Categories: ଜାତୀୟ

ଆସୁଛି ନୂଆ ୨୦୦,୫୦୦ଟଙ୍କିଆ ନୋଟ୍‌

ମୁମ୍ବାଇ,୨୫-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ମହାତ୍ମା  ଗାନ୍ଧୀ ସିରିଜରେ ନୂଆ ୨୦୦ ଓ ୫୦୦ ଟଙ୍କିଆ ନୋଟ୍‌ ଜାରି କରିବାକୁ ଯାଉଛି। ପୂର୍ବରୁ ପ୍ରଚଳିତ ନୋଟ୍‌ ସହ ନୂଆ ନୋଟ୍‌ର ବହୁ ସାମଞ୍ଜସ୍ୟ ରହିଛି। ତେବେ ନୂଆରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ସ୍ବାକ୍ଷରରେ ନୂଆ ନୋଟ୍‌ ଜାରି କରାଯିବ। ପୂର୍ବରୁ ଜାରି ୨୦୦ ଓ ୫୦୦ ଟଙ୍କିଆ ନୋଟ୍‌ରେ ଉର୍ଜିତ ପଟେଲଙ୍କ ସ୍ବାକ୍ଷର ଥିଲା। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି ଯେ, ବଜାରରେ ପ୍ରଚଳନରେ ଥିବା ପୁରୁଣା ନୋଟ୍‌ ଆଇନଗତ ଭାବେ ବୈଧ ରହିବ। ତେବେ ନୂଆ ନୋଟ୍‌ ପ୍ରଚଳନ ଦ୍ୱାରା ପୁରୁଣା ନୋଟ୍‌କୁ ବେଶି ଖରାପ ହେବାରୁ ରକ୍ଷା କରାଯାଇପାରିବ। ତେବେ ଆର୍‌ବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇ କୁହାଯାଇଛି ଯେ, ନୂଆ ନୋଟ୍‌ର ଡିଜାଇନ ଅପରିବର୍ତ୍ତିତ ରହିବ। ଏହାର ଡିଜାଇନ ମହାତ୍ମା ଗାନ୍ଧୀ ସିରିଜର ପୂର୍ବ ନୋଟ୍‌ ଭଳି ହେବ। ଏହାବ୍ୟତୀତ ଏହାର ସମସ୍ତ ଫିଚର ମଧ୍ୟ ବଦଳିବ ନାହିଁ। ସୂଚନାଥାଉ କି, ଆର୍‌ବିଆଇ ପକ୍ଷରୁ ନିକଟରେ ୧୦୦ ଟଙ୍କିଆ ନୋଟ୍‌ ଜାରି କରାଯାଇଥିଲା ଏବଂ ଏଥିରେ ମଧ୍ୟ ଗଭର୍ନର ଶକ୍ତିକାନ୍ତଙ୍କ ସ୍ବାକ୍ଷର ଥିଲା। ବିମୁଦ୍ରୀକରଣ ପରେ ଆର୍‌ବିଆଇ ପକ୍ଷରୁ ୧୦,୫୦, ୧୦୦, ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ଜାରି କରାଯାଇଛି।

Share