଜାଣନ୍ତୁ ସେ ବିଷୟରେ।


ନଖ: ହୋଲି ଖେଳିଲେ ସବୁଠାରୁ ଅଧିକ ରଙ୍ଗ ନଖ ମଧ୍ୟରେ ଜମି ରହିଯାଏ। ତେଣୁ ହୋଲି ଖେଳିବା ପୂର୍ବରୁ ନଖରେ ନେଲ୍‌ପଲିସ୍‌ ଲଗାଇ ଦିଅନ୍ତୁ। ଫଳରେ ନଖ ଆଉ ଖରାପ ହେବ ନାହିଁ।


ତ୍ୱଚାରୁ ରଙ୍ଗ ଛଡ଼ାଇବା ପାଇଁ: ହୋଲି ଖେଳ ସରିବା ପରେ ଦେହରୁ କିପରି ରଙ୍ଗ ଛଡ଼ାଯିବ, ତାହା ଚିନ୍ତାର ବିଷୟ ହୋଇଥାଏ। ତେବେ ରଙ୍ଗ ଛଡ଼ାଇବା ପାଇଁ ୨ ଚାମଚ ବେସନରେ ଅଳ୍ପ ହଳଦୀ, ମହୁ ଏବଂ କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ରଙ୍ଗ ଲାଗିଥିବା ସ୍ଥାନରେ ଲଗାଇ ୧୫-୨୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ପରେ ନଖଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା ରଙ୍ଗ ଛାଡିଯିବ।


କେଶ: କେଶକୁ ହାନିକାରକ ରଙ୍ଗରୁ ରକ୍ଷା କରିବା ପାଇଁ ହୋଲି ଖେଳିବା ପୂର୍ବରୁ କେଶରେ ଭଲଭାବେ ତେଲ ଲଗାଇ ଦିଅନ୍ତୁ। ଏପରି କରିବା ଦ୍ୱାରା କେଶ ନଷ୍ଟ ହେବ ନାହଁି।


କୋମଳତା ରକ୍ଷା ପାଇଁ: ରଙ୍ଗ ସଂସ୍ପର୍ଶରେ ଆସିବା ଦ୍ୱାରା ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଯାଏ। ତେଣୁ ହୋଲି ଦିନ ଦୁଇ ଥରରୁ ଅଧିକ ଗାଧାନ୍ତୁ ନାହିଁ। ଏପରି କରିବା ଦ୍ୱାରା ଚର୍ମର ଆର୍ଦ୍ରତା ନଷ୍ଟ ହୋଇପାରେ। ଗାଧୋଇବା ପରେ ଚର୍ମରେ ମଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ।