Categories: ଖେଳ

ଆଷ୍ଟୋନ ଆଗରଙ୍କ ହ୍ୟାଟ୍ରିକ; ଅଷ୍ଟ୍ରେଲିଆର ବୃହତ୍‌ ବିଜୟ

ଜୋହାନ୍ସବର୍ଗ,୨୨।୨- ସ୍ଥାନୀୟ ଓ୍ବାଣ୍ଡର୍ସ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍‌ରେ ଆଷ୍ଟୋନ ଆଗର ହ୍ୟାଟ୍ରିକ ଉଇକେଟ ନେଇଛନ୍ତି। ଏଥିଯୋଗୁ ଅଷ୍ଟ୍ରେଲିଆ ୧୦୭ ରନ୍‌ର ବୃହତ୍‌ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ବିଜୟୀ ଦଳ ପାଇଁ ୫ ଉଇକେଟ ସଫଳତା ପାଇଥିବା ଆଷ୍ଟୋନ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ମିଳିତ ଉଦ୍ୟମ ଯୋଗୁ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୯୬ ରନ୍‌ କରିଥିଲା। ଦଳ ପାଇଁ ଷ୍ଟିଭ ସ୍ମିଥ ୪୫, ଅଧିନାୟକ ଆରୋନ ଫିଞ୍ଚ ୪୨, ଆଲେକ୍ସ କାରି ୨୭ ଓ ଆଷ୍ଟୋନ ୨୦ ରନ୍‌ କରିଥିଲେ। ଘରୋଇ ବୋଲରଙ୍କ ମଧ୍ୟରେ ଡେଲ ଷ୍ଟେଇନ ଓ ତାବ୍ରିଜ ଶାମ୍‌ସି ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଇନିଂସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଘରୋଇ ଦକ୍ଷିଣ ଆଫ୍ରିକା। ଏଭଳି ପରିସ୍ଥିତିରୁ ଦଳକୁ କୌଣସି ବ୍ୟାଟ୍ସମ୍ୟାନ ଉଦ୍ଧାର କରିପାରି ନ ଥିଲେ। ଇନିଂସ୍‌ର ୭ମ ଓଭର ବୋଲିଂ କରୁଥିବା ଆଗର ଚତୁର୍ଥ ବଲରେ ଡୁପ୍ଲେସିଙ୍କୁ କେନ ରିଚାର୍ଡସନ୍‌ଙ୍କ ହାତରେ କ୍ୟାଚ୍‌ ଆଉଟ୍‌ କରାଇଥିଲେ। ପରବର୍ତ୍ତୀ ବଲରେ ଆଣ୍ଡିଲେ ଫେଲୁକ୍ୱାୟୋଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ପାଭେଲିଅନ ଫେରାଇଥିଲେ। ଓଭରର ଅନ୍ତିମ ବଲରେ ଷ୍ଟେଇନଙ୍କୁ ଆଉଟ କରି ହ୍ୟାଟ୍ରିକ ପୂରଣ କରିଥିଲେ। ଟି୨୦ ଫର୍ମାଟ୍‌ରେ ହ୍ୟାଟ୍ରିକ ନେବାରେ ଆଗର ଦ୍ୱିତୀୟ ଅଷ୍ଟ୍ରେଲିଆନ ବୋଲର। ତାଙ୍କ ପୂର୍ବରୁ ବ୍ରେଟ୍‌ ଲି ୨୦୦୭ରେ ବାଂଲାଦେଶ ବିପକ୍ଷରେ ହ୍ୟାଟ୍ରିକ୍‌ ନେଇଥିଲେ। ଦକ୍ଷିଣ ଆଫ୍ରିକା ୧୪.୩ ଓଭରରେ ମାତ୍ର ୮୯ ରନ୍‌ରେ ସୀମିତ ରହିଥିଲା। ଦଳ ପାଇଁ ଫାଫ ଡୁପ୍ଳେସି ୨୪, କାଗିସୋ ରବାଡା ୨୨ ଓ ପିଟେ ଭାନ ବିଜନ (୧୬)ଙ୍କ ବ୍ୟତୀତ ଅନ୍ୟ କେହି ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ବିଜୟୀ ଦଳ ପାଇଁ ଆଷ୍ଟୋନ ୫ ଉଇକେଟ ନେଇଥିଲେ। ସେହିଭଳି ପାଟ କୁମିନ୍ସ ଓ ଆଡାମ ଝାମ୍ପା ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Share