ଆଶିଷ ଗଡ଼ନାୟକ, ସ୍ବାଗତିକା ସ୍ବାଇଁ ପାଇବେ ‘ଟାଇମ୍‌ପାସ୍‌ ବୁକର୍‌ ପୁରସ୍କାର’

ଭୁବନେଶ୍ୱର,୨୨।୯(ବ୍ୟୁରୋ): ଯୁବ ଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାର ଉଚ୍ଚାଭିଳାଷୀ ପ୍ରକାଶନ ସଂସ୍ଥା ‘ଟାଇମପାସ୍‌’ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଟାଇମ୍‌ପାସ୍‌ ବୁକର୍‌ ପୁରସ୍କାର’ର ବିଜେତାଙ୍କ ନାମ ଶନିବାର ଘୋଷଣା କରାଯାଇଛି। ଗଳ୍ପ ପାଣ୍ଡୁଲିପି ‘କ୍ରୁଶ’ ପାଇଁ କଥାକାର ଆଶିଷ ଗଡ଼ନାୟକ ୨୦୧୮ ମସିହାର ଟାଇମ୍‌ପାସ୍‌ ବୁକର୍‌ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ଉପନ୍ୟାସ ପାଣ୍ଡୁଲିପି ‘ସ୍ବପ୍ନର ଶହେ ବର୍ଷ’ ପାଇଁ ଗାଳ୍ପିକା ସ୍ବାଗତିକା ସ୍ବାଇଁ ୨୦୧୯ ମସିହା ଲାଗି ମନୋନୀତ ହୋଇଛନ୍ତି। ଲେଖକ ଦ୍ୱୟଙ୍କ ପୁରସ୍କୃତ ପାଣ୍ଡୁଲିପିକୁ ପ୍ରକାଶନ ସଂସ୍ଥା ପକ୍ଷରୁ ପୁସ୍ତକ ଆକାରରେ ପ୍ରକାଶିତ ହେବା ସହ ଉଭୟଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ଏଥିସହିତ ଛଅ ଜଣଙ୍କୁ ଟାଇମ୍‌ପାସ୍‌ ବେଷ୍ଟସେଲର୍‌ ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି। ଗଳ୍ପ ସଙ୍କଳନ ‘କାଠ’ ପାଇଁ ଅମିୟ ବେଜ୍‌ ଓ ‘ମୁଠାଏ ଅଙ୍ଗାର’ ପାଇଁ ବିଚିତ୍ର ବିଶ୍ୱାଳ, କବିତା ସଙ୍କଳନ ‘ଝଡ଼ପକ୍ଷୀର ଗୀତ’ ପାଇଁ ଶର୍ମିଷ୍ଠା ସାହୁ ଓ ‘ଏ ସମ୍ପର୍କ ଏମିତି’ ପାଇଁ ସୂର୍ଯ୍ୟସ୍ନାତ ତ୍ରିପାଠୀ, ଉପନ୍ୟାସ ‘ଅପରାଜିତା’ ପାଇଁ ପ୍ରଜ୍ଞାପ୍ରର୍ବିକା ଦାଶ ଏବଂ ଅନୁବାଦ ପୁସ୍ତକ ‘ସେମାନଙ୍କ ଶ୍ରେଷ୍ଠ ଗଳ୍ପ’ ପାଇଁ କିଶୋର ପାଣିଗ୍ରାହୀ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏତଦ୍‌ ବ୍ୟତୀତ ବହି ସହ ଗଭୀର ସମ୍ପୃକ୍ତି ପାଇଁ ପ୍ରଦାନ କରାଯାଉଥିବା ‘ଟାଇମ୍‌ପାସ୍‌ ବହିବନ୍ଧୁ ସମ୍ମାନ’ ପୁସ୍ତକପ୍ରିୟ ତାପସ ରାଉତ ପାଇବେ। ଆସନ୍ତା ଅକ୍ଟୋବର ୨୦ ତାରିଖରେ ଟାଇମ୍‌ପାସ୍‌ ପକ୍ଷରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଦିବସବ୍ୟାପୀ ସାହିତ୍ୟ ଉତ୍ସବରେ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଓଡ଼ିଶା ତଥା ରାଜ୍ୟ ବାହାରର ଯଶସ୍ବୀ ଲେଖକଗଣ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବଳ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।