ଆଶୀର୍ବାଦଙ୍କ ଜାମିନ ଆବେଦନ ପୁଣି ଖାରଜ: ଓସିଏ ନିର୍ବାଚନରେ ମତଦାନ ପାଇଁ ଚିଠି ଲେଖିଲେ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ଜେଲ୍‌ ହାଜତରେ ଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ବୁଧବାର ଖାରଜ ହୋଇଯାଇଛି। ଜିଲା ଦୌରା ଜଜ୍‌ ତାଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ଆଶୀର୍ବାଦଙ୍କୁ ପୁଣି ନିରାଶ ହେବାକୁ ପଡିଛି। ଅପରପକ୍ଷରେ ଆଗାମୀ ଓସିଏ ନିର୍ବାଚନରେ ମତଦାନ କରିବା ପାଇଁ ସୁଯୋଗ ଦେବାକୁ ସେ ଜେଲ ବିଭାଗକୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ସୂଚନାଯାଗ୍ୟ, ଆଶୀର୍ବାଦଙ୍କୁ ସିବିଆଇ ଗିରଫ କରିବା ପରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରିଥିଲା। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଜାମିନ ଆବେଦନ କରିଥିଲେ। ମାତ୍ର କୋର୍ଟ ଏହାକୁ ଖାରଜ କରିଦେବା ସହ ଆଶୀର୍ବାଦଙ୍କୁ ଅକ୍ଟୋବର ୧ ପର୍ଯ୍ୟନ୍ତ ବିଚାର ବିଭାଗୀୟ ଜେଲ୍‌ ହାଜତରେ ରଖାଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ତ୍ତର୍ତ୍ତି କରାଯାଇଥିଲା। ଏବେବି ସେ ସେଠାରେ ଚିକିତ୍ସିତ ହେଉଛନ୍ତି। ଆସନ୍ତା ୨୭ ତାରିଖରେ ଓସିଏ ନିର୍ବାଚନ ହେବ। ଏଥିରେ ୬ ପଦ ପାଇଁ ମୋଟ ୧୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ସଭାପତି ପଦ ପାଇଁ ୨ ଜଣ, ଉପସଭାପତି ପଦ ପାଇଁ ୨ ଜଣ, ସମ୍ପାଦକ ପଦ ପାଇଁ ୨ ଜଣ ଓ ଟ୍ରେଜରର ପାଇଁ ୩ ଜଣ ନାମାଙ୍କନ ପତ୍ର ଦାଖଲ କରି ନିର୍ବାଚନ ଲଢୁଛନ୍ତି। ସେହିପରି ସମ୍ପାଦକ ପଦ ପାଇଁ ଆଶୀର୍ବାଦଙ୍କ ପୁଅ ସଞ୍ଚୟ ବେହେରା ଥିବାବେଳେ ବିପକ୍ଷରେ ଅଛନ୍ତି ନବ ରଞ୍ଜନ ପଟ୍ଟନାୟକ। ଆଶୀର୍ବାଦ ଏବେ ଓସିଏ ସଦସ୍ୟ ଥିବାରୁ ଓ ନିର୍ବାଚନରେ ତାଙ୍କ ପୁଅ ଲଢ଼ୁଥିବାରୁ ମତଦାନ ପାଇଁ ଜେଲ ବିଭାଗକୁ ସେ ଚିଠି ଲେଖିଛନ୍ତି। ବ୍ୟକ୍ତିଗତ ଭାବେ ବାଲଟ ଅଣାଯିବା ପରେ ସେ ଭୋଟଦେଇ ପାରନ୍ତି ବୋଲି ସୂଚନା ମିଳିଛି।