Categories: ଖେଳ

ଆଶେସ୍‌ ପଞ୍ଚମ ଟେଷ୍ଟ: ଇଂଲଣ୍ଡ ସ୍ଥିତ ଦୃଢ଼

ଲଣ୍ଡନ, ୧୫।୯- ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଥିବା ଘରୋଇ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛି। ଦ୍ୱିତୀୟ ଇନିଂସରେ ଓପନର ଜୋ ଡେନ୍‌ଲି, ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଓ ଜୋଶ ବଟଲରଙ୍କ ଲଢୁଆ ବ୍ୟାଟିଂ ସହାୟତାରେ ଇଂଲଣ୍ଡ ବୃହତ୍‌ ଅଗ୍ରଣୀ ହାସଲ କରି ସ୍ଥିତି ଦୃଢ଼ କରିଛି। ପ୍ରଥମ ଇନିଂସରେ ୬୯ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିବା ଇଂଲଣ୍ଡ ଶନିବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୯୧ ଓଭରରେ ୮ ଉଇକେଟ ହରାଇ ୩୧୩ ରନ ସଂଗ୍ରହ କରିଛି। ମ୍ୟାଚ୍‌ ଆଉ ୨ ଦିନ ବାକିଥିବା ବେଳେ ଇଂଲଣ୍ଡ ୨ ଉଇକେଟ ହାତରେ ରଖି ୩୮୨ ରନର ବୃହତ୍‌ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଦୁଇ ଟେଲଏଣ୍ଡର ଜୋଫ୍ରା ଆର୍ଚର ୩ ଓ ଜ୍ୟାକ ଲିଚ୍‌ ୫ ରନ କରି ଅପରାଜିତ ରହିଛନ୍ତି।
ଦ୍ୱିତୀୟ ଦିନର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୯/୦ରୁ ଇଂଲଣ୍ଡ ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ରୋରି ବନର୍‌ସ ୪ରୁ ଖେଳ ଆରମ୍ଭ କରି ୨୦ ରନ କରି ଆଉଟ ହୋଇଥିଲେ। ସେହିପରି ଓପନର ଜୋ ଡେନ୍‌ଲି ୧ ରନରୁ ଖେଳ ଆରମ୍ଭ କରି ୯୪ ରନର ପାଳି ଖେଳି ଆଉଟ ହେବା ସହ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ୬୭ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ ଜୋଶ ବଟଲର ୪୭, ଅଧିନାୟକ ଜୋ ରୁଟ ୨୧, ଜନି ବେୟାରଷ୍ଟୋ ୧୪, ସାମ କୁରାନ ୧୭ ଓ କ୍ରିସ ଓ୍ବକ୍ସ ୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ସ୍ପିନର ନାଥନ ଲିୟନ ୩, ପିଟର ସିଡଲ ଓ ମିଚେଲ ମାର୍ଶ ଦୁଇଟି ଲେଖାଏ ଓ ପ୍ୟାଟ କୁମିନ୍ସ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ପ୍ରଥମ ଇନିଂସରେ ୮୭.୧ ଓଭରରେ ୨୯୪ ରନ କରି ଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ୬୮.୫ ଓଭରରେ ୨୨୫ ରନ କରି ଅଲଆଉଟ ହେବା ସହ ୬୯ ରନ ପଛରେ ପଡିଥିଲା। ସିରିଜରେ ଅଷ୍ଟ୍ରେଲିଆ ୨-୧ରେ ଅଗ୍ରଣୀ ରହିଛି।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ- ୮୭.୧ ଓଭରରେ ୨୯୪ ଅଲଆଉଟ୍‌।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୬୮.୫ ଓଭରରେ ୨୨୫ ଅଲଆଉଟ୍‌
ଇଂଲଣ୍ଡ ଦ୍ୱିତୀୟ ଇନିଂସ- ୯୧ ଓଭରରେ ୩୧୩/୮
(ଡେନଲି- ୯୪, ଷ୍ଟୋକ୍ସ- ୬୭, ବଟଲର- ୪୭, ଲିୟନ- ୩/୬୫, ସିଡଲ- ୨/୫୨, ମିଚେଲ ମାର୍ଶ- ୨/୪୦)।

Share